
ମୁମ୍ବାଇ : ମହାରାଷ୍ଟ୍ରର ସାତାରା ଜିଲ୍ଲାର ଏକ ଗାଁରେ ଜଣେ ଗର୍ଭବତୀ ଜଙ୍ଗଲ ରକ୍ଷୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିବା ଅଭିଯୋଗରେ ପୋଲିସ ଦମ୍ପତିଙ୍କୁ ଗିରଫ କରିଛି । ରାଜ୍ୟ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକରେ ଗୁରୁବାର ଏହି ସୂଚନା ଦେଇଛନ୍ତି ।
ନିଜ ଟ୍ୱିଟର ଆକାଉଣ୍ଟରୁ ଏ ସମ୍ପର୍କରେ ସୂଚନା ଦେଇ ଆଦିତ୍ୟ ଠାକରେ କହିଛନ୍ତି ଯେ, ଆଜି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହିପରି କାର୍ୟ୍ୟକୁ ବରଦାସ୍ତ କରାଯିବ ନାହିଁ । ବନ ଅଧିକାରୀଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଆଦିତ୍ୟ ଠାକରେ ଉତ୍ତର ଦେଇଛନ୍ତି । ପଶ୍ଚିମ ମହାରାଷ୍ଟ୍ର ଜିଲ୍ଲାର ପାଲସାୱେଡ ଗ୍ରାମରେ ବୁଧବାର ଏହି ଘଟଣା ଘଟିଛି । ଖବର ଅନୁଯାୟୀ, ଜଣେ ମହିଳା ଜଙ୍ଗଲ ଗାର୍ଡଙ୍କୁ ମାଡ ମାରିଥିବା ବ୍ୟକ୍ତି ଗାଁର ପୂର୍ବତନ ସରପଞ୍ଚ ଥିଲେ ଏବଂ ବର୍ତ୍ତମାନ ସ୍ଥାନୀୟ ଜଙ୍ଗଲ ପରିଚାଳନା କମିଟିର ସଦସ୍ୟ ଅଟନ୍ତି । ପୋଲିସ କହିଛି ଯେ, ମହିଳା ଜଙ୍ଗଲ ଗାର୍ଡ ତାଙ୍କ ବିନା ଅନୁମତିରେ ଚୁକ୍ତିଭିତ୍ତିକ ଜଙ୍ଗଲ ଶ୍ରମିକମାନଙ୍କୁ ସାଙ୍ଗରେ ନେଇଥିଲେ, ଯେଉଁଥିପାଇଁ ସେ ରାଗି ଯାଇଥିଲେ ।