ପ୍ଲାଷ୍ଟିକ୍‌ ଖାଉଥିବା ‘ଜିଆ’ ଆବିଷ୍କାର କଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ପ୍ଲାଷ୍ଟିକ୍‌ ପୁନଃଚକ୍ରଣର ମାର୍ଗ ଅନ୍ୱେଷଣ ପାଇଁ ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି । ଏହି ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ଲାଗି ଅଷ୍ଟ୍ରେଲିଆର କ୍ୱିନ୍‌ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ କୀଟ ଆବିଷ୍କାର କରିଛନ୍ତି, ଯାହା ପ୍ଲାଷ୍ଟିକ୍‌କୁ ଖାଇ ଜୀବିତ ରହିପାରୁଛି । ପ୍ଲାଷ୍ଟିକ୍‌ ପୁନଃଚକ୍ରଣ କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ଉପଲବ୍ଧି ହେବ ବୋଲି ସେମାନେ ଆଶାବାଦୀ ।

ବୈଜ୍ଞାନିକମାନେ ‘ଜୋଫୋବାସ୍‌ ମୋରିଓ’ ନାମକ ଜିଆ ଖୋଜିଛନ୍ତି । ସୁପର୍‌ୱର୍ମ ବା ଶକ୍ତିଶାଳୀ ଜିଆ ଭାବେ ପରିଚିତ ଏହି କୀଟ ପ୍ଲାଷ୍ଟିକ୍‌ ଖାଇବା ପରେ ବଞ୍ଚିପାରୁଛି ।

ନିଜର ପେଟରେ ଥିବା ଏକ ସ୍ୱତନ୍ତ୍ର ପ୍ରକାର ଏନ୍‌ଜାଇମ୍‌ ଜରିଆରେ ଏହି ଜିଆ ପ୍ଲାଷ୍ଟିକ୍‌ ଖାଇ ହଜମ କରିପାରୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ସୁପର୍‌ୱର୍ମଗୁଡ଼ିକ କ୍ଷୁଦ୍ର ପୁନଃଚକ୍ରଣକାରୀ ଗଛ ଭଳି । ପଲିଷ୍ଟାଇରିନ୍‌କୁ ନିଜ ପାଟିରେ କାଟି ଛୋଟ ଛୋଟ କରିବା ପରେ ପେଟରେ ଥିବା ବ୍ୟାକ୍ଟେରିଆକୁ ସେଗୁଡ଼ିକୁ ଖାଇବାକୁ ଦେଇଥାନ୍ତି ବୋଲି ଅଧ୍ୟୟନରେ ସାମିଲ ବୈଜ୍ଞାନିକ କ୍ରିସ୍‌ ରିଙ୍କ କହିଛନ୍ତି । ବୈଜ୍ଞାନିକମାନେ ସୁପର୍‌ୱର୍ମମାନଙ୍କର ଏକ ସମୂହକୁ ୩ ସପ୍ତାହ ଧରି ବିଭିନ୍ନ ପ୍ରକାର ଖାଦ୍ୟ ଦେଇଥିଲେ । ପଲିଷ୍ଟାଇରିନ୍‌ ଖାଇଥିବା ଜିଆଙ୍କର ଓଜନ ବଢ଼ିଥିବା ଅଧ୍ୟୟନରେ ଲକ୍ଷ୍ୟ କରାଗଲା ।

ବୈଜ୍ଞାନିକ ଟିମ୍‌ ଏହି ସୁପର୍‌ୱର୍ମ ବା ଶକ୍ତିଶାଳୀ ଜିଆଙ୍କ ପେଟରେ ଅନେକ ପ୍ରକାର ଏନ୍‌ଜାଇମ୍‌ ପାଇଥିଲେ, ଯାହାଙ୍କର ପଲିଷ୍ଟାଇରିନ୍‌ ଓ ଷ୍ଟାଇରିନ୍‌କୁ ବିଘଟନ କରିବାର ଦକ୍ଷତା ଅଛି । ପଲିଷ୍ଟାଇରିନ୍‌ ପ୍ଲାଷ୍ଟିକ୍‌ରୁ ଥର୍ମୋକୋଲ, ଡିସ୍‌ପୋଜେବଲ କଟଲରି, ସିଡି କେସ୍‌, ଲାଇସେନ୍ସ ପ୍ଲେଟ୍‌ର ଫ୍ରେମ୍‌, ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ର ଉପକରଣ, ଅଟୋମୋବାଇଲ ଉପକରଣ ଆଦି ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହି ଅଧ୍ୟୟନରୁ ବ୍ୟାପକ ଜିଆ ଫାର୍ମ ନିର୍ମାଣର ସମ୍ଭାବନା ନାହିଁ, ଯାହା ପୁନଃଚକ୍ରଣକାରୀ ଗଛ ଭଳି ଦୁଇଗୁଣ ହୋଇପାରିବ । ଗବେଷକମାନେ ପ୍ଲାଷ୍ଟିକ୍‌ ବିଘଟନ କରୁଥିବା ସବୁଠୁ ପ୍ରଭାବଶାଳୀ ଏନ୍‌ଜାଇମ୍‌ ଚିହ୍ନଟ କରିବାକୁ ଯୋଜନା କରୁଛନ୍ତି, ପ୍ଲାଷ୍ଟିକ୍‌ ପୁନଃଚକ୍ରଣ ପାଇଁ ଯାହାର ପୁନଃଉତ୍ପାଦନ ହୋଇପାରିବ । ଏହା ପରେ ଯାନ୍ତ୍ରିକ ରୂପେ ପ୍ଲାଷ୍ଟିକ୍‌ର ବିଘଟନ କରାଯାଇ ପାରିବ ।

ଏହି ପ୍ରତିକ୍ରିୟାରୁ ବିଘଟିତ ଉତ୍ପାଦଗୁଡ଼ିକୁ ଅନ୍ୟ ସୂକ୍ଷ୍ମଜୀବ ମାଧ୍ୟମରେ ଜୈବପ୍ଲାଷ୍ଟିକ୍‌ ଭଳି ଉଚ୍ଚ-ମୂଲ୍ୟର ଯୌଗିକ ସୃଷ୍ଟି ଲାଗି ପ୍ରୟୋଗ କରାଯାଇ ପାରିବ ବୋଲି ଡା. ରିଙ୍କ କହିଛନ୍ତି । ଏହା ପୂର୍ବରୁ ଅଧ୍ୟୟନ ଦର୍ଶାଇଛି ଯେ କିଛି ପ୍ରକାର କୀଟ ପଲିଷ୍ଟାଇରିନ୍‌ ବିଘଟନ କରିବାରେ ସକ୍ଷମ । କିନ୍ତୁ ଏହି ଅଧ୍ୟୟନ ଆଉ ପାଦେ ଆଗକୁ ବଢ଼ିଛି ବୋଲି ଅଷ୍ଟ୍ରେଲିଆର ନ୍ୟାସ୍‌ନାଲ ୟୁନିଭର୍ସିଟିର ଗବେଷକ କଲିନ୍‌ ଜ୍ୟାକସନ୍‌ କହିଛନ୍ତି । ବ୍ୟାକ୍ଟେରିଆ କିଭଳି ପେଟରେ ଆଣବିକ ସ୍ତରରେ ଏହି କାମ କରେ, ତାହା ବୁଝିବାରେ ବୈଜ୍ଞାନିକମାନେ ଦୀର୍ଘ ସମୟ ଧରି ଅଧ୍ୟୟନ କରିଛନ୍ତି । ମାଇକ୍ରୋବାୟଲ ଜିନୋମିକ୍ସ ପତ୍ରିକାରେ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି ।

Leave A Reply

Your email address will not be published.