- ସୌମେନ୍ଦ୍ର ଜେନା
ତୁର୍କୀ ଏସିଆ ଓ ଇଉରୋପ ମହାଦେଶର ଯୋଗାଯୋଗ ସ୍ଥଳରେ ଥିବା ରାଷ୍ଟ୍ର । ଏସିଆର ଏହି ରାଷ୍ଟ୍ର ଆରବଜଗତର ନିକଟତର ହୋଇଥିଲେ ହେଁ ଇଉରୋପୀୟ ୟୁନିଅନ ଗୋଷ୍ଠୀରେ ୧୯୮୭ରୁ ସଦସ୍ୟ ଅପେକ୍ଷାରେ ଥିବାବେଳେ ନାଟୋର ସଦସ୍ୟ । ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ରୁଷିଆ ସହ ଅଧିକ ସଂପର୍କ ରଖିଥିବା ତୁର୍କୀ ଇସଲାମିକ ଜଗତର ବାଦଶାହା ପଦବୀ ପାଇବାକୁ ସୁନ୍ନି ରାଷ୍ଟ୍ର ପାକିସ୍ଥାନ ଓ ଆଜରବୈଜାନ ସହ ଭଲ ସଂପର୍କ ରଖି ସିହା ଜଗତରେ ଆତଙ୍କରାଜ ଚଳାଇବାରେ କୌଣସି ପ୍ରକାର ଅବହେଳା କରେନାହିଁ । ସେମିତି ଜାତିସଂଘରେ ଇସଲାମିକ ଚୌଧୁରୀ ହେବା ଲକ୍ଷ୍ୟରେ ବାରମ୍ବାର କାଶ୍ମିରରେ ମୁସଲିମଙ୍କ ଉପରେ ଅତ୍ୟାଚାର ହେଉଥିବା କଥା କହିଥାଏ । ସନ୍ତ୍ରାସବାଦୀଙ୍କ ହିନ୍ଦୁଗଣହତ୍ୟାକୁ ଇସଲାମର ଧର୍ମ କାର୍ଯ୍ୟ ବୋଲି ବିଚାର କରେ । ଇସଲାମିକ ଶାସନତନ୍ତ୍ରର ସ୍ଥାପନା ପାଇଁ ପବିତ୍ର କୋରାନର ନିର୍ଦ୍ଦେଶ ବୋଲି କହିଥାଏ । ନିକଟରେ କାଶ୍ମିରୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ଦେବା ନାମରେ ତୁର୍କୀ ଓ ପାର୍କ ସହାୟତାରେ ସନ୍ତ୍ରାସବୃଦ୍ଧିର ଷଡଯନ୍ତ୍ର ଚାଲିଥିବା ବିଷୟ ଭାରତର ଗୋଇନ୍ଦା ସଂସ୍ଥା ମୋଦୀ ସରକାରଙ୍କୁ ସୂଚନା ଦେଇଛନ୍ତି । ଆଫଗାନିସ୍ଥାନରୁ ଆଜରବୈଜାନ ପର୍ଯ୍ୟନ୍ତ ନିଜର ଭଡାଟିଆ ସେନାବାହିନୀ ସାଦତର ଯବାନମାନଙ୍କୁ ପଠାଇ ରାଜନୈତିକ ଅସ୍ଥିରତା ସୃଷ୍ଟିକୁ ଇସଲାମିକ ଜିହାଦର ଅଂଶବିଶେଷ ଭାବେ ତୁର୍କୀ ବର୍ଣ୍ଣନା କରେ । ଆଜିର ସାଉଦି ଆରବ, ଏମିରେଟ୍, ବାହାରିନ୍, କାତାର ଆଦି ପ୍ରଗତିଶୀଳ ମୁସଲିମ ରାଷ୍ଟ୍ରଗୁଡିକୁ ତୁର୍କୀ ମରୁଭୂମିର ଯାଯାବରଙ୍କ ଦେଶ ବୋଲି ମନେକରେ । ତେଲ ବିକ୍ରୟ କରି ଅଳ୍ପ କେଇଟା ବର୍ଷରେ ଧନୀ ହୋଇଥିବା ଏହିସବୁ ଦେଶଗୁଡିକୁ ଗୌଣ ଦୃଷ୍ଟିରେ ଦେଖେ । ଅଟୋମନ ସାମ୍ରାଜ୍ୟ କାଳରେ ଏମାନଙ୍କ ନଗଣ୍ୟ ସ୍ଥିତିକୁ ସ୍ମରଣକରି ସମାଲୋଚନା କରେ । ଏସବୁ ରାଷ୍ଟ୍ର ତୁର୍କୀର ପ୍ରାଚୀନ ଅଟୋମନ ସାମ୍ରାଜ୍ୟର ଅନ୍ତର୍ଗତ ଥିବା ହେତୁ ଆଗାମୀ ଦିନରେ ତୁର୍କୀର ଶାସନାଧୀନ ହେବେ ବୋଲି ବିସ୍ତାରବାଦୀ ପ୍ରଚାର କରେ । ଗ୍ରୀସ, ସାଇପ୍ରସ୍ ପରି ପଡୋଶୀ ରାଷ୍ଟ୍ରକୁ ଆକ୍ରମଣର ନାଲିଆଖି ଦେଖାଉଥାଏ । ଅଥଚ ଆପଣାର ମୁହଁ ତୋଡ ଦେଖାଇବା ପାଇଁ ମୁଦ୍ରା ଲିରା ପାକ୍ ରୁପି ପରି ଦିନକୁ ଦିନ ବଜାରରେ ଦୁର୍ବଳ ହେଉଥିଲେ କିମ୍ବା ଜନସାଧାରଣରେ ଅସନ୍ତୋଷ ବ୍ୟାପିଲେ ମଧ୍ୟ ଚିନ୍ତା କରେନାହିଁ । ପାକ୍ର ଲୋକଙ୍କୁ ସେନା ଓ ଆଇଏସ୍ଆଇ ଶାସନ କଲାପରି ତୁର୍କୀର ଲୋକମାନଙ୍କୁ ରାଷ୍ଟ୍ରପତି ଏର୍ଦୋଗାନ ନିଜର ବନ୍ଧୁ ତଥା ବ୍ରିଗେଡିଅର ଜେନେରାଲ ଅଦନାନ ତାନିର୍ଭେଦୀଙ୍କ ସାଦତ ସେନାବାହିନୀ ସହାୟତାରେ ନିୟନ୍ତ୍ରଣ କରିଥାନ୍ତି । ନିଜର ବିରୋଧୀମାନଙ୍କୁ ଦମନ କରିବା ପାଇଁ ଏହି ଭଡାଟିଆ ସେନାବାହିନୀକୁ ଲଗାଇ ଗିରଫଦାରି ଚଳାଇଥାନ୍ତି । ବିଗତ ଦିନମାନଙ୍କରେ ବର୍ତ୍ତମାନର ତୁର୍କୀ ରାଷ୍ଟ୍ରପତି ନିଜ ବିରୋଧୀ ସେନାଧିକାରୀ ଏବଂ ସେମାନଙ୍କ ସମର୍ଥକଙ୍କ ଦମନ ପାଇଁ ଏହି ବେସରକାରୀ ସାଦତ ବାହିନୀକୁ ଲଗାଇ ହଜାର ହଜାର ଲୋକଙ୍କୁ ବନ୍ଦୀ କରିବାକୁ ସକ୍ଷମ ହୋଇଛନ୍ତି ।
୨୦୨୩ରେ ତୁର୍କୀ ରାଷ୍ଟ୍ରପତି ନିର୍ବାଚନର ସମ୍ମୁଖୀନ ହେବ । ବର୍ତ୍ତମାନର ରାଷ୍ଟ୍ରପତି ଏର୍ଦୋଗାନ ନିୟମ ଅନୁଯାୟୀ ଦୁଇଥର କ୍ଷମତାରେ ରହିସାରିଥିବା ଯୋଗୁ ନୂଆ ଜଣେ କେହି କ୍ଷମତାକୁ ଆସିବା ନିଶ୍ଚିତ । କାରଣ ଏର୍ଦୋଗାନ ଇସ୍ତାନବୁଲର ମେୟର (୧୯୯୪-୯୮), ତୁର୍କୀର ପ୍ରଧାନମନ୍ତ୍ରୀ (୨୦୦୩-୧୪), ତୁର୍କୀର ରାଷ୍ଟ୍ରପତି (୨୦୧୪ରୁ ଅଦ୍ୟାବଧି) ଦାୟିତ୍ୱରେ ରହିଆସିଛନ୍ତି । ଏର୍ଦୋଗାନ ନାମର ତୁର୍କୀରେ ଅର୍ଥ ହେଲା ଯୋଦ୍ଧା ବା ବୀର । ତେଣୁ ଏର୍ଦୋଗାନ ନିଜକୁ ସବୁବେଳେ ଯୋଦ୍ଧା, ଇସଲାମିକ ବୀର ଭାବେ ପରିିଚିତ କରିବାକୁ ଉଦ୍ୟମ କରିଆସିଛନ୍ତି । ଅତୀତ ଦିନର ଅଟୋମନ ସାମ୍ରାଜ୍ୟ ୨୪ ଜୁଲାଇ ୧୯୨୩ରେ ସ୍ୱିଜରଲ୍ୟାଣ୍ଡର ଲୌସାନ୍ନେ ଚୁକ୍ତିରେ ସାତମାସ ଆଲୋଚନା ପରେ ତୁର୍କୀର ସୀମାକୁ ସୀମିତ କରିବାକୁ ରାଜି ହୋଇଥିଲା । ଆରବ ପ୍ରଦେଶରେ ଥିବା ଅଞ୍ଚଳ, ବ୍ରିଟିଶ ଅଧିନସ୍ଥ ସାଇପ୍ରସ ଏବଂ ଇଟାଲୀ ଅଧିନସ୍ଥ ଡୋଡେକାନେସେକୁ ମାନି ନେଇଥିଲା । ୧୯୧୯ରେ ଗ୍ରୀକ୍ର ସେନା ୧୫ମଇଦିନ ଆଜିର ଇଜ୍ମିରଠାରେ ପ୍ରବେଶକରି ଆନାଟୋଲିଆ, ମନିଷା, ବାଲିକେଶିର, ଐଡିନ, କୁତାହ୍ୟା, ବୁର୍ସା, ଇସକିସେହିର ସହରକୁ ଦଖଲ କରିନେଲା ପରେ ୧୫ ମଇ ୧୯୧୯ରୁ ୧୧ ଅକ୍ଟୋବର ୧୯୨୨ ଯାଏଁ ଗ୍ରୀସ୍-ତୁର୍କୀ ମଧ୍ୟରେ ଯୁଦ୍ଧ ଚାଲିଥିଲା । ଉକ୍ତ ଯୁଦ୍ଧରେ ଦୁଇପକ୍ଷରୁ ମୋଟ ୬୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ । ଶେଷରେ ୧ ନଭେମ୍ବର ୧୯୨୨ରେ ଅଟୋମନ ସାମ୍ରାଜ୍ୟର ପତନ ହୋଇଥିଲା । ପୂର୍ବରୁ ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀ ସହ ଯୁଦ୍ଧରେ ଅଟୋମନ ସେନା ପରାସ୍ତ ହୋଇଥିଲା । ୧୯୨୨ର ଚୁକ୍ତିପରେ ଶେଷ ଅଟୋମନ ସୁଲତାନ ମହମ୍ମଦ ଷଷ୍ଠ ବର୍ତ୍ତମାନର ଇସ୍ତାନବୁଲ ସହରକୁ ଛାଡି ଏକ ବ୍ରିଟିସ ସେନା ଜାହାଜରେ ଦେଶାନ୍ତରୀ ହୋଇଥିଲେ । ୨୯ ଅକ୍ଟୋବର ୧୯୨୩ରେ ମୁସ୍ତାଫା କୋମାଲ ଆତାତୁର୍କ ଦେଶକୁ ସ୍ୱାଧୀନ ସାଧାରଣତନ୍ତ୍ରରେ ପରିଣତ କରିଥିଲେ । ଅଟୋମନ ଶେଷ ସୁଲତାନ ୧୬ମଇ ୧୯୨୬ରେ ଇଟାଲୀର ସାନ୍ରେମୋ ସହରରେ ପ୍ରାଣତ୍ୟାଗ କଲେ ।
ଆସନ୍ତା ବର୍ଷ ୨୦୨୩ରେ ସ୍ୱାଧୀନ ତୁର୍କୀକୁ ସ୍ଥାପନାର ଶହେବର୍ଷ ପୂରଣ ହେବ । ୨୦୧୦ରେ ପ୍ରଧାନମନ୍ତ୍ରୀ ଥିଲାବେଳେ ବର୍ତ୍ତମାନର ତୁର୍କୀ ରାଷ୍ଟ୍ରପତି ରିସେପ ତୟିପ ଏର୍ଦୋଗାନ ତୁର୍କୀକୁ ଶହେବର୍ଷ ପୂର୍ବର ଶକ୍ତିଶାଳୀ ଅଟୋମନ ସାମ୍ରାଜ୍ୟ ସ୍ତରକୁ ନେବାଲାଗି ଆହ୍ୱାନ ଦେଇ କେତେକ ଲକ୍ଷ୍ୟ ସାଧନ ପାଇଁ ଘୋଷଣା କରିଥିଲେ । ତନ୍ମଧ୍ୟରେ ୨୦୨୩ସୁଦ୍ଧା ତୁ୍ର୍କୀକୁ ପୃଥିବୀର ପ୍ରଥମ ୧୦ଟି ସମୃଦ୍ଧ ଅର୍ଥନୀତିର ରାଷ୍ଟ୍ର ତାଲିକାରେ ସ୍ଥାନ ଦେବା, ଜିଡିପିକୁ ୨ ଟ୍ରିଲିଅନ ଡଲାରରେ ପହଞ୍ଚାଇବା, ମୁଣ୍ଡପିଛା ଆୟ ୨୫ହଜାର ଡଲାରକୁ ନେବା, ବାର୍ଷିକ ୫୦୦ ବିଲିଅନ ଡଲାର ରପ୍ତାନୀ କରିବା, ବୈଦେଶିକ ବାଣିଜ୍ୟ ୧ ଟ୍ରିଲିଅନରେ ପହଞ୍ଚାଇବା, ୩୦ଲକ୍ଷ କର୍ମଜୀବୀ ସୃଷ୍ଟି କରିବା, ବେରୋଜଗାରୀ ୫ ପ୍ରତିଶତ ହ୍ରାସ କରିବା, ବସ୍ଫୋରସ ଏବଂ ଡାର୍ଡାନେଲେସ ସାମୁଦ୍ରିକ ମାର୍ଗରେ ଟିକସ ଦ୍ୱାରା ଅଧିକ ଆୟ କରିବା ରହିଥିଲା । ଏହାଛଡା ୧୧୦୦୦ କିଲୋମିଟର ରେଳପଥ ନିର୍ମାଣ, ୧୫୦୦୦କିମିର ସଡକପଥ, ପୃଥିବୀର ୧୦ଟି ବୃହତ ବନ୍ଦର ମଧ୍ୟରେ ଦେଶର ବନ୍ଦରକୁ ସ୍ଥାନଦେବା, ଦେଶରେ ବିମାନ, ଡ୍ରୋନ୍ ଏବଂ ଉପଗ୍ରହ ନିର୍ମାଣ କରିବା, ବାର୍ଷିକ ୫କୋଟି ପର୍ୟ୍ୟଟକ ତୁର୍କୀକୁ ଆସିବା, ୫୦ ବିଲିଅନ ଡଲାର ବର୍ଷକୁ ପର୍ଯ୍ୟଟନରୁ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଥିଲା । ତୁର୍କୀକୁ ଅଗ୍ରଣୀ ରାଷ୍ଟ୍ର ତାଲିକାରେ ସ୍ଥାନ ଦେବା ଲକ୍ଷ୍ୟରେ ଏର୍ଦୋଗାନଙ୍କ ଏହି ଘୋଷଣା ପଛରେ ଅହମତ୍ ଡାଭୁଟୋଗ୍ଲୁଙ୍କ ବଡ ଭୂମିକା ଥିଲା । ୨୦୦୯ରେ ଏର୍ଦୋଗାନ ପ୍ରଧାନମନ୍ତ୍ରୀ ଥିଲାବେଳେ ଅହମତ୍ଙ୍କୁ ବିଦେଶମନ୍ତ୍ରୀ ଦାୟିତ୍ୱ ଦେଇଥିଲେ । ତା ପୂର୍ବରୁ ସେ ଏର୍ଦୋଗାନଙ୍କ ମୁଖ୍ୟ ବିଦେଶନୀତି ପରାମର୍ଶଦାତା ରହିଥିଲେ । “ଷ୍ଟ୍ରାଟେଜିକ୍ ଡେପ୍ଥ” ନାମକ ପୁସ୍ତକରେ ସେ ତାଙ୍କ ବିଦେଶନୀତିର ତତ୍ତ୍ୱକୁ ଉଲ୍ଲେଖ କରିଛନ୍ତି । ଡାଭୁଟୋଗ୍ଲୁଙ୍କ ବିଦେଶନୀତି ପ୍ରସ୍ତୁତିରେ ତାଙ୍କ ପ୍ରାଧ୍ୟାପକ ତଥା ଗ୍ରୀସର ନେତା ଦିମିତ୍ରି କିଟସକିସଙ୍କ ପ୍ରଭାବ ରହିଥିଲା । ମୋଟାମୋଟି ଭାବେ ମଧ୍ୟ ପ୍ରାଚ୍ୟରେ ତୁର୍କୀକୁ ସବୁ ମାମଲାରେ ସଂପୃକ୍ତ କରାଇ ନେତୃତ୍ୱ ଦେବାକୁ ସେ କହିଥିଲେ । ତୁର୍କୀକୁ ଆଞ୍ଚଳିକ ଶକ୍ତି ମଧ୍ୟରେ ସୀମିତ ନହୋଇ ମଧ୍ୟପ୍ରାଚ୍ୟର କେନ୍ଦ୍ରଶକ୍ତିରେ ପରିଣତ ହେବା ସହ ଏସିଆ ଏବଂ ଇଉରୋପର ସଂଗମସ୍ଥଳୀରେ ଥିବାରୁ ଉଭୟ ମହାଦେଶକୁ ନିୟନ୍ତ୍ରଣ କରିବାର ଶକ୍ତି ରହିଥିବା ସେ ଉଲ୍ଲେଖ କରିଥିଲେ । ପରବର୍ତ୍ତୀ କାଳରେ ପ୍ରଧାନମନ୍ତ୍ରୀ ହୋଇଥିବା ଡାଭୁଟୋଗ୍ଲୁ କହିଥିଲେ ଯେ ତୁର୍କୀକୁ ଆଞ୍ଚଳିକ ନେତା ଏବଂ ବିଶ୍ୱ ରାଜନୀତିର ପ୍ରବକ୍ତା ହେବାକୁ ପଡିବ । ତେଣୁ ତୁର୍କୀକୁ ନିଜର ଇତିହାସ ଓ ସାଂସ୍କୃତିକ ଭିତ୍ତିଭୂମିରେ ଦେଶ ଭିତରେ କୁର୍ଦ୍ଦ ଏବଂ ଇସଲାମର ପରସ୍ପର ବିରୋଧୀ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବାକୁ ହେବ । ଦେଶ ବାହାରେ ରୁଷିଆ, ଚୀନ ଓ ଭାରତ, ବ୍ରାଜିଲ ପରି ରାଷ୍ଟ୍ରଗୁଡିକ ସହ ଭଲ ସଂପର୍କ ସ୍ଥାପନା କରିବାକୁ ହେବ ।
ଏହିସବୁ ଯୋଜନାନୁସାରେ ମଧ୍ୟପ୍ରାଚ୍ୟରେ ୨୫ ଜାନୁଆରୀ ୨୦୧୧ରେ ଇଜିପଟରେ ସରକାର ପରିବର୍ତ୍ତନ ପାଇଁ ଯେଉଁ ଆନ୍ଦୋଳନ ହେଲା ତୁର୍କୀର ସମର୍ଥନ ତା ପଛରେ ରହିଲା । ତୁର୍କୀର ସାଦତ ଗୋଷ୍ଠୀର ଯବାନମାନେ ଇଜିପ୍ଟରେ ପ୍ରବେଶକରି ଆନ୍ଦୋଳନକାରୀଙ୍କୁ ସହାୟତା, ଯୋଜନା, ଆର୍ଥିକ ସାହାଯ୍ୟ ଯୋଗାଇ ଦେଲେ । ଇଜିପ୍ଟର ହୋସନୀ ମୁବାରକଙ୍କ ସରକାରଙ୍କ ପତନ ତୁର୍କୀ ସରକାରଙ୍କ ଆନ୍ଦୋଳନକାରୀଙ୍କୁ ସମର୍ଥନ ଯୋଗୁ ହେଲା । ମୁବାରକଙ୍କ କ୍ଷମତା ଯିବାପରେ ଏର୍ଦୋଗାନ ପ୍ରଥମଥର ପାଇଁ ତିନିଦିନିଆ ସରକାରୀ ଗସ୍ତରେ ୧୨ ସେପ୍ଟେମ୍ବର ୨୦୧୧ରେ ୬ଜଣ ମନ୍ତ୍ରୀ, ୨୦୦ଜଣ ତୁର୍କୀ ବ୍ୟବସାୟୀଙ୍କୁ ଧରି ରାଜଧାନୀ କାଇରୋଠାରେ ପହଞ୍ଚିଲେ । ପରେ ତାହରିର ସ୍ଲୋୟାରଠାରେ ଏର୍ଦୋଗାନଙ୍କୁ ଇଜିପ୍ଟିଆନ୍ ରିଭୋଲ୍ୟୁସନ ୟୁଥ୍ ୟୁନିଅନ ପକ୍ଷରୁ ସମ୍ମାନିତ କରାଯାଇଥିଲା । କାଇରୋ ସହରରେ ସଡକ ସବୁ ଭିଡରେ ମଧ୍ୟରାତ୍ରୀ ଯାଏ ବନ୍ଦ ହୋଇଯାଇଥିଲା । ଲୋକେ ତାଙ୍କୁ ମଧ୍ୟପ୍ରାଚ୍ୟର ଇସଲାମିକ ନେତା ଭାବେ ପ୍ରଚାରର କଲେ । ଏହାପରେ ଇରାକ, ସିରିଆରେ ତୁର୍କୀର ହସ୍ତକ୍ଷେପ ବୃଦ୍ଧି ପାଇଥିଲା । ପରେ ଆଜରବୈଜାନ ଯୁଦ୍ଧ, ଆଫଗାନିସ୍ଥାନରେ ତାଲିବାନଙ୍କ କାବୁଲ ଦଖଲ ଆଦି ଘଟଣା ପଛରେ ତୁର୍କୀର ସାଦତ ସେନାଙ୍କ ସକ୍ରୀୟ ଭୂମିକା ରହିଥିବା ଜଣାପଡିଲା । ବିଗତ ଦିନରେ ତୁର୍କୀର ଏହି ବେସରକାରୀ ସେନା ବାହିନୀ ଲେବାନନ, କାତାର, ସୋମାଲିଆ, ୟେମେନ, ଲିବିୟା, ମାଲି ଆଦି ରାଷ୍ଟ୍ରରେ ପ୍ରବେଶ କରି ଗରିଲା ଆକ୍ରମଣ, ହତ୍ୟା, ଅପହରଣ, ସଡକ ଅବରୋଧ ପରି କାର୍ଯ୍ୟରେ ନିଜକୁ ସାମିଲ କରିବା ସହ ମୁସଲିମ ସନ୍ତ୍ରାସବାଦୀମାନଙ୍କୁ ପ୍ରଶିକ୍ଷଣ, ଅସ୍ତ୍ରଶସ୍ତ୍ର ପ୍ରଦାନ, ଆକ୍ରମଣ ପରିଚାଳନା, ସନ୍ତ୍ରାସବାଦୀ ସଂଗ୍ରହରେ ସାହାଯ୍ୟ କରିଆସିଛନ୍ତି । ଡିସେମ୍ବର ୨୦୧୯ରେ ଆନ୍ତର୍ଜାତିକ ଇସଲାମିକ କନଫରେନ୍ସରେ ସାଦତର ମୁଖ୍ୟ ଅଦନାନ୍ ଯୋଗଦେଇ ଯେଉଁ ସୁନ୍ନି ପ୍ରଭୁତ୍ୱ ବୃଦ୍ଧି ସଂପର୍କରେ କହିଥିଲେ ତାହା ଆତଙ୍କବାଦର ପ୍ରୋତ୍ସାହନ ଛଡା ଅନ୍ୟ କିଛି ନୁହେଁ । ସେ ତୁର୍କୀ ସରକାରଙ୍କ ବାହୁଛାୟାତଳେ ରହି ଏ ପ୍ରକାର ବେଆଇନ କାର୍ଯ୍ୟ ଜାରି ରଖିଛନ୍ତି ।
ତୁର୍କୀକୁ ଅଟୋମନ ସାମ୍ରାଜ୍ୟର ପୁନର୍ବାର ପ୍ରତିଷ୍ଠା ଦେବାକୁ କହୁଥିବା ଏର୍ଦୋଗାନଙ୍କ ସରକାର ୨୦୦୨ରେ ଶାସନକୁ ଆସିଲାବେଳେ ତୁର୍କୀର ଲିରା ସହ ଡଲାର ମୂଲ୍ୟ ପ୍ରାୟ ସମାନଥିଲା ବେଳେ ଏବେ ଡଲାର ମୂଲ୍ୟ ତୁର୍କୀର ଲିରା ତୁଳନାରେ ୧୪ଗୁଣରୁ ଅଧିକ ହେଲାଣି । ଦେଶରେ ଦରଦାମ ସର୍ବାଧିକ ହୋଇଛି । ବ୍ୟାଙ୍କର ସୁଧହାର ୧୯ରୁ ୧୪ ପ୍ରତିଶତକୁ ଖସିଛି । ତୁର୍କୀର ବାହ୍ୟଋଣ ୪୫୩.୨ବିଲିଅନ ଡଲାର ୨୦୧୭ ବେଳେ ଥିଲା, ଯାହା ଏହି ପାଞ୍ଚବର୍ଷରେ ଲିରାର ମୂଲ୍ୟ ହ୍ରାସ ଯୋଗୁ ବହୁ ପରିମାଣରେ ବଢିଗଲାଣି । ୨୦୨୩ରେ ଦେଶର ଜିଡିପିକୁ ୨ ଟ୍ରିଲିଅନ କରିବାକୁ ଥିଲାବେଳେ ୨୦୨୨ରେ ତାହା ୮୪୫ ବିଲିଅନରେ ସୀମିତ ରହିଛି । ସେମିତି ମୁଣ୍ଡପିଛା ଆୟ ୨୫ହଜାର ଡଲାର କରିବାକୁ ଲକ୍ଷ୍ୟ ଥିଲାବେଳେ ୨୦୨୨ରେ ୯୪୦୬ ଡଲାରରେ ସୀମିତ ରହିଛି । ବାର୍ଷିକ ରପ୍ତାନୀ ୫୦୦ ବିଲିଅନ ଲକ୍ଷ୍ୟ ଥାଇ ଏବେ ୨୨୫.୩୬ ବିଲିଅନ୍ (୨୦୨୧)ରେ ସୀମିତ ରହିଛି । ଏସବୁ ଦୃଷ୍ଟିରୁ ୨୦୨୩ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତୁର୍କୀକୁ ଅଟୋମନ ସାମ୍ରାଜ୍ୟ ସ୍ଥିତିକୁ ରାଷ୍ଟ୍ରପତି ଏର୍ଦୋଗାନ କିପରି ନେବେ ତାହା ସମସ୍ତଙ୍କର ଦେଖିବାକୁ ବାକି ରହିଲା ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩