jsm

ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ଉନ୍ନୟନ ମୂଳକ କାର୍ଯ୍ୟ, ଥଇଥାନ ଓ ପୁନର୍ବାସ ଉପରେ ଗୁରୁତ୍ୱାରୋପ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ଜଳ ସେଚନ ବିଭାଗ ଅନ୍ତର୍ଗତ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଞ୍ଚଳର ଉନ୍ନୟନ ପରାମର୍ଶଦାତା କମିଟିର ୬ଷ୍ଠ ତମ ବୈଠକ ଶୁକ୍ରବାର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗୋ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ୍ ଅଗ୍ରୱାଲ, ଜଳସମ୍ପଦ ବିଭାଗ (ଥଇଥାନ ଓ ପୁନର୍ବାସ) ନିର୍ଦ୍ଦେଶକ ଅଶୋକ କୁମାର ବେହେରା, ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମୀନା, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ. ନାଗାର୍ଜୁନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ଜନସାଧାରଣ, ବିଭାଗୀୟବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି, ଥଇଥାନ ଓ ପୁନର୍ବାସ, ଆର୍.ଆର୍ କଲୋନୀ କାର୍ଯ୍ୟର ଅଗ୍ରଗତି, ଜୀବିକା ନିର୍ବାହ ପନ୍ଥା ଓ ସୃଷ୍ଟି, ଥଇଥାନ ନୀତିରେ ଲୋକମାନଙ୍କୁ ପଟ୍ଟା ପ୍ରଦାନ ପ୍ରାପ୍ତି ଜନିତ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଛି । ସର୍ବୋପରି ୨୦୦୬ ଓ ୨୦୧୩ ମସିହାର ପ୍ରଚଳିତ ଆଇନ, ଆର୍ଥିକ ସହାୟତା ଆଦି ସମସ୍ତ ବିଷୟରେ ଆଲୋଚନା ହୋଇଛି । ସୂଚନାଯୋଗ୍ୟ ଯେ, ଛେଳିଗଡ଼ ପ୍ରକଳ୍ପ ସମ୍ପର୍କିତ ବିସ୍ଥାପିତ ପରିବାରମାନଙ୍କୁ ନୂତନ ବିଦ୍ୟୁତ ସଂଯୋଗ ଯୋଗାଇଦେବା ପାଇଁ ପରିବାର ପିଛା ୩୯୧୦ ଟଙ୍କା ମଞ୍ଜୁର କରାଯାଇଛି ବୋଲି କୁହାଯାଇଛି । ଛେଳିଗଡ଼ ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ୩୦ ଅକ୍ଟୋବର ୨୦୨୩ରେ ଷ୍ଟେଜ୍-୨ ଜଙ୍ଗଲ ମଞ୍ଜୁରୀ ଦେଇସାରିଛି । ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସମୟରେ ଜଣାପଡିଥିଲା । ପ୍ରକଳ୍ପ ଡ୍ୟାମ୍ ଓ ସ୍ପିଲୱେ ଡିଜାଇନ୍ ଅନୁମୋଦିତ ହୋଇସାରିଛି । ଏହି କାର୍ଯ୍ୟକୁ ୩୧ ଡିସେମ୍ବର ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ୧୨୮୦ ମିଟର ଲମ୍ବର ଟନେଲ୍ କାର୍ଯ୍ୟ ଜୁଲାଇ ୨୦୨୪ ସୁଦ୍ଧା ଶେଷ ହୋଇସାରିଛି । ମୁଖ୍ୟ କେନାଲ୍‌ର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକଳ୍ପ ଯୋଗୁଁ ମୋଟ ୫୯୬ଟି ପରିବାର ବିସ୍ଥାପିତ ହୋଇଥିବା ବେଳେ ୫୦୩ଟି ପରିବାର ଏହା ଦ୍ୱାରା ବିଶେଷ ପ୍ରଭାବିତ ହେଉଛନ୍ତି ବୋଲି ମତପ୍ରକାଶ ପାଇଛି । ଓଡ଼ିଶା ଥଇଥାନ ଓ ପୁନର୍ବାସ ନୀତି–୨୦୦୬ (ନବମ ସଂଶୋଧନ) ଅନୁଯାୟୀ ଅନୁସୂଚିତ ଜନଜାତି ପରିବାରଙ୍କୁ ୧୦ ଲକ୍ଷ ୯୯ ହଜାର ୬୦୨ ଟଙ୍କା ଏବଂ ଅନ୍ୟ ବର୍ଗର ପରିବାରଙ୍କୁ ୯ ଲକ୍ଷ ୭୬ ହଜାର ୪୮୪ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି । ଏଥିସହ ଗଜପତି ଜିଲ୍ଲା ବାହାରେ ସ୍ଥାୟୀ ବସବାସ କରିବାକୁ ଇଚ୍ଛୁକ ଅନୁସୂଚୀତ ଜନଜାତି ପରିବାରଙ୍କୁ ଅତିରିକ୍ତ ୨୫ ପ୍ରତିଶତ ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିଛି । ଗଜପତି ଜିଲ୍ଲାରେ ୩ଟି (ରତାଙ୍ଗ, ସୈଲାଙ୍ଗ, ପିଲି-ସୁଗୁବା) ଏବଂ ଗଞ୍ଜାମ ଜିଲ୍ଲାରେ ୪ଟି (ସାନ୍ତ୍ରାପୁର, ବାବୁଲିବନ୍ଧ, ବାଲିପାଟ, ଚାକୁଣ୍ଡାପଲ୍ଲୀ) ସ୍ମାର୍ଟ ଆର୍.ଆର୍ କଲୋନୀ ନିର୍ମାଣ ହେଉଛି । ଯେଉଁଥିରେ ପାନୀୟ ଜଳ, ରାସ୍ତା, ଓ ଟ୍ରାନ୍ସଫର୍ମର ସହ ବିଦ୍ୟୁତୀକରଣ କାର୍ଯ୍ୟ ଅବ୍ୟାହତ ରହିଛି । ବିସ୍ଥାପିତ ପରିବାରଗୁଡ଼ିକର ରୋଜଗାର ପାଇଁ କମ୍ୟୁନିଟି କାଓ ସେଡ୍ ନିର୍ମାଣ ସହିତ ମାଗଣାରେ କୁକୁଡ଼ା ପାଳନ ପାଇଁ ୫୦ଟି ଲେଖାଏଁ କୁକୁଡ଼ା ଯୋଗାଇ ଦିଆଯାଉଛି । ଲୋକମାନଙ୍କର ତାଲିମ ଏବଂ ନିଯୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରସାଶନ ପକ୍ଷରୁ କୁହାଯାଇଛି । କ୍ଷତିପୂରଣ ୨୦୦୬ ନୀତି ବଦଳରେ ୨୦୧୩ର ନୂତନ ଆଇନ ଅନୁଯାୟୀ ପ୍ରଦାନ କରିବା ପାଇଁ ଦାବି ରହିଛି । ଏହି ଦାବିର ପ୍ରତିଉତ୍ତରରେ ପ୍ରଶାସନ ସ୍ପଷ୍ଟ କରିଛି ଯେ, ୨୦୦୬ ପଲିସି (ସପ୍ତମ ସଂଶୋଧନ ସହିତ) ଲୋକଙ୍କୁ ଭଲ ସୁବିଧା ଓ ଆର୍ଥିକ ରାଶି ମିଳିପାରୁଛି । ଅନେକ ଲୋକ ପାଖାପାଖି ୩-୪ ଏକର କୃଷି ଜମି ହରାଇଛନ୍ତି ଏବଂ ପ୍ରକଳ୍ପ ତରଫରୁ ସେମାନଙ୍କୁ କେବଳ ଘର ଡିହ ଓ କ୍ଷତିପୂରଣ ଅର୍ଥ ମିଳୁଛି ବୋଲି ଅସନ୍ତୋଷ ବ୍ୟକ୍ତ କରିଥିଲେ । ସରକାରଙ୍କ ନୀତି ଅନୁଯାୟୀ ସର୍ବାଧିକ ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ କୁହାଯାଇଥିଲା । ଚାକୁଣ୍ଡାପଲ୍ଲୀର ଲୋକମାନେ ଦିଆଯାଇଥିବା କଲୋନୀରେ ବସବାସ କରିବାକୁ ଅରାଜି ହେବା ସହ ରଥପୁର (ଗଞ୍ଜାମ) ଠାରେ ପ୍ରତି ପରିବାର ପାଇଁ ୫ ଏକର ଜମି ଦାବି କରିଛନ୍ତି । ଏକାସାଙ୍ଗରେ ଏତେ ପରିମାଣର ଜମି ଯୋଗାଇଦେବା ଦୁରୁହ ବ୍ୟାପାର । ତେବେ ସରକାରୀ ନୀତି ଅନୁଯାୟୀ, ଲୋକମାନେ ଚାହିଁଲେ କ୍ଷତିପୂରଣ ଟଙ୍କା ନେଇ ନିଜ ପସନ୍ଦର ସ୍ଥାନରେ ଜମି କିଣିପାରିବେ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ତୃଣମୂଳସ୍ତରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା (ଯେପରିକି ଚାକୁଣ୍ଡାପଲ୍ଲୀ ପ୍ରସଙ୍ଗ) ଏବଂ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ ‘ସବ୍-କମିଟି’ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଗଜପତି ଓ ଗଞ୍ଜାମର ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ସ୍ଥାନୀୟ ଜନପ୍ରତିନିଧି ରହିବେ ଏବଂ ଏହି କମିଟିର ପ୍ରତି ମାସର ପ୍ରଥମ ସପ୍ତାହରେ ସମୀକ୍ଷା ବୈଠକ ଡାକି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବ ଏବଂ ଏହାର ସମାଧାନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । କେବଳ ଘର ବା କ୍ଷତିପୂରଣ ନୁହେଁ, ବରଂ ଲୋକଙ୍କର ସ୍ଥାୟୀ ରୋଜଗାର ପାଇଁ ଏଗ୍ରୋ-ଟୁରିଜିମ୍ , ସ୍କିଲ୍ ଡେଭେଲପମେଣ୍ଟ ଏବଂ ସ୍ଥାନୀୟ ପ୍ରକଳ୍ପଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଜନପ୍ରତିନିଧିମାନେ ପ୍ରସ୍ତାବ ରଖିଥିଲେ । ଛେଳିଗଡ଼ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ପ୍ରତିନିଧି ଏବଂ ସ୍ଥାନୀୟ ସରପଞ୍ଚମାନେ ବୈଠକରେ ବିସ୍ଥାପିତ ଲୋକଙ୍କ ପକ୍ଷରୁ ଏକ ୧୫-ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ କରିଥିଲେ । ଖମାରିଗାଁ, ଚାକୁଣ୍ଡାପଲ୍ଲୀ ଏବଂ ସାନ୍ତ୍ରାପୁର ଭଳି ନିର୍ଦ୍ଦିଷ୍ଟ ଗ୍ରାମଗୁଡ଼ିକର ବିସ୍ଥାପନ ଜନିତ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବିନା ଆଲୋଚନା ଏବଂ ବିନା ସହମତିରେ କୌଣସି ପରିବାରକୁ ବାଧ୍ୟତାମୂଳକ ଭାବେ ଉଚ୍ଛେଦ କରାଯିବ ନାହିଁ ଏବଂ ଆଲୋଚନା ମାଧ୍ୟମରେ ସମସ୍ତ ସମାଧାନର ବାଟ ବାହାର କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଜଳସମ୍ପଦ ବିଭାଗ ନାମରେ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ଲୋକଙ୍କୁ ବ୍ୟକ୍ତିଗତ ପଟ୍ଟା ମିଳିବାରେ ବିଳମ୍ବ ହେଉଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ତେବେ ଇତିମଧ୍ୟରେ ୫୨ଟି ଏଗ୍ରିକଲଚରାଲ୍ (କୃଷି) ଏବଂ ୯୬ ହୋମ୍‌ଷ୍ଟେଡ୍ (ଘରବାରି) ଜମି ପଟ୍ଟା ପ୍ରସ୍ତୁତ ହୋଇସାରିଛି ଏବଂ ଏହା ତୁରନ୍ତ ହିତାଧିକାରୀଙ୍କୁ ବଣ୍ଟନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ବୁଡି ଅଞ୍ଚଳରେ ରହିଆସୁଥିବା ଲୋକଙ୍କ ଜଙ୍ଗଲ ଜମି ପଟ୍ଟା ଏବଂ ସେମାନଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ରାଶି ଉପରେ ଆଲୋଚନା ହୋଇଥିଲା । ଏଥିନିମନ୍ତେ ସମସ୍ତ ପଦକ୍ଷପ ନିଆଯାଇଥିବା ସମ୍ପର୍କରେ ଗଜପତି ଜିଲ୍ଲାପାଳ ବୈଠକକୁ ଅବଗତ କରିଥିଲେ । ବାଲିପାଟ ଓ ଅନ୍ୟାନ୍ୟ କଲୋନୀରେ ଥିବା ଜମିର ଅଭାବ ତଥା ମୌଳିକ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ୧୮୯୪ ବା ଅନ୍ୟ ପୁରୁଣା ଆଇନ ତୁଳନାରେ ୨୦୦୬ ପୁନର୍ବାସ ଓ ଥଇଥାନ ନୀତି କିପରି ଅଧିକ ଲାଭଦାୟକ ଓ ଲୋକାଭିମୁଖୀ, ସେ ବିଷୟରେ ଉପସ୍ଥିତ ଅଧିକାରୀମାନେ ବୁଝାଇଥିଲେ । ସରକାରଙ୍କ ଆଗାମୀ ନୂତନ ଥଇଥାନ ନୀତି ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା । କଲୋନୀଗୁଡ଼ିକୁ ସ୍ଥାନାନ୍ତର ହେବା ପୂର୍ବରୁ ସମ୍ପୂର୍ଣ୍ଣ ରୂପେ ପାନୀୟ ଜଳ, ଆଭ୍ୟନ୍ତରୀଣ ରାସ୍ତା, ବିଦ୍ୟାଳୟ ଏବଂ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରିବାକୁ ଜନପ୍ରତିନିଧିମାନେ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ସହ ସଂଯୁକ୍ତ ସମସ୍ତ ଅଧିକାରୀଙ୍କୁ ବିସ୍ଥାପିତ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ସହ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟଶେଷ କରିବାକୁ ବୈଠକରେ ଅଧ୍ୟକ୍ଷତା କରୁଥିବା ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଏବଂ ସାଂସଦ/ ବିଧାୟକମାନେ ପରାମର୍ଶ ଦେଇଥିଲେ । ବରିଷ୍ଠ ପ୍ରଶାସନିକ ଅଧିକାରୀ ରବୀନ୍ଦ୍ର କୁମାର କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଜପତି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.