ଟିଟିଲାଗଡ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୯ ବର୍ଷ ହେବ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ଏହି ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ହୋଇଆସୁଛି । ବଲାଙ୍ଗିର, କଳାହାଣ୍ଡି, ସୋନପୁର, ନୂଆପଡା ଆଦି ଜିଲ୍ଲା ସହିତ ରାଜ୍ୟ ବାହାରୁ ଏପରିକି ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼ ଆଦିର ବହୁ ବ୍ରାହ୍ମଣ ପିଲା ଆସି ଏହିଠାରେ ବ୍ରତୋପନୟନ ହୋଇଥାନ୍ତି । ଚଳିତ ବର୍ଷ ୯ ଜଣ ବ୍ରାହ୍ମଣ ବାଳକ ବ୍ରତୋପନୟନ ହୋଇଛନ୍ତି । ମାର୍ଚ୍ଚ ୧୧ ତାରିଖରେ ଚାରିକର୍ମ ହୋଇଥିବା ବେଳେ ୧୨ ତାରିଖରେ ବ୍ରତୋପନୟନ କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ ଯୋଗ ଦେଇଥିଲେ । ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମକୁ ପଣ୍ଡିତ ମନଧର ପଣ୍ଡା ମୁଖ୍ୟ ଆଚାର୍ଯ୍ୟ ଏବଂ ନେତ୍ରାନନ୍ଦ ମିଶ୍ର, ଅଶୋକ ରଥ, ପ୍ରଫୁଲ୍ଲ ହୋତା, ଶୋଭାକର ପୁରୋହିତ, ପ୍ରଦୀପ ପାଢ଼ୀ, ଡୋଳାମଣୀ ମିଶ୍ରଙ୍କ ସହିତ ରାଜକିଶୋର ପୁରୋହିତ ସହଯୋଗୀ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇଥିଲେ । ସମ୍ପୂର୍ଣ୍ଣ ବୈଦିକ ରୀତିନୀତି ଅନୁଯାୟୀ ଏହି ବ୍ରତୋପନୟନ କାର୍ଯ୍ୟକ୍ରମ କରାଯାଉଛି । ଏ ଅଞ୍ଚଳର ବହୁ ବ୍ରାହ୍ମଣ ପରିବାର ଏଠାରେ ବ୍ରତ ହେବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାସ, ସଂପାଦକ ସତ୍ୟବ୍ରତ ପଣ୍ଡା, ସଦସ୍ୟ ରାଜେନ୍ଦ୍ର ନାରାୟଣ ମିଶ୍ରଙ୍କ ସମେତ ସମାଜର ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.