ଏଥର ହେବନି କୁର୍ଶୁଲାର ପ୍ରସିଦ୍ଧ ମକରମେଳା : ରଥାରୁଢ ହରଗୌରୀଙ୍କୁ ଦେଖି ପାରିବେନି ଭକ୍ତ, କୋଭିଡ ଗାଇଡ୍‌ ଲାଇନ୍ ଅନୁଯାଇ ହେବ ନୀତିକାନ୍ତି

କଳାହାଣ୍ଡି, (ପି.କେ.ସାହୁ) : ପଶ୍ଚିମ ଓଡିଶାର ଅନ୍ୟତମ ପ୍ରସିଦ୍ଧ ମକରମେଳା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକର କୁର୍ଶୁଲା ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥାଏ । ଆଜକୁ ୭୦ ବର୍ଷ ତଳୁ ୧୯୫୧ ମସିହାରୁ ନୀରବଚ୍ଛିନ୍ନ ଭାବେ ଜାନୁୟାରୀ ୧୨ ତାରିଖରୁ ୧୭ ତାରିଖ ଯାଏ ମହାସମାରୋହରେ ଓ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ହୋଇ ଆସୁଥିବା ମକରମେଳା କିନ୍ତୁ ଏଥର ହେବ ନାହିଁ ବୋଲି କମିଟି ନିଷ୍ପତି ନେଇଛି । କରୋନା ମହାମାରୀ ଏଥର ଯାତ୍ରାକୁ ରୋକ୍‌ ଲଗାଇଥିବାରୁ ଅଂଚଳରେ ନିରୁତ୍ସାହ ଦେଖାଦେଇଛି । ତେବେ କୋଭିଡ ଗାଇଡ୍‌ ଲାଇନ୍‌ ଅନୁଯାଇ ସ୍ୱଳ୍ପ ସଂଖ୍ୟକ ସେବକଙ୍କ ଉପସ୍ଥିତିରେ ପରମ୍ପରା ଅନୁଯାଇ ସ୍ୱତନ୍ତ୍ର ନୀତିକାନ୍ତ କରାଯିବ ବୋଲି ଜଣାପଡିଛି । ମକରମେଳା ପରିଚାଳନା କମିଟି ସଭାପତି ଜଗତରାମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଏଥିରେ ମକରମେଳା ଆୟୋଜନ ସହ ସଂଶ୍ଳିଷ୍ଟ ଆଖପାଖ ୪୫ ଖଣ୍ଡ ଗ୍ରାମର ପ୍ରତିନିଧି ଉପସ୍ଥିତ ଥିଲେ । କୋଭିଡ କଟକଣା ହେତୁ ମକରମେଳା ଆୟୋଜନ କରାନଯାଇ ନିୟମାନୁଯାୟୀ ପୂଜାର୍ଚ୍ଚନା କରାଯିବାକୁ ସଭାରେ ସହମତି ହୋଇଥିଲା । ସଂପାଦକ କଂସାସୁର ଜାନୀ, ପୂଜକ ନେତ୍ରାନନ୍ଦ ବଡମାଳି ଙ୍କ ସମେତ କମିଟି କର୍ମକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.