କ୍ୟାବିନେଟ ମଞ୍ଜୁରି : ଦ୍ୱାବିଂଶତମ ଆଇନ ଆୟୋଗଙ୍କ କାର୍ଯ୍ୟକାଳ ୩୧ ଅଗଷ୍ଟ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ଦ୍ୱାବିଂଶତମ ଆଇନ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଭାରତ ସରକାର ବିଭିନ୍ନ ସମୟରେ ଏକ ଅଣ-ବୈଧାନିକ ସଂସ୍ଥା ଭାବେ ଭାରତର ଆଇନ ଆୟୋଗଙ୍କ ଗଠନ କରିଥାନ୍ତି। ୧୯୫୫ ମସିହାରେ ପ୍ରଥମ ଥର ପାଇଁ ଆଇନ ଆୟୋଗ ଗଠନ କରାଯାଇଥିଲା ଏବଂ ଏହା ପରଠାରୁ ବିଭିନ୍ନ ସମୟରେ ଆୟୋଗଙ୍କ ପୁନର୍ଗଠନ କରାଯାଇ ଆସୁଛି । ଭାରତର ବର୍ତ୍ତମାନର ତଥା ଦ୍ୱାବିଂଶତମ ଆଇନ ଆୟୋଗଙ୍କ କାର୍ଯ୍ୟକାଳ ୨୦ ଫେବୃଆରୀ ୨୦୨୩ରେ ଶେଷ ହେଉଥିଲା ।

ବିଭିନ୍ନ ଆଇନ ଆୟୋଗ ଦେଶରେ ଆଇନର ପ୍ରଗତିଶୀଳ ବିକାଶ ଓ କୋଡିଫିକେସନ ବା ସଂହିତାକରଣ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବାରେ ସକ୍ଷମ ହୋଇଛନ୍ତି। ଏବେ ସୁଦ୍ଧା ଆଇନ ଆୟୋଗମାନେ ୨୭୭ଟି ରିପୋର୍ଟ ଦାଖଲ କରିଛନ୍ତି ।

ଦ୍ୱାଦଶତମ ଆଇନ ଆୟୋଗଙ୍କ ଅଧ୍ୟକ୍ଷ ଓ ସଦସ୍ୟମାନେ ନିକଟରେ ପଦଭାର ଗ୍ରହଣ କରିଛନ୍ତି ଏବଂ ସେମାନେ କେତେକ ବିଳମ୍ବିତ ପ୍ରକଳ୍ପର ଅନୁଧ୍ୟାନ ଓ ରିପୋର୍ଟ କରିବାର ଦାୟିତ୍ବ ନେଇଛନ୍ତି । ବର୍ତ୍ତମାନ ଆୟୋଗଙ୍କ କାର୍ଯ୍ୟ ଜାରି ରହିଛି । ତେଣୁ ଦ୍ୱାବିଂଶତମ ଆଇନ ଆୟୋଗଙ୍କ କାର୍ଯ୍ୟକାଳକୁ ୩୧ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସମାନ ଢାଞ୍ଚା ଅନୁଯାୟୀ ଏହା କାର୍ଯ୍ୟ କରିବ ଯଥା :
କ. ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ;
ଖ. ଚାରି ଜଣ ପୂର୍ଣ୍ଣକାଳୀନ ସଦସ୍ୟ (ସଦସ୍ୟ ସଚିବଙ୍କ ସମେତ)
ଗ. ପଦାସୀନ ସଦସ୍ୟ ଭାବେ ଆଇନ ବ୍ୟାପାର ବିଭାଗର ସଚିବ;
ଘ. ପଦାସୀନ ସଦସ୍ୟ ଭାବେ ଆଇନଗତ ବିଭାଗ ସଚିବ
ଙ. ପାଞ୍ଚ ଜଣ ମଧ୍ୟରେ ଆଂଶିକ ସଦସ୍ୟ

୨୧.୦୨.୨୦୨୦ରେ ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ଆଇନ ଆୟୋଗ ନିଜ ସମ୍ପ୍ରସାରିତ କାର୍ଯ୍ୟକାଳ ସମୟରେ ନିଜର ବର୍ତ୍ତମାନର ଉତ୍ତରଦାୟିତ୍ବ ନିର୍ବାହ କରିବା ଜାରି ରଖିବ। ଏଥିରେ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ନିମ୍ନଗୁଡ଼ିକ ସାମିଲ ରହିଛି :-
(କ) ଅପ୍ରାସଙ୍ଗିକ ହୋଇପଡ଼ିଥିବା ଆଇନଗୁଡ଼ିକୁ ଚିହ୍ନଟ କରିବା ଏବଂ ଅପ୍ରଚଳିତ ଓ ଅନାବଶ୍ୟକ ଆଇନଗୁଡ଼ିକର ଉଚ୍ଛେଦ ପାଇଁ ସୁପାରିସ କରିବା;
(ଖ) ମାର୍ଗଦର୍ଶକ ସିଦ୍ଧାନ୍ତକୁ ଲାଗୁ କରିବା ଏବଂ ସମ୍ବିଧାନର ପ୍ରସ୍ତାବନାରେ ନିହିତ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା ଲାଗି ଆବଶ୍ୟକ ନୂଆ ଆଇନକୁ ଲାଗୁ କରିବା ନିମନ୍ତେ ପରାମର୍ଶ ଦେବା;
(ଗ) ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ (ଆଇନ ବ୍ୟାପାର ବିଭାଗ) ଜରିଆରେ ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ଭାବେ ସୁପାରିସ କରାଯାଇଥିବା ଆଇନ ଓ ନ୍ୟାୟିକ ପ୍ରଶାସନ ସହ ଜଡ଼ିତ ଯେକୌଣସି ବିଷୟ ଉପରେ ବିଚାର କରିବା ଏବଂ ଏ ସମ୍ପର୍କରେ ନିଜର ମତାମତ ସରକାରଙ୍କୁ ଜଣାଇବା;
(ଘ) ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ (ଆଇନ ବ୍ୟାପାର ବିଭାଗ) ମାଧ୍ୟମରେ ସରକାରଙ୍କ ଦ୍ୱାରା ସୁପାରିସ କରାଯାଇଥିବା କୌଣସି ବିଦେଶୀ ରାଷ୍ଟ୍ରକୁ ଗବେଷଣା ଯୋଗାଇ ଦେବା ପାଇଁ ଅନୁରୋଧକୁ ବିଚାର କରିବା;
(ଙ) ସବୁ ପ୍ରସଙ୍ଗ, ମାମଲା, ଅଧ୍ୟୟନ ଓ ଗବେଷଣା ଉପରେ ରିପୋର୍ଟ ପ୍ରସ୍ତୁତ କରିବା ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବା ସହିତ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ଦ୍ବାରା ଏଭଳି ରିପୋର୍ଟ ଉପରେ ପ୍ରଭାବୀ ପଦକ୍ଷେପ ନେବା ପାଇଁ ସୁପାରିସ କରିବା; ଏବଂ
(ଚ) ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା କାର୍ଯ୍ୟକୁ ସମ୍ପାଦନ କରିବା ।

Leave A Reply

Your email address will not be published.