କୋର୍ଟ ଚାଲାଣ ହେଲେ ଦୁଇ କାଠ ମାଫିଆ

ଲୋଇସିଂହା, (କେପିଏନ୍‌ଏସ୍‌) : ବେଆଇନ ଭାବେ ଜଙ୍ଗଲୀ କାଠର ଚୋରା ଚାଲାଣ କରୁଥିବା ଅଭିଯୋଗରେ ଲୋଇସିଂହା ବନ ବିଭାଗ ଦୁଇ ଜଣ କାଠ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ମତେ, ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଫଲସାମାଲ-ଡୁମେରଝରନ ରାସ୍ତାରେ ମହଦାସୁନି ସଂରକ୍ଷିତ ଜଙ୍ଗଲରୁ ଟ୍ରାକ୍ଟର ଦ୍ୱାରା ଜଙ୍ଗଲୀ କାଠ ଚୋରା ଚାଲାଣ ହେଉଥିବା ବନ ବିଭାଗ ଖବର ପାଇଥିଲା । ଲୋଇସିଂହା ଫରେଷ୍ଟ ରେଞ୍ଜର ରାଜକିଶୋର ନାଏକଙ୍କ ନିର୍ଦ୍ଦେଶ କ୍ରମେ ସରଗାଡ଼ ସେକ୍ସନ ଫରେଷ୍ଟର ଗୋବର୍ଦ୍ଧନ ପଟେଲ ଓ ଉପରବାହାଲ ବିଟ ର ବନରକ୍ଷୀ ରାଜକୁମାର ଭୁଏ ସଦଳେବଳେ ଚଢ଼ାଉ କରିବା ସହିତ ଟ୍ରାକ୍ଟରକୁ ଜବତ କରିଥିଲେ । ଟ୍ରାକ୍ଟରରେ ବିଭିନ୍ନ ଜଙ୍ଗଲୀ ଗଛର ୧୩୫ ଖଣ୍ଡ ବଲି ରହିଥିଲା । ତେବେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ସମେତ କାଠ ମାଫିଆ ଫେରାର ହେବାରେ ସକ୍ଷମ ହୋଇଥିଲେ । ଜଙ୍ଗଲୀ କାଠର ଚୋରା ଚାଲାଣ ନେଇ ବନ ବିଭାଗ ବିଭିନ୍ନ ଦିଗରୁ ଅନୁସନ୍ଧାନ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା । କାଠ ମାଫିଆଙ୍କ ସମ୍ପୃକ୍ତି ନେଇ ବନ ବିଭାଗ ଠୋସ ପ୍ରମାଣ ହାତେଇଥିଲା । ଦୀର୍ଘ ଦେଢ଼ ମାସ ପରେ ଆଜି ଲୋଇସିଂହା ବ୍ଲକ କୁଶଙ୍ଗ ଗ୍ରାମର କୁଖ୍ୟାତ କାଠ ମାଫିଆ ସାମନ୍ତ ବେହେରା ଓ ଟ୍ରାକ୍ଟର ମାଲିକ ତାଲଜୁରୀ ଗ୍ରାମର ସୁରେଶ ସାହୁଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପୂର୍ବରୁ ଅନେକ ଜଙ୍ଗଲୀ ଗଛର ଚୋରା ଚାଲାଣରେ ଉଭୟେ ସମ୍ପୃକ୍ତି ଥିବା ରେଞ୍ଜର ଶ୍ରୀ ନାଏକ ସୂଚନା ଦେଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.