- ଦେବାଶିଷ ମିଶ୍ର
ବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଥାଏ । ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅତିଥିଙ୍କ ଉପସ୍ଥିତିରେ ସଭା ସ୍ଥଳ ଭରି ରହିଥାଏ । ହେଲେ ମୁଖ୍ୟ ଅତିଥି ଆସି ନଥିବା ଯୋଗୁଁ ଏଯାଏଁ ମଞ୍ଚ ଖାଲି ପଡିଥାଏ । ଆୟୋଜକମାନେ ଅନ୍ତିମ ପ୍ରସ୍ତୁତିକୁ ଯାଞ୍ଚ କରି ଧାଁ ଦଉଡ କରିବାରେ ବ୍ୟସ୍ତ ଥିବାବେଳେ ଉପସ୍ଥିତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ନିଜ ନିଜ ଭିତରେ କ’ଣ ସବୁ ବିଷୟରେ ଚର୍ଚ୍ଚା କରୁଥାନ୍ତି । ମୋ’ ଭଳି ସାମ୍ବାଦିକଙ୍କ ପାଇଁ ତ ସବା ଆଗରେ ସ୍ପେସିଆଲ୍ ସିଟ୍ ରିଜର୍ଭ ଥାଏ । ସାମ୍ବାଦିକକୁ ଟିକିଏ ଜୁହାର ଭେଟ ହେଇ ରିଜର୍ଭ ସିଟ୍ ପାଖକୁ ନେଇ ଟିଫିନ୍ ପ୍ୟାକେଟ୍ଟା ଧରାଇଦେଲେ ଫଟୋ କିମ୍ବା ଖବରରେ ନିଶ୍ଚୟ ଆସିଯିବାର ସମ୍ଭାବନା ରହିଛି । ତା ଛଡା ଗୋଟିଏ ଦୁଇଟି ସାମ୍ବାଦିକ ସହ ଭଲ ସଂପର୍କ ଥିଲେ ବଡବାବୁଙ୍କ ବି ଖାତିର ରହେ । ଅୟୋଜକଙ୍କ ଏହି ଦୁର୍ବଳତା ମତେ ବି ବେଶ୍ ସୁହାଏ । ଏଠି ବି ସମାନ ଅବସ୍ଥା ମଞ୍ଚ ସାମନାରେ ଗଦି ବାଲା ଚଉକି ପଡିଥାଏ, ଆୟୋଜକ ଜଣକ ସୌଜନ୍ୟତା ଦେଖାଇ ମତେ ଚଉକି ପାଖକୁ ପାଛୋଟି ନେଲେ । ହେଲେ ଧାଡିର ଅନ୍ୟପଟେ ବସିଥିବା ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ସାମନାରେ ମୁହଁ ଟିକେ ଦେଖେଇ ପ୍ରଶଂସାର ଦି’ପଦ ଶୁଣିବାର ଲାଳସା ମତେ ସେମାନଙ୍କ ପାଖକୁ ଟାଣି ନେଲା । ମୁଁ ତ ଲେଖା ସାମ୍ବାଦିକ, କଉଁ ଟିଭି ମିଡିଆରେ କାମ କରୁଥିବା ଦେଖା ସାମ୍ବାଦିକ ଯେ ଲୋକ ମତେ ଦେଖୁ ଦେଖୁ ଜାଣିଯିବେ । ତେଣୁ ମତେ ଖବର ଲେଖିବା ପରେ ଖବର ଧରି ଲୋକଙ୍କୁ ଦେଖାଇ କହିବାକୁ ପଡେ ଯେ, ମୁଁ ହିଁ ଲେଖିଛି ..! ନହେଲେ ଲୋକ ଜାଣିବେ କେମିତି? ଲମ୍ବା ଜୁହାର ଟିଏ ଦେଇ ଯାଉ ଯାଉ ମହାଶୟ କହିଲେ, ଆରେ ଆରେ ବସ ବସ । ଆଉ ସବୁ କେମିତି ଚାଲିଛି? ଆଉ ନୂଆ ଖବର କଣ? ମୁଁ ବି ସାର୍ଟ କଲର୍କୁ ସଜାଡି ବାହାପିଆ ଢଙ୍ଗରେ କହିଦେଲି, ଲଗାତାର ଖବର ମାଡ଼ ପରେ ଏବେ ଶୁପ୍ତ ପୋଲିସ ଜାଗି ଉଠିଛି । ଗଳି କନ୍ଦି ପଇଁତରା ମାରି ଗୋଟି ଗୋଟି କରି ସବୁ ଚୋର ଡକାୟତ ଧରୁଛି । କାହାକୁ ସର୍ବସାଧାରଣରେ ପ୍ୟାରେଡ୍ କରାଉଛି ତ ଆଉ କିଏ ଆତ୍ମସମର୍ପଣ ନକଲେ ସମୂଳେ ଉଚ୍ଛେଦ କରାଯିବ ବୋଲି ଡିଂଡିମ ପିଟୁଛି । ଆପଣ ତ ମୋର ଲେଖା ପଢୁଥିବେ ! ଧୀରେ ଧୀରେ ସହରରେ ଆଇନ୍ ବ୍ୟବସ୍ଥା ସୁଧୁରୁଛି । ସତେ ଯେମିତି ସମସ୍ତ ପ୍ରଭାବ ମୋର ଖବରରୁ ହିଁ ପଡିଛି । ମୋର ଖବର ପଢୁ ପଢୁ ପୋଲିସ ପ୍ରଶାସନ ଲାଗି ପଡିଲେ ! ସାରା ସହରର ଚୋର ଖଣ୍ଟ ଧରି ସର୍ବସାଧାରଣ ଆଗରେ ପ୍ରସ୍ତୁତ କଲେ, ଆଉ ଏ ସବୁ ପାଇଁ ସହର ଓ ବୁଦ୍ଧିଜୀବୀ ସମାଜ ମୋ ପ୍ରତି ଋଣୀ ରହିବା କଥା । କିଛି ନ ହେଲେ କେଉଁ ସଭାରେ ଅନ୍ତତଃ ଗୋଟିଏ ସମ୍ବର୍ଦ୍ଧନା ତ ପକ୍କା ହେବା ଆବଶ୍ୟକ । ଅନ୍ୟପଟୁ ଅଜଣା ବୁଢା ଲୋକଟିଏ କହି ଉଠିଲେ – ସୁଧୁରୁଛି ନାଁ ଆହୁରି ବିଗୁଡୁଛି? ମୁଁ ଠାଣି ଦେଖାଇ ଚିନ୍ତା କଲି – ଆରେ ଆମେ ମିଡିଆ, ପ୍ରଶ୍ନ କରିବାର ଅଧିକାର ଆମର ରହିଛି । ଆଉ ଇଏ କ’ଣ ମିଡିଆକୁ ପ୍ରଶ୍ନ କରୁଛି! ସାରା ବିଶ୍ୱ ବ୍ରହ୍ମାଣ୍ଡର ଖବର ଆମେ ଦେଖାଉଛୁ, କ’ଣ ଭଲ କ’ଣ ଭେଲ ଆମେ କହୁଛୁ । ଆମେ କହିଲୁ କି ଲେଖିଦେଲୁ ମାନେ ସେଇୟା ବ୍ରହ୍ମ, ସେଇୟା ସତ୍ୟ ! ସନ୍ଦେହର କୌଣସି ଅବକାଶ ନାହିଁ । ଇଏ କିଏ ଧଳା ବଗ ପରି ବୁଢାଟିଏ, ମତେ ପୁଣି ପଚାରୁଛି! ମୋ ଠାଣି ଦେଖି ବିଖ୍ୟାତ ଓକିଲ ଆଜ୍ଞା କହିଲେ – ଏ ମିଶ୍ରେ, ଅଜ୍ଞାଙ୍କୁ ଚିହ୍ନିନ ? ଆଜ୍ଞା ଏଇ ସ୍କୁଲର ପ୍ରଥମ ହେଡ୍ ମାଷ୍ଟର । କେତେ ଛାତ୍ରଛାତ୍ରୀଙ୍କୁ ମଣିଷ କରିଛନ୍ତି, କେତେ ଯେ ବହି ଲେଖିଛନ୍ତି । ହେଲେ ସଭା ସମିତିକୁ କ୍ୱଚିତ ଯାଆନ୍ତି । ଆଜି ନିଜେ ହାତରେ ଗଢ଼ିଥିବା ସ୍କୁଲର କାର୍ଯ୍ୟକ୍ରମ ଅଛି ବୋଲି ଆସିବାକୁ ବାଧ୍ୟ ହୋଇଛନ୍ତି । ମୁଁ ଜୁହାର୍ଟେ କରି ପଚାରିଲି – କଣ ବିଗିଡିଲା ସାର୍ ? ପୋଲିସ୍ ପ୍ରଶାସନ ଶୋଇଛି ବୋଲି ଲୋକେ କେତେ କଥା କହୁଥିଲେ । ଆମେ ବି ଲୋକଙ୍କ କଥା ବ୍ୟଥାକୁ ସର୍ବସାଧାରଣରେ ପ୍ରଚାର ପ୍ରସାର କଲୁ । ବାଧ୍ୟ ହେଇ ପୋଲିସ୍ ବି ଏକ୍ସନ୍କୁ ଆସି ଅଭିଯାନ ଚଳାଇଲା । ଏବେ ଖାଲି ଅଭିଯାନ୍ ଜାରି ରହିବା କଥା । ସାରା ଚୋର, ଡକାୟତ, ଅସାମଜିକ ସାଇଜ୍ ହେଇଯିବେ । ଏବେ ଆପଣ ଖୁସି ତ ? ଆଉ ଏଥିରେ ବିଗିଡିଲା କଣ ? ବୁଢା ମାଷ୍ଟ୍ରେ କହିଲେ, ବାବୁ ତମେ ପରା ସାମ୍ବାଦିକ ! କ’ଣ ସରକାରୀ ଏଜେଣ୍ଟ ଭଳିଆ କଥାବାର୍ତ୍ତା କରୁଛ ! କଉଁ ଅଭିଯାନ କଥା କହୁଛ ? ମୁଁ ଫଟ୍ କି କହିଲି, ପୋଲିସ୍ର ଅପରାଧୀ ଦମନ ଅଭିଯାନ ! ବୁଢା ଜଣକ କହିଲେ – ଆଚ୍ଛା ! ଛୋଟ ମୋଟ ଝାମେଲା କରିଥିବା କିଛି କଅଁଳିଆ ଯୁବକ ତମକୁ ଅପରାଧୀ ଭଳି ଦେଖା ଯାଉଛନ୍ତି । ମୁଁ ପଚାରିଲି – କଣ ସେମାନେ ଅପରାଧୀ ନୁହନ୍ତି ? ବୁଢା କହିଲେ – ହୋଇଥାଇ ପାରନ୍ତି ! ଯିଏ ଅପରାଧ କଲା ସିଏ ଅପରାଧୀ । ସେମାନେ ଅପରାଧୀ ନୁହନ୍ତି ବୋଲି ମୁଁ କହୁନି । ଯଦି ସେମାନେ ପ୍ରକୃତରେ ଅପରାଧୀ ତାଙ୍କୁ ଦଣ୍ଡ ମିଳୁ । କିନ୍ତୁ ନ୍ୟାୟାଳୟରେ ସେମାନଙ୍କ ଅପରାଧ ପ୍ରମାଣିତ କରିବା ପୁର୍ବରୁ ପୋଲିସ ସେମାନଙ୍କୁ ସର୍ବସମ୍ମୁଖରେ ପ୍ୟାରେଡ୍ କରାଇବା କଣ ନ୍ୟାୟ ? ପୋଲିସ ନିଜେ ଦୋଷ ଲଗାଇବ, ନିଜେ ଧରିବ, ଆଉ ନିଜେ ସର୍ବସମ୍ମୁଖରେ ପ୍ୟାରେଡ୍ କରାଇ ଦୋଷ ପ୍ରମାଣିତ ହେବା ପୁର୍ବରୁ ମାର୍କାମରା ଅପରାଧୀ ସାବ୍ୟସ୍ତ କରିଦେବ ! ଏଇୟା କଣ ନ୍ୟାୟ ? ତାହେଲେ ବିଚାର ବିଭାଗର ଅବଶ୍ୟକତା କଣ ? ପ୍ରଶାସନ ସାରା ଜିଲ୍ଲାରେ ଆଇନ ସଚେତନତା ଶିବିର କରୁଥିବା ବେଳେ ଆଇନ ରକ୍ଷା କରୁଥିବା ପୋଲିସ ସର୍ବସମ୍ମୁଖରେ ଆଇନ ହାତକୁ ନେଇ ଆଇନ ଅଦାଲତକୁ ଉପହାସ କରୁଛି । ଏହା ପୋଲିସ୍ କେବଳ ନିଜର ଧୂମିଳ ସ୍ଥିତି ସୁଧାରୁଛି, ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନୁହେଁ ! କାହିଁ କେଉଁ ବଡ ନିଶା, ସଟ୍ଟା, କାଠ କି ମଦ ମାଫିଆ ଏଯାଏଁ ତ ଗିରଫ ହୋଇନାହାନ୍ତି । ଏସବୁ ତ ସହସରରେ ଖୁଲ୍ଲମ ଖୁଲ୍ଲା ଚାଲିଛି । ଆଉ ପୋଲିସ୍ ଛୋଟ ଛୋଟ ଦୁଇ ଚାରିଜଣ ଯୁବକଙ୍କୁ ଧରି ନିଜ ବିଭାଗୀୟ ଅଧିକାରୀଙ୍କ କଳା କାରନାମା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲେ ତ ଅତି ସୁନ୍ଦର ଭାବେ କହୁଛି ତଦନ୍ତ ଚାଲୁଛି, ସତ ସାମ୍ନାକୁ ଆସିବ । ତେବେ ଏଇ ଯୁବକମାନେ ଏମିତି କଅଣ କଲେ ଯେ, ବିନା ଆଇନ ଅଦାଲତ ମାଲି ମକଦମାରେ ତାଙ୍କୁ ଅପରାଧୀ କରି ସର୍ବସମ୍ମୁଖରେ ବୁଲାଗଲା.. ? ଏହା କରିବା ଦ୍ୱାରା କଣ ସେମାନଙ୍କ ମନରେ ଆଇନ୍ ଶୃଙ୍ଖଳା ପ୍ରତି ସମ୍ମାନ ସୃଷ୍ଟି ହେବ । ନୁହେଁ, ବରଂ ସେମାନେ ଆଉ ପୋଲିସ୍ ଆଇନକୁ ଖାତିର କରିବେ ନାହିଁ । ମନେରଖ, “ପ୍ରତ୍ୟେକ ମୁନୀଋଷୀଙ୍କ ଅତୀତ ଆଉ ପାପୀର ଭବିଷ୍ୟତ ଥାଏ ! ଆଜି ଯିଏ ବାଲ୍ମୀକି ସିଏ କେବେ ରତ୍ନାକର ଥିଲା, ଠିକ ସେହିପରି ଆଜି ଯିଏ ରତ୍ନାକର କାଲି ତାର ବାଲ୍ମୀକି ହେବାର ସମ୍ଭାବନା ରହିଛି । ପୋଲିସ୍ ବିଭାଗର ଏଭଳି ବେପରୁଆ ପୋଲିସ୍ଗିରି ସେ ଯୁବକମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଲା । ସୁଧୁରିବାର ସମ୍ଭାବନାକୁ ନଷ୍ଟ କରିଦେଲା ! ପାଖରେ ବସି ସବୁ ଶୁଣୁଥିବା ଓକିଲ୍ ଆଜ୍ଞା, ଲମ୍ବା ୟେସ୍ ମାରି କହିଲେ ହି ଇଜ୍ ରାଇଟ୍, ଦିସ୍ ସୁଡ୍ ବି ଦି ପଏଣ୍ଟ୍ ଅଫ୍ ଡିସ୍କସନ୍ ! ମୁଁ ମାଷ୍ଟ୍ରେଙ୍କ ସହ ପୁରାପୁରି ସହମତ ! ଓକିଲ ଆଜ୍ଞାଙ୍କ ସହମତି ପାଇବା ପରେ ବୁଢା ମାଷ୍ଟର ଆହୁରି ଜୋର୍ରେ କହିଲା, ଆହୁରି ପୋଲିସ୍ କହୁଛି – ସେମାନଙ୍କ ବିରୁଦ୍ଧରେ ଏନ୍ଏସ୍ଏ ଲଗାଇବାର ଯୋଜନା ରହିଛି । ଏନ୍ଏସ୍ଏ କ’ଣ ଜାଣିଛ ? କାହା ବିରୁଦ୍ଧରେ ଏନ୍ଏସ୍ଏ ଲଗାଯାଏ ? କେହି ତ ଜଣେ, ପ୍ରଶ୍ନ କରିନ ? ଏଭଳି ସାଧାରଣ ମାରପିଟ୍ କେସ୍ରେ ଏନ୍ଏସ୍ଏ କାହିଁକି ? କିଛି ନବୁଝି ନସୁଝି କହୁଛ କଣ ନା ପୋଲିସ୍ ଜାଗିଛି ! ସହରର ଆଇନ୍ ଶୃଙ୍ଖଳାର ପ୍ରକୃତ ସ୍ଥିତି ନସୁଧାରି ଦି’ ଚାରି ଜଣଙ୍କୁ ଧରି ଲୋକଙ୍କ ସାମନାରେ ହାତକଡି ପିନ୍ଧାଇ, ବୁଲାଇ, ବଡ ବଡ ଦଫା ଲଗାଇ ଜେଲ୍ ପଠାଇବାର ପବ୍ଲିସିଟି ଷ୍ଟଣ୍ଟ୍ କରିଦେଲେ ବାସ୍ ସମସ୍ତେ ଖୁସ୍ । କାହାର ସମୟ ଅଛି ଏତେ ତର୍ଜମା କରିବାର ? ହେଲେ ବାବୁ ତମେ ତ ସାମ୍ବାଦିକ, ତମର ଏତିକି ତ ସମ୍ବେଦନଶୀଳତା ରହିବା କଥା । ତମକୁ କଣ ଏସବୁ ଦେଖା ଯାଉନି ? ମୁଁ ମୁଣ୍ଡ ନୁଆଇଁ ଧୀରେ କହିଲି- ଦେଖା ଯାଉଛି ସାର୍ ! ବୁଢା ଆହୁରି ଚିହିଁକି ଉଠି କହିଲା, ଖାଲି ଦେଖାଗଲେ କଣ ହେବ ? ଦୃଷ୍ଟି ରହିବା ଦରକାର ! ଯିଏ ଯାହା କହିଲା, ନବୁଝି ନ ସୁଝି ଖାଲି ଗାରେଇ ଦେଲେ କଣ ହେବ ? ମୁଁ ଭାବିଲି – ଇଏ କଣ ଚିହ୍ନା ନା ପରିଚୟ, ବୁଢା କଣ ସର୍ବସମ୍ମୁଖରେ ମୋର ଟ୍ୟୁସନ୍ କଲାଣି ! ବୁଢାର ଏଭଳି ବ୍ୟବହାର ପାଇଁ ବୋଧେ କେହି ସଭା ସମିତିକୁ ଡାକୁ ନଥିବେ । କିଛି ପ୍ଲାନ୍ କରି ଦୋଷ ଛଡେଇବାକୁ ହେବ । ଏବେ ଖାଲି ଓକିଲ ଭରସା ତାଙ୍କର କେତେ ନିଉଜ୍ କରିଛି, ନିଶ୍ଚୟ ସହାଯ୍ୟ ହେବେ ! ଓକିଲ ଆଜ୍ଞାଙ୍କ ପଟେ ଦେଖି କହିଲି – ସାର୍ ତ ଘଟଣାର ପୂରା ପୋଷ୍ଟମର୍ଟମ କରିଦେଲେ ! ତେବେ ଏହି ଘଟଣାରେ ପୋଲିସ୍ର କାର୍ଯ୍ୟକଳାପ କଣ ଆଇନ୍ ସମ୍ମତ ? ଆଜ୍ଞା ତ ଓକିଲ୍, ଯାହା କହିବେ ରୋକ୍ଠୋକ୍ । ୟା’ ଦୋଷ ତା ମୁଣ୍ଟରେ ଲଦି ଦେବାରେ ବି ଓସ୍ତାଦ, ସେଇଥି ପାଇଁ ନା ବିଖ୍ୟାତ ! ମୋର ଆଶା ଅନୁରୂପ ସିଏ ସିଧା ସିଧା କହିଦେଲେ ବେଆଇନ୍ ସମ୍ପୂର୍ଣ୍ଣ ବେଆଇନ୍ । ଆଉ ଏଇ ଅଭିଯୁକ୍ତଙ୍କୁ ସର୍ବସମ୍ମୁଖରେ ପ୍ୟାରେଡ୍ କରାଇବା ତ ହ୍ୟୁମାନ ରାଇଟ୍ ଭାଓଲେସନ୍, ୟା ଉପରେ କେସ୍ ହେବା କଥା ! ମୁଁ ଭାବିଲି ଯାହା ହେଉ ଓକିଲେ ସାହା ହେଲେ, ଦୋଷ ମୋ ଉପରୁ ଟଳିଗଲା । ପୁଣି ମୋର ସାମ୍ବାଦିକ ପଣିଆକୁ ଫେରି କହିଲି – ପୋଲିସ୍ କହୁଛି ସେମାନଙ୍କ ପାଖରୁ ବନ୍ଧୁକ, ଖଣ୍ଡା, ଭୁଜାଲି ମିଳିଛି, ଫଟୋ ବି ରହିଛି ! ଓକିଲେ କହିଲେ ଆରେ ସେସବୁ ମତେ ଆଉ କହନା, ସେ ସବୁ କେମିତି ମିଳେ, ମୁଁ ଠିକ୍ ଜାଣିଛି । ତମ ପୋଲିସ୍ ସହରରେ ଆଇନ୍ ଶୃଙ୍ଖଳା ପ୍ରତିଷ୍ଠା କରିବାର ସଟ୍କଟ୍ ରାସ୍ତା ଆପଣାଇଛି । ସଫଳତା ପାଇବାର ସଟ୍କଟ୍ ରାସ୍ତା । ଆଉ ତମ ଭଳିଆ ସାମ୍ବାଦିକଙ୍କୁ ଅସ୍ତ୍ର କରୁଛି । ତମେ ବୁଝି ଯିବା କଥା । କୋର୍ଟରେ ଏଭଳି ଅନେକ ମାମଲା ରହିଛି । ମୁଁ କହିଲି- ସାର୍ ୟେ ତ ପୁରା ଚକ୍ରବ୍ୟୁହ ! ସାର୍ କହିଲେ – ହଁ ତ ଚକ୍ରବ୍ୟୁହ, ଏମାନଙ୍କ ଚକ୍ରବ୍ୟୁହରେ କେତେ ଯେ ଅଭିମନ୍ୟୁ ନିଜ ଧନ ଜୀବନ ହରାଇଛନ୍ତି ତାହାର ହିସାବ୍ ନାହିଁ । କାଲି ଘରକୁ ଆସିବ, ଆହୁରି ତଥ୍ୟ ଦେବି । ମୁଁ ହଁ ସାର୍ ମାରି ନିଜ ସିଟ୍କୁ ଫେରି ଆସି ଭାବୁଥାଏ, ପୋଲିସ ପ୍ରଶାସନ ଲୋକଙ୍କୁ ସୁଶାସନ ଯୋଗାଇ ଦେବା ସହ ସମାଜରେ ନ୍ୟାୟ ପ୍ରତିଷ୍ଠା କରିବାର ଦାଇତ୍ୱ ବହନ କରେ । କିନ୍ତୁ ଏହି ଘଟଣାରେ ଖୋଦ୍ ପୋଲିସ ସଫଳତା ପାଇବା ପାଇଁ ଅନ୍ୟାୟର ସଟକଟ୍ ବାଟ ଆପଣେଇଥିବା ସ୍ପଷ୍ଟ ଜଣାପଡୁଛି । ଲୋକେ ଏସବୁ ଜାଣିଲେ ସେମାନେ କଣ ଆଉ କେବେ ପୋଲିିସ ପ୍ରଶାସନ ଉପରେ ବିଶ୍ୱାସ ରଖିି ପାରିବେ । ବାସ୍ ଠିକ୍ ସେତେବେଳେ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲା …. ।
ମୋ. ନଂ. ୯୪୩୯୦୩୦୦୦୫