csstore

କବିତା : ଅନାମିତର ହୁଏ କବିତା

ମୃଗେଶ ବୈଷ୍ଣବ ପାଣିଗ୍ରାହୀ

ଏବେ ନୂଆ କରି
ଶୀତ ଛୁଇଁଛି ପୃଥିବୀକୁ
କୁହୁଡ଼ିର ପଣତ ତଳେ ମୁହଁ ଲୁଚେଇ
ସଲାଜେ ହସିବାର ଅଭିନୟ କରୁଛି ସହର
ଘାସଫୁଲର ଓଠରେ
ପ୍ରେମ କବିତା ଲେଖୁଛି କାକର ।

ଦୂର ଦିଗଂତ ସେପାଖୁ
ରହି ରହି ନିନାଦୁଛି,
ସୂର୍ୟ୍ୟ ବୁଡିବା ବେଳେ ଆଲୁଅର ଆଦିମ ନିନାଦ
ଦଳେ ପକ୍ଷୀଂକ ଖୁଦ ଖୁଣ୍ଟିବାର ଶବ୍ଦ
ସଭିଙ୍କ ଅଲକ୍ଷ୍ୟରେ
ତରୁଣୀଟିଏ ଚିଠି ଚିରି
ଛାତିରେ ଜାବୁଡି ଧରିବାର ଗୀତ ।

ନିଶୂନ୍ ନଈପଠାରେ
ପିଲାଏ ବାଲିଘର ଗଢି
ସାଇତି ଦେଲେଣି ନିଜ ନିଜର ଶୈଶବ
କାଶତଣ୍ଡିର ହସରେ
ହସୁଛି ଏବେ ନଈକୂଳର ଶୂନ୍ୟ ଓଠ
ପାହାଡର ଅନ୍ଧାରୀ ଗୁମ୍ଫାରୁ
ବାସୁଛି କେଉଁ ଆଦିମ ଦେବାଳୟରେ
ଘିଅ ଦୀପ ଲିଭିବାର ବାସ୍ନା ଟିକକ
କାଗଜ ଡଂଗାରେ
ଭସେଇ ଦେଲିଣି
ଶତାବ୍ଦୀଏ ନୀରବିତ ମୁହୂର୍ତ ।

ଆକାଶର କଥା ଆଉ ପଚାରନି
ସେଠି ଭଳିକି ଭଳି ଚିତ୍ର,
ଦିନରେ ମେଘର
ସୂର୍ୟ୍ୟର, ଆଲୁଅର
ନୀଳାଭ ସୁଖମାନଙ୍କର ,
ରାତିରେ ସହସ୍ରେ ତାରା ଫୁଟିବାର ଦୃଶ୍ୟ
ଉଆଁସରେ ଜହ୍ନରାତିର ଭ୍ରମ
ପୂର୍ଣ୍ଣମୀରେ ଶୀତଳ, ସ୍ନିଗ୍ଧ
ମନୋରମ ଅନ୍ଧାର ,
ଏବେ ସବୁଠି
ତୁମେ ଦେଖିଥିବା ସ୍ୱପ୍ନ
ତୁମେ ଛୁଇଁଥିବା ଆତ୍ମୀୟତା
ତୁମେ ଆଂକି ଦେଇଥିବା ମୋର ଭବିତବ୍ୟ ।

ସବୁଠି ଏବେ ତୁମରି ସୁମରଣା
ଇଶ୍ଵରୀ !
ଜାଣେ ତୁମେ ଏବେ ଖୁବ୍ ବ୍ୟସ୍ତ
ଯଦିଓ ସଭିଂକ ମଝିରେ
ଏକାକୀତ୍ୱ ତୁମର ଏକାନ୍ତ ନିଜର ।

ଅର୍ଘ୍ୟରୂପା, ଆଦର୍ଶ ପଡା, ବଲାଙ୍ଗିର – ୨
ମୋ. – ୯୬୫୮୫୭୭୫୮୦

jayashree
Leave A Reply

Your email address will not be published.