jsm

କବିତା : ଯୁଦ୍ଧସ୍ରାବା

csstore
  • ଏଲି ମହାନ୍ତି

ଯେତେବେଳେ ଏକୁଟିଆ ସ୍ତ୍ରୀ ଲୋକ
କୈାଣସି ଉଚ୍ଚ ପର୍ବତର ପାଦଦେଶରେ ଛିଡାହୁଏ
ଲୋକେ ତାକୁ ଅନ୍ୟ ଅନେକ ପାହାଡର କାହାଣୀ ଶୁଣାନ୍ତି

ଏକୁଟିଆ ସ୍ତ୍ରୀ ଲୋକ
ପର୍ବତ ଚଢିବାକୁ ଆରମ୍ଭ କରେ
ଲୋକେ ତାକୁ କହନ୍ତି ପାହାଡିଆ ରାସ୍ତାକଥା
ଜ୍ୟୋତ୍ସ୍ନା ସରୋବର ଓ ପଦ୍ମଫୁଲର ରାତି କଥା

ସ୍ତ୍ରୀ ଲୋକ, ବିଲକୁଲ ଏକୁଟିଆ
ପହଂଚେ ପର୍ବତର ଅଧା ଅଧି
ସେମାନେ ନିଆଁ ଲଗାନ୍ତି ତା’ରାସ୍ତାର ଶୁଖିଲା ପତ୍ରରେ

କାହାକୁ ସାଂଗ ନକରି ସ୍ତ୍ରୀ ଲୋକଟି
ଚଢିଯାଏ ପର୍ବତର ଶୀର୍ଷ
ଲୋକେ ଖୋଜନ୍ତି ତା’ ଦେହରେ ଦାଗ

ଏଥର ସ୍ତ୍ରୀ ଲୋକ
କପାଳରୁ ଝାଳପୋଛେ
ଅଣ୍ଟିରୁ କାଢି ଫୋପାଡିଦିଏ
ଝକମକି ପଥର ଓ ରନ୍ଧାହେବାର
ସବୁ ସରଂଜାମ

ଭୋକିଲା ଲୋକମାନେ
ତାକୁ ରୁଟି ଭଳି
ତିନିଟି ଆଙ୍ଗୁଠିରେ ଛିଣ୍ଡେଇବା ବେଳେ
ସେ ମନେପକାଏ
କେମିତି ପୋଡିଗଲାଵେଳେ
ତାକୁ କେହି ଖୁବ ତରବରରେ ଟାଣି ଆଣେ ଓ
ତତକ୍ଷଣାତ୍ ଓଲଟେଇ ପକେଇଦିଏ ସେହି
ନିଆଁରେ

ପର୍ବତର ଶୀର୍ଷ ଗୋଟେ ପ୍ରହେଳିକା/ ଗୋଟେ ମିଛ କଥା
ଖୁବ ଆସ୍ତେ ଶୁଣାଯିବା ପରି ଲାଗେ

ଇତିହାସରେ ଖୋଦେଇ
ଯୋଦ୍ଧା ନାରୀର କାହାଣୀ
କେହିଜଣେ ପଢେ ଓ ଭୁଲିଯାଏ । ।

yuvodaya
Leave A Reply

Your email address will not be published.