pakka

କବିତା : ନାଆ

kalikesh
  • ରାମକୃଷ୍ଣ

ଏଇ ନାଆ ଖଣ୍ଡିକ
ମୋର ଏକମାତ୍ର ସମ୍ବଳ
ଯାହା ସହିତ ଓହ୍ଲାଇ ଦିଆଗଲା ମୋତେ
ଏ ଅଜ୍ଞାତ ନଈ କୂଳରେ
ଯାହାକୁ ବାହି ନେବାକୁ ହେବ
ବଢିଲା ସ୍ରୋତରେ ସମୁଦ୍ରକୁ
ଆଗକୁ ତାପରେ
ପାରି ହେବାକୁ ଅଛି ସାତଟି ସମୁଦ୍ର
ଯାହାର କୂଳ କିନାରା, ବ୍ୟାପ୍ତି ଓ ଗଭୀରତା
କିଛି ଜଣା ନାହିଁ ମୋତେ ।

ଶୈଶବରେ ଏ ନାଆକୁ
କାଗଜର ଡଂଗା କରି
ଖେଳୁଥିଲି ବର୍ଷା ଜଳରେ
ଗଜା ମେଲୁଥିବା ସ୍ୱପ୍ନ ସବୁ
ଅପେକ୍ଷାରେ ଥିଲେ
ସେ ନାଆରେ ସବାର ହେବାକୁ ।

ରକ୍ତରେ ଯେତେବେଳେ ଉଠିଲା ଜୁଆର
ଏ ନାଆରେ ଶରତର ଜହ୍ନ ରାତିରେ
ନୌବିହାର କଲି ଜଳପରୀ ସହିତ ।

ତାକୁ ପୁଣି ପଠାଇ ଦେଲି ଦିନେ
ସ୍ବପ୍ନର ସୌଦାଗର ହାତରେ
ଜାଭା ସୁମାତ୍ରା ବାଲି ଓ ବର୍ଣ୍ଣିଓ
ସଂସାର ପାଲଟିଲା ସତେବା
ଫୁଲ ଫଳରେ ଭର୍ତ୍ତି ଗୋଟେ ଜାହାଜ ।

ଦିନେ ପୁଣି ତିମି ମାଛର ପିଛା କରିଥିଲି
ଏ ମୋର ଛୋଟିଆ ନାଆରେ
ସାତ ଦିନ ସାତ ରାତି ଲଢିଥିଲି
ସମୁଦ୍ର ସହିତ ଏକାକୀ ନିରସ୍ତ୍ର
ସମୟର କ୍ଷୁଧାରେ ଯଦିଓ
ତଳିତଳାଂତ ମୋର ସ୍ବପ୍ନ
ଫେରିଥିଲି ତଥାପି ତାର କଂକାଳ ସହିତ
ମୋର ନାଆରେ କିଂତୁ ଉଛୁଳୁଥିଲା
ସାତ ଜନ୍ମର ଉଲ୍ଲାସ ।

ଥଳକୂଳ ହୀନ ସମଦ୍ର ମଝିରେ ଏବେ
ଏ ମୋର ଭଂଗା ଦଦରା ନାଆ
ଏକାକୀ ଯାତ୍ରୀ ମୁଁ ଏବେ
ଆଉ ତାର ଏକାକୀ ନାଉରି
ପବନର ସହଯାତ୍ରୀ ମୁଁ
ଦିଗ ଜଣା ନାହିଁ
ବାଗ ଜଣା ନାହିଁ ବାହିବାର ।

ନାଆ ବୁଡିଯାଏ ଝଡରେ ବାରଂବାର
ସତେବା ମୁଁ ବି ବୁଡିଯାଏ ତା ସହିତ
ପୁଣି ଉଠିଆସେ ଜଳ ସମାଧିରୁ
ନାଆ ମୋତେ ଦିଏ ଜୀବନ୍ୟାସ
ଯାତ୍ରା ଜାରି ରହେ ପୁନର୍ବାର । ।

ମୋ.ନଂ. : ୭୯୭୮୦୫୫୬୩୪

pp
Leave A Reply

Your email address will not be published.

nineteen − 14 =