କରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ କରେନାର ସ୍ଥିତିକୁ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଭିଡିଓ କନଫରେନ୍ସ ଜରିଆରେ ଏନଜିଓ କର୍ମକର୍ତ୍ତା ଓ ସରପଞ୍ଚମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ମତାମତ ଲୋଡିଛନ୍ତି । ବିଶେଷ କରି ରାପିଡ ଆଣ୍ଟିଜେନ ଟେଷ୍ଟକୁ ବୃଦ୍ଧି କରିବା ସହିତ ଲକ୍ଷଣ ବିହୀନ କରୋନା ପଜିଟିଭ ବ୍ୟକ୍ତି ହୋମ ଆଇସୋଲେସନରେ କିଭଳି ରହିବେ ସେ ନେଇ ସବିଶେଷ ଆଲୋଚନା ହୋଇଥିଲା । ଜିଲ୍ଲାରେ କୋଭିଡ ପରିଚାଳନାକୁ ନେଇ ଜିଲ୍ଲାପାଳ ଏନଜିଓମାନଙ୍କ ଭୂମିକାକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଜିଲ୍ଲାରେ ହେବାକୁ ଥିବା ରାପିଡ ଆଣ୍ଟିଜେନ ଟେଷ୍ଟ ଓ ହୋମ ଆଇସୋଲେସନ ନିମସ୍ତେ ମାଇକ୍ରୋ ପ୍ଲାନିଙ୍ଗ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ବଲାଙ୍ଗିର ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା, ସେମାନଙ୍କ ଉପଯୁକ୍ତ ଦାୟିତ୍ୱ ନେବା ଓ ସଙ୍ଗରୋଧ କେନ୍ଦ୍ର ଗୁଡିକର ସୁପରିଚାଳନା କରିଥିବାରୁ ଜିଲ୍ଲାପାଳ ସରପଞ୍ଚମାନଙ୍କୁ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ରାପିଡ ଆଣ୍ଟିଜେନ ଟେଷ୍ଟ ବୃଦ୍ଧି କରାଯିବ । ତେଣୁ ଏ ସମ୍ପର୍କରେ ସରପଞ୍ଚମାନେ ସ୍ଥାନୀୟ ବିଡିଓ ଓ ମେଡିକାଲ ଅଫିସରମାନଙ୍କ ସହଯୋଗରେ ମାଇକ୍ରୋ ପ୍ଲାନିଙ୍ଗ ଯଥାଶୀଘ୍ର ପ୍ରସ୍ତୁତ କରିବା, ରାପିଡ ଆଣ୍ଟିଜେନ ଟେଷ୍ଟ ସମୟରେ କୋଭିଡ ନିୟମ ପାଳନ କରିବା ଓ ଲକ୍ଷଣ ବିହୀନ ପୋଜିଟିଭ ରୋଗୀମାନେ କିଭଳ ହୋମ ଆଇସୋଲେସନ ରହିବେ ସେ ନେଇ ଜନସାଧାରଣରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗ୍ରାମାଞ୍ଚଳରେ ଥିବା କୋଭିଡ ପରିଚାଳନା କମିଟିମାନେ ମଧ୍ୟ ଏ ନେଇ ସଚେତନତା ସୃଷ୍ଟି କରିବା ଉଚିତ ବୋଲି ଜିଲ୍ଲାପାଳ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଏନଜିଓର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିବା ବେଳେ ପରବର୍ତ୍ତି ପର୍ଯ୍ୟାୟରେ ବେଲପଡା, ପାଟଣାଗଡ, ଖପ୍ରାଖୋଲ, ଟିଟିଲାଗଡ, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ବିଡିଓ ତଥା ଏହି ବ୍ଲକ ଅନ୍ତର୍ଗତ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ ବ୍ଲକ ଅନ୍ତର୍ଗତ ପଞ୍ଚାୟତମାନଙ୍କର ସରପଞ୍ଚମାନଙ୍କ ସହ ପରବର୍ତ୍ତି ସମୟରେ ଜିଲ୍ଲାପାଳ ଆଲୋଚନା କରିବେ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.