ପର୍ୟ୍ୟଟକଙ୍କୁ ଆକୃଷ୍ଟ କରୁଛି ଗୁମ୍ଫା ଡ୍ୟାମ : କେବେ ହେବ ଏହାର ପାରିପାଶ୍ୱିର୍କ ବିକାଶ

ବଂଗୋମୁଂଡା, (ଅଶୋକ କୁମାର ଭୋଇ) : ବଲାଙ୍ଗିର ଜିଲାର ଉପାନ୍ତ ବଙ୍ଗୋମୁଣ୍ଡା ବ୍ଲକର ଜୁରାବନ୍ଧ ପଞ୍ଚାୟତର ଆଦିବାସୀ ବହୁଳ ଛତରଙ୍ଗ ଗ୍ରାମର ପ୍ରାକୃତିକ ସୌନ୍ଦର୍ୟ୍ୟରେ ଭରପୁର ଗୁମ୍ଫାଡ୍ୟାମ ଲୋକଙ୍କୁ ଟାଣି ଆଣୁଥିବା ବେଳେ ନିଜେ ଅବହେଳିତ ଅବସ୍ଥାରେ ରହି ଖୋଜୁଛି ନିଜର ପାରିପାଶ୍ୱିର୍କ ବିକାଶ ।
ବଙ୍ଗୋମୁଣ୍ଡା ବ୍ଲକର ଜୁରାବନ୍ଧ ପଞ୍ଚାୟତର ଆଦିବାସୀ ବହୁଳ ଛତରଙ୍ଗ ଗ୍ରାମ । ଛତରଦାଣ୍ଡି ଜଙ୍ଗଳର ପାଦଦେଶରେ ଆବାହମାନ କାଳରୁ ଗଢି ଉଠିଛି ଜନବସତି । ଛତରଦାଣ୍ଡି ଜଙ୍ଗଳରୁ ବହି ଆସୁଥିବା ଝରଣା ପାଣିକୁ ଆବଦ୍ଧ ରଖି ଜଳସେଚନ ଉଦ୍ଦେଶ୍ୟରେ ୧୯୭୨ ମସିହାରେ ଗୁମ୍ଫା ଡ୍ୟାମର ନିର୍ମାଣ କାମ ଆରମ୍ଭ ହୋଇଥିଲା । ୧୯୮୫ ମସିହାରେ ଡ୍ୟାମ କାମ ଶେଷ ହୋଇଥିଲା । ୩୫ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ଡ୍ୟାମକୁ ଗତ କିଛି ବର୍ଷ ହେବ ବୁଲାବୁଲି ଏବଂ ଭୋଜିଭାତ ପାଇଁ ଲୋକଙ୍କ ସୁଅ ଛୁଟୁଥିବା ବେଳେ ଏହା ଅବହେଳିତ ଅବସ୍ଥାରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପ୍ରକଲ୍ପ ନିର୍ମାଣ ସମୟରେ ଅଫିସ ଗୃହ ସହ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ । ଅଫିସ ଗୃହ ଭଙ୍ଗା ଦଦରା ହୋଇ ଯାଇଥିବା ବେଳେ ଜଳସେଚନ ନିମନ୍ତେ ଡ୍ୟାମରୁ ପାଣି ନିଷ୍କାସନ ବ୍ୟବସ୍ଥା ବର୍ତ୍ତମାନ ଅଚଳ ହୋଇପଡିଛି । ପାଣି ନିଷ୍କାସନ ବ୍ୟବସ୍ଥା ଅଚଳ ହୋଇପଡିଥିବାରୁ ଛତରଙ୍ଗ, ତାଲଚକେଲ ଗ୍ରାମର ଅନେକ ଚାଷୀ ଜଳସେଚନରୁ ବଞ୍ଚିତ ହୋଇ ଯାଉଥିବା ଅଞ୍ଚଳର କିଛି ଚାଷୀ କହନ୍ତି ।

ଡ୍ୟାମ ର ଚତୁଃପାଶ୍ୱର୍ରେ ପାହାଡ ଏବଂ ବୃକ୍ଷଲତା ଘେରି ରହିଥିବାରୁ ଏହାର ମନୋରମ ଦୃଶ୍ୟ ଏବଂ ଡ୍ୟାମର ସୌନ୍ଦର୍ୟ୍ୟ ଉପଭୋଗ କରିବା ପାଇଁ ଲୋକଙ୍କ ଆଗମନ ବୃଦ୍ଧି ପାଉଛି ।ଛତରଦାଣ୍ଡି ପାହାଡରୁ ଝରିଆସିଥିବା ଚାମ ସିଲେଟ ଝରଣାର ଜଳକୁ ପାହାଡ ପାଦଦେଶରେ ସଂରକ୍ଷଣ ରଖିବା ପାଇଁ ଡ୍ୟାମ ନିର୍ମାଣ କରାଯାଇଛି । କୃଷି କାର୍ୟ୍ୟ ପାଇଁ ଏହି ଜଳକୁ ବ୍ୟବହୃତ କରାଯାଇଥାଏ । ଡ୍ୟାମ ନିକଟରେ ଅନେକ ଲୋକ ଭୋଜିଭାତ ଜମାଇବା ପାଇଁ ଆସିଥିବା ବେଳେ ଶାନ୍ତ ପରିବେଶରେ ସୌନ୍ଦର୍ୟ୍ୟକୁ ଉପଭୋଗ କରିବା ପାଇଁ ଅନେକେ ଛୁଟିଆସିଥାନ୍ତି । ପ୍ରଶାସନର ଦୃଷ୍ଟି ଅଢୁଆଳରେ ରହିଯାଉଥିବା ଏହି ଡ୍ୟାମକୁ ଲୋକଙ୍କ ଆଗମନ ବୃଦ୍ଧି ପାଉଥିବାରୁ ଆବଶ୍ୟକ ବ୍ୟବସ୍ଥା ସହିତ ପର୍ୟ୍ୟଟନ ସ୍ଥଳର ମାନ୍ୟତା ଦାବୀ ଜୋର ଧରିବାରେ ଲାଗିଛି । ଡ୍ୟାମ ନିକଟରେ ଗାଁର ମୁନସିରାମ ପହରିଆ ଏକ ଚାଳ ଛପର ଘରେ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବ ପୂଜା କରିଆସୁଛନ୍ତି ।ଏହି ମନ୍ଦିରକୁ ଅନେକ ଭକ୍ତଙ୍କ ଭିଡ ଜମିଥାଏ । ମନ୍ଦିର ନିର୍ମାଣ ସହ ଆଲୁଅ, ସୌନ୍ଦର୍ୟ୍ୟକରଣ ସହ ପର୍ୟ୍ୟଟକଙ୍କୁ ଆକୃଷ୍ଟ ପାଇଁ ପାର୍କ ଆଦି ବ୍ୟବସ୍ଥା କରାଯାଇ ପର୍ୟ୍ୟଟନର ମାନ୍ୟତା ଦେବା ପାଇଁ ଦାବୀ ହେଉଛି । ଛତରଦାଣ୍ଡି ଜଙ୍ଗଳର ପାଶ୍ୱବର୍ତ୍ତୀ ଅଞ୍ଚଳରେ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିବା ବେଳେ ଛତରଦାଣ୍ଡିର ସଂରକ୍ଷଣ ପାଇଁ ଗୁମ୍ଫା ଡ୍ୟାମର ବିକାଶ ଏବଂ ସୁରକ୍ଷା ପାଇଁ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି । ଅଞ୍ଚଳର ଆତ୍ତ୍‌ର୍ତ୍ରାଣ ଭୋଇ, ପୁରନ୍ଦର ଭୋଇ, ଆଦିବାସୀ ନେତା ଡିଙ୍ଗର ଭୋଇ, ସୁରେଶ ଭୋଇ, ବ୍ରଜ ଭୋଇ, ଯୁଗଳ କିଶୋର ପହରିଆ, ପୁରୁଷୋତ୍ତାମ ହଂସ, ମନୁ ଭୋଇ, ତୀର୍ଥ ଭୋଇ, ଗଣେଶ ହଂସ, ଜଗବନ୍ଧୁ ଭୋଇ, ଶ୍ୟାମ ଭୋଇ ପ୍ରମୁଖ ଏହାର ସୁରକ୍ଷା ଏବଂ ବିକାଶ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି ।


ଚାମସିଲେଟ ଝରଣା ରେ ଉପଭୋଗ ପାଇଁ ଲୋକଙ୍କ ଛୁଟୁଛି ସୁଅ
ପାହାଡ ଉପରୁ ଝରି ଆସୁଥିବା ପାଣି ଗାଧୋଇବା ପାଇଁ ଦୈନିକ ଶହ ଶହ ଲୋକ ଛୁଟି ଆସୁଛନ୍ତି ଛତରଙ୍ଗ । ଗୁମ୍ଫା ଡ୍ୟାମ ରୁ ପାହାଡ ଉପରକୁ ପ୍ରାୟ ଅଧା ଘଣ୍ଟାଏ ରୁ ଅଧିକ ସମୟ ଚାଲିଲା ପରେ ପଡେ ଚାମସିଲେଟ ଝରଣା ।ପାହାଡ ଉପରୁ ଝରିଆସିଥିବା ଏହି ଝରଣା ର କେତେକ ସ୍ଥାନରେ ୧୦ ଫୁଟ ଉପରୁ ତଳକୁ ପାଣି ପଡୁଥିବା ସ୍ଥାନରେ ଗାଧୋଇବା ପାଇଁ ଦୈନିକ ଶତାଧିକ ଲୋକଙ୍କ ଭିଡ ଜମୁଛି ।ଲକଡାଉନ ସମୟରେ ଉପଭୋଗ କରିବା ପାଇଁ ଅନେକେ ଏହି ସ୍ଥାନ କୁ ପହଞ୍ଚି ଗାଧୋଇବାର ମଜା ଉଠାଉଥିବା ଦେଖିବାକୁ ମିଲୁଛି ।ଝରଣା ପାଣିରେ ଗାଧୋଇବା ସହ ପ୍ରାକୃତିକ ସୌନ୍ଦର୍ୟ୍ୟ କୁ ଉପଭୋଗ କରିବା ପାଇଁ ଲୋକେ ଧାଇଁ ଆସୁଛନ୍ତି ।ଏହି ସ୍ଥାନ କୁ ରାସ୍ତା ଏବଂ ଆବଶ୍ୟକ ବ୍ୟବସ୍ଥା କରାଗଲେ ବହୁ ପର୍ୟ୍ୟଟକ ଙ୍କ ଆଗମନ ବୃଦ୍ଧି ପାଇବ ।ଉପାନ୍ତ ଅଞ୍ଚଳରେ ରହିଥିବା ପ୍ରାକୃତିକ ସୌନ୍ଦଯ୍ୟ ଏବଂ ଶାନ୍ତ ପରିବେଶ ଲୋକଙ୍କୁ ଟାଣି ଆଣୁଛି ।ଲୋକେ ଝରଣା ପାଣି ଗାଧୋଇବାର ମଜା ନେବା ସହ ପ୍ରାକୃତିକ ସୌନ୍ଦର୍ୟ୍ୟ ରେ ଫଟୋ ଉଠାଇବା ଅନେକ ଯୁବପୀଢି ଧାଇଁ ଆସୁଛନ୍ତି ।

Leave A Reply

Your email address will not be published.