ଭାଲୁମୁଣ୍ଡାରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜନସାଧାରଣଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ : ବଙ୍ଗୋମୁଣ୍ଡାରେ ବିଜେପି କର୍ମୀଙ୍କ ବିରୋଧ ପ୍ରଦର୍ଶନ : ଗିରଫ କଲା ପୋଲିସ

ବଙ୍ଗୋମୁଣ୍ଡା, (ଅଶୋକ ଭୋଇ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲା ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ । ୧୯୨୬ କୋଟି ବ୍ୟୟ ଅଟକଳର ଲୋୟର ଇନ୍ଦ୍ର ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ବଙ୍ଗୋମୁଣ୍ଡା, ମୁରିବାହାଲ, ଟିଟିଲାଗଡ ବ୍ଲକର ୨୬ ଗୋଟି ପଞ୍ଚାୟତର ୧୧୯ ଖଣ୍ଡ ଗ୍ରାମର ୨୫ ହଜାର ଚାଷୀ ପରିବାର ଉପକୃତ ହୋଇପାରିବେ । ବଲାଙ୍ଗିର ଜିଲାର ୧୬୭୧୦ ହେକ୍ଟର ଚାଷ ଉପଯୋଗୀ ଜଳସେଚିତ ହେବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପର ଉଦଘାଟନ ଏବଂ ଜନସାଧାରଣଙ୍କୁ ଭିଡିଓ କନଫରେନିସଂ ମାଧ୍ୟମରେ ବଙ୍ଗୋମୁଣ୍ଡା ଏବଂ ସିନ୍ଧେକେଲା ଠାରେ ବ୍ଲକର ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ବ୍ଲକର ଭାଲୁମୁଣ୍ଡା ଠାରେ ଭିଡିଓ କନଫରେନସିଂ ମାଧ୍ୟମରେ ଆୟୋଜିତ ସଭାରେ ହଜାର ହଜାର ଲୋକଙ୍କ ସମାଗମ ରହିଥିଲା । ଏହି କାର୍ୟ୍ୟକ୍ରମ ଗୁଡିକର ସଫଳତା ପାଇଁ ମନ୍ତ୍ରୀ ବିଧାୟକ ତଥା ଅଧିକାରୀଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଲିଥିଲା । ଭାଲୁମୁଣ୍ଡା ଠାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, କଣ୍ଟାବାଞ୍ଜି ବିଧାୟକ ସନ୍ତୋସ ସିଂ ସାଲୁଜା, ରେଢାଖୋଲ ବିଧୟାକ ରୋହିତ ପୂଜାରୀ, ପୂର୍ବ ସାଂସଦ କଲିକେଶ ନାରାୟଣ ସିଂ ଦେଓ, ପୂର୍ବ ବିଧାୟକ ଆୟୁବ ଖାନ, ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଭାପତି ଉପେନ୍ଦ୍ର ମେହେର, ବିଜେଡି ବ୍ଲକ ସଭାପତି ତଥା ଜିଲାପରିଷଦ ଉଦ୍ଧବ ବେହେରା, ବିଡିଓ ରିପୁନାଥ ସୁନା, ତହସିଲଦାର ଗୁଣମଣି ସୁନାନୀଙ୍କ ସହ ବହୁ ବିଜେଡି ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଅଧିକାଂଶ ଜନସାଧାରଣଙ୍କ ମଧ୍ୟରେ ଅନେକ ମହିଳା ଥିଲେ । ଓଡିଶା ଜୀବିକା ମିଶନରେ କାର୍ୟ୍ୟରତ ଏମବିକେ, ସିଆରପିଙ୍କ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ପରେ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ସଭା ସରିଥିଲା । ଭାଲୁମୁଣ୍ଡା ଏବଂ ବଙ୍ଗୋମୁଣ୍ଡା ଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ବଙ୍ଗୋମୁଣ୍ଡା ଗୋଲେଇଛକ ଠାରେ ଏସଡିପିଓ ସରୋଜ କୁମାର ମହାପାତ୍ର, ଆଇଆଇସି ସତ୍ୟଜିତ କାଣ୍ଡେଲକର, ପଞ୍ଚାନନ ନାଏକଙ୍କ ସହ ଏକ ପ୍ଲାଟୁନ ଫୋର୍ସ ଏବଂ ସଭା ସ୍ଥଳରେ ପୋଲିସ ମୁତୟନ କରାଯାଥିଲା । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରି ଗୋଲେଇଛକ ଠାରେ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ । ପୋଲିସ ସେମାନଙ୍କୁ ଆଣି ବଙ୍ଗୋମୁଣ୍ଡା ଥାନାରେ ଅଟକ ରଖିଥିଲା । ପରେ କଣ୍ଟାବାଞ୍ଜି ଥାନାକୁ ନିଆଯାଇଥିଲା ।ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତରୁ ଫେରିବା ପରେ ସେମାନଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.