jayashree

ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ୫ ସାମ୍ବାଦିକଙ୍କୁ ଗିରଫ୍‌ ଘଟଣାକୁ ତୀବ୍ର ନିନ୍ଦା କଲା ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ମାଲକାନଗିରି ଜିଲ୍ଲାରେ ୫ ଜଣ ସାମ୍ବାଦିକଙ୍କୁ ଗିରଫ୍‌ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ୍‌ କରାଯାଇ ଗଣମାଧ୍ୟମର କଣ୍ଠରୋଧ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଘର ସଭ୍ୟମାନେ ମତପ୍ରକାଶ କରିଛନ୍ତି । ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଆନଂଦ ଚଂଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରତି ଦିନକୁ ଦିନ ପ୍ରଶାସନିକ ଆକ୍ରୋଶ ବଢ଼ି ଚାଲିଥିବା ବିଷୟରେ ଆଲୋଚନା ହୋଇଥିଲା । ଉପଦେଷ୍ଟା ବାଳକୃଷ୍ଣ ମିଶ୍ର, କାର୍ୟ୍ୟକାରୀ ସଭାପତି ଅଶ୍ୱିନୀ କୁମାର ନାଏକ, ସାଧାରଣ ସଂପାଦକ ବିମଳେନ୍ଦୁ ସାହୁ, ଉପସଭାପତି ଅଜିତ କୁମାର ସାହୁ, ସାଂଗଠାନିକ ସଂପାଦକ ଦେବରାଜ ନାହାକ, କୋଷାଧ୍ୟକ୍ଷ ଶ୍ୟାମପ୍ରସାଦ ଗୁରୁ, ଯୁଗ୍ମ ସଂପାଦକ ଦେବାଶିଷ ମିଶ୍ର ଓ ଅଶୋକ ନାରାୟଣ ଭୋଇ ବରିଷ୍ଠ ସଦସ୍ୟ ସୁବାସ ମିଶ୍ରଙ୍କ ସମେତ ଉପସ୍ଥିତ ଅନ୍ୟ ସମସ୍ତ ସଂଘ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମାଲକାନଗିରି ଜିଲ୍ଲାରେ ୫ ଜଣ ସାମ୍ବାଦିକଙ୍କୁ ଗିରଫ୍‌ କରାଯିବା ଘଟଣାକୁ ନେଇ ବୈଠକରେ ଏକ ନିନ୍ଦା ପ୍ରସ୍ତାବ ଆଗତ ହୋଇଥିବା ବେଳେ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.