ବାଞ୍ଜିପାଲିରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ : ଥାନା ଘେରାଉ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲା‌ଙ୍ଗିର ଜିଲା ଲୋଇସିଂହା ଥାନା ଅଧିନ ବୁର୍ଡା ପଂଚାୟତର ବାଞ୍ଜିପାଲି ଗାଁରେ ଗାଧୋଇବାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ମାମଲା ଥାନାକୁ ଆସିଥିବା ବେଳେ ଅଭିଯୁକ୍ତକୁ ଗିରଫ ଦାବୀ ନେଇ ଗୁରୁବାର ଶତାଧିକ ଲୋକେ ଲୋଇସିଂହା ଥାନା ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି । ବାଞ୍ଜିପାଲି ବାସିନ୍ଦା ଜନୈକା ମହିଳା ଲାଲ ନାଗ(୪୫)ଙ୍କ ଅଭିଯୋଗ ମୁତାବକ, ଗତ ୨୯ ତାରିଖ ସୋମବାର ଦିନ ମଧ୍ୟାହ୍ନରେ ସେ ନିଜର ଦୁଇ ଝିଅ ସୁରିଆ ଓ ସୋନିଆଙ୍କ ସହିତ ଗାଁ ପୋଖରୀର ତୁଠରେ ଗାଧୋଉଥିଲେ । ସେମାନଙ୍କ ସହିତ ଗ୍ରାମର ଡିଲେଶ୍ୱରୀ କୁମ୍ଭାର, ରୂପକାନ୍ତି ବିଭାର, ମମତା କୁମ୍ଭାର, ନମିତା ନାଗ, ମନୀଷା କୁମ୍ଭାର ପ୍ରମୁଖ ମହିଳା ମଧ୍ୟ ସେଠାରେ ଗାଧୋଉଥିଲେ । ଏହି ସମୟରେ ଗ୍ରାମର ଗୋଲାପ ସାହୁ, ମିଶ୍ର ସାହୁ, ରମେଶ ସାହୁ ଓ ସତ୍ୟ ସାହୁ ସେଠାକୁ ଆସି ଅସବର୍ଣ୍ଣ ମହିଳା ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତୁଠକୁ ଆସି ଗାଧୋଇଥିଲେ । ଫଳରେ ଲଜ୍ଜା ବଶତଃ ଉକ୍ତ ମହିଳାମାନେ ଘରକୁ ଫେରି ଆସିଥିଲେ । ସେହିଦିନ ପୁଣି ଅପରାହ୍ନ ୪ ଟାରେ ଗ୍ରାମର ପିତ ସାହୁଙ୍କ ପୁଅ ଟିକେନ୍ ସାହୁ ଅସବର୍ଣ୍ଣ ପଡାକୁ ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଦେଖିନେବାକୁ ଧମକ ଚମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଲୋଇସିଂହା ଥାନାରେ ଆଦିବାସୀ ହରିଜନ ନିର୍ୟ୍ୟାତନା ଆଇନ ଅନୁଯାୟୀ ଏକ ମାମଲା (କେସ ନଂ-୮୪/ ତା.୩୦/୦୩/୨୦୨୧) ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଜଣାଯାଇଛି । ତେବେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ଶତାଧିକ ଅସବର୍ଣ୍ଣ ପୁରୁଷ ଓ ମହିଳା ଲୋଇସିଂହା ଥାନା ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ବଲା‌ଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ଥାନାରେ ପହଂଚି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିବା ଜଣାଯାଇଛି ।

Leave A Reply

Your email address will not be published.