ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି : ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବରଗଡ଼ ଫକୀର ମୋହନ ମେହେର, ଉପଖଂଡ ଆରକ୍ଷୀ ଅଧିକାରୀ, ପଦ୍ମପୁର ବିଭୂତି ଭୁଷଣ ଭୋଇ, ଝାରବନ୍ଧ ବିଡିଓ ପୁରୁଷୋତ୍ତମ ମିର୍ଦ୍ଧା, ତହସିଲଦାର ସୁବାଦାର ପ୍ରଧାନଙ୍କ ସହ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି । ଏଥିରେ ମୋଟ୍ ୧୩୭ଟି ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ । ଦୁଇ ଜଣ ଦିବ୍ୟାଂଗଂକୁ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତାର ବ୍ୟବସ୍ଥା କରାଯାଇଥିଲା । ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା । ଏହି ଅଭିଯୋଗ ଶୁଣାଣିକୁ ଜନସାଧାରଣ ନିଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସିଥିଲେ । ଏହା ମଧ୍ୟରେ ୧୨୫ଟି ବ୍ୟକ୍ତିଗତ ସମସ୍ୟା ଓ ୧୨ଟି ସାମୁହିକ ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ । ମୋ ଘର, ରାସନ୍ କାର୍ଡ, ଶିକ୍ଷକ ଅଭାବ, ପାନୀୟଜଳ ଓ ବିଜୁଳି ଆଦି ଭଳି ବିଷୟରେ ଅଧିକାଂଶ ଅଭିଯୋଗ ଆସିଥିଲା । ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ନିର୍ଦ୍ଦିଷ୍ଟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ୟାର ପ୍ରତିକାର କରିବା ପାଇଁ ଉଚିତ୍ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଦୁଇଜଣ ଦିବ୍ୟାଙ୍ଗ ସହାୟତା ଆଶାରେ ଆସିଥିଲେ । ଦୋକାନ ଖୋଲିବାକୁ ଇଚ୍ଛୁକ ଥିବାରୁ ଜିଲ୍ଲାପାଳ ସେମାନଙ୍କ ଉଦ୍ୟମୀ ମାନସିକତାକୁ ପ୍ରଶଂସାକରି ଲବ ସଗରିଆଙ୍କୁ ୨୫ ହଜାର ଟଂକା ଓ ପୁଷ୍ପରାଜ ବେହେରାଂକୁ ୨୦ ହଜାର ଟଙ୍କା ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମଞ୍ଜୁର କରିଥିଲେ । ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ବେଟ୍ରିଚାଳିତ ତିନି ଚକିଆ ଯାନ ଯୋଗାଇ ଦିଆଯିବାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.