ommm
jittmm

ସ୍ୱାଧିନତାର ୭୮ବର୍ଷ ପରେ ମଧ୍ୟ ଶିକ୍ଷା ଅଧିକାର ପାଇଁ ସଂଘର୍ଷ : ଭିକ୍ଷା ମାଗି ଅସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ ନିଷ୍ପତ୍ତି ଗ୍ରହଣକଲେ ଅଞ୍ଚଳବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମରେ ଥିବା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ରେଙ୍ଗାଲି ବର୍ତ୍ତମାନ ମାତ୍ର ୨ଜଣ ଶିକ୍ଷକରେ ଚାଲିଛି । ଚଳିତ ମଇ ମାସରେ ଜଣେ ଶିକ୍ଷକ ଏବଂ ଆସନ୍ତା ଜୁନ ମାସରେ ଆଉ ଜଣେ ଶିକ୍ଷକ ଅବସର ଗ୍ରହଣ କରିବେ । ଖରାଛୁଟି ପରେ ବିଦ୍ୟାଳୟ ଖୋଲିଲା ବେଳକୁ ଶିକ୍ଷାଦାନ କରିବା ପାଇଁ ବିଦ୍ୟାଳୟରେ ଶିକ୍ଷକ ନ ଥିବେ । ଦୀର୍ଘ ବର୍ଷରୁ ମାତ୍ର ଦୁଇଜଣ ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଚାଲୁଥିଲା, ଏହି ସମସ୍ୟାକୁ ଅନେକ ଥର ସ୍ଥାନୀୟ ବିଇଓ, ଡିଇଓ, ବିଧାୟକ ତଥା ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପ୍ରକାର ସୁଫଳ ମିଳିନାହିଁ । ଏଣୁ ବାଧ୍ୟ ହୋଇ ଅଞ୍ଚଳବାସୀ ରବିବାର ଦିନ ଏକ ବୈଠକ କରିଥିଲେ । ପ୍ରଶାସନ ଏ ଦିଗରେ କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବାରୁ ଗାଁ ଗାଁ ବୁଲି ଭିକ୍ଷା ମାଗି ଅସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରେଙ୍ଗାଲି ଗ୍ରାମ ପଞ୍ଚାୟତର ରେଙ୍ଗାଲି, କପିଳବାହାଲ, ବାଗଡୁଙ୍ଗୁରି, ବୁଡ଼ାବାହାଲ ତଥା ଅନ୍ତପାଲିର ଶତାଧିକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ଆଞ୍ଚଳିକ ଶିକ୍ଷା ବିକାଶ କମିଟିର ସଭାପତି ଉଦୟ ସିଂ ଠାକୁର ଏବଂ ସମ୍ପାଦକ ହୃଷିକେଶ ସାହୁ । ଅଭିଭାବକ ତଥା ଅଞ୍ଚଳବାସୀ ମଧ୍ୟ ସରକାର ଶିକ୍ଷକ ନିଯୁକ୍ତି ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯଦି ଗ୍ରୀଷ୍ମ ଅବକାଶ ପୂର୍ବରୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଆମେ ପାଉଥିବା ପିଏମ କିସାନ, ସିଏମ କିସାନ, ସୁଭଦ୍ରା ସହାୟତା ଏବଂ ଅନ୍ୟାନ୍ୟ ସହାୟତା ନ ଦେଇ ତା ବଦଳରେ ଶିକ୍ଷକ ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଦାବି କରିବୁ ବୋଲି କହିଛନ୍ତି ।

Leave A Reply

Your email address will not be published.