ppurohit

ଇନ୍ଦ୍ରାବତୀ ଅପହଞ୍ଚ ଇଲାକାରେ ପାଞ୍ଚଜଣ ସଂକ୍ରମିତ ଶିଶୁ ଚିହ୍ନଟ

2nd

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ହାଡ଼ଶିଲ ପଞ୍ଚାୟତର ମୁନସପଦର ଗ୍ରାମରେ କେତେକ ଶିଶୁଙ୍କ ରକ୍ତ ନମୁନାରୁ ଡିପଥେରିଆ ଭୁତାଣୁ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାର ତତ୍ ସଂଲଗ୍ନ ସୀମାନ୍ତ ଅଞ୍ଚଳମାନଙ୍କରେ ଭୟ ସଂଚାର ଆରମ୍ଭ ହୋଇଯାଇଛି । ଥୁଆମୂଳ ରାମପୁର ବ୍ଲକର ପୋଡ଼ାପଦର ପଞ୍ଚାୟତର ସରଫାସ ଓ ଭୂର୍ଭୂରି ଟେମ୍ରା ଅଞ୍ଚଳରେ କିଛି ଶିଶୁଙ୍କ ମଧ୍ୟରେ ଲକ୍ଷଣ ଦେଖା ଯାଇ ଥିବାରୁ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଗୋଟିଏ ସ୍ଵତନ୍ତ୍ର ଟିମ୍‌ ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ପ୍ରଭାବିତ ଅଞ୍ଚଳ ପହଞ୍ଚିବା ସହିତ ଲକ୍ଷଣ ଦେଖାଦେଇ ଥିବା ଶିଶୁ ମାନଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥିତ ରେଣ୍ଡୋ ମାଝୀ ମେଡିକାଲ୍‌ କଲେଜକୁ ନିଆଯାଇଥିବା ସୂଚନା ମିଳିଛି । ପୋଡ଼ାପଦର ପଞ୍ଚାୟତ ଇନ୍ଦ୍ରାବତୀ ଜଳଭଣ୍ଡାର ପରିଧି ମଧ୍ୟରେ ଅବସ୍ଥିତ ରହିଥିବାରୁ ଗମନାଗମନ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟସେବା ପର୍ଯ୍ୟନ୍ତ ଅପହଞ୍ଚ ପାଲଟି ଥାଏ । ଇନ୍ଦ୍ରାବତୀ ଜଳଭଣ୍ଡାର ପୂର୍ଣ୍ଣାଙ୍ଗ ହେବା ପରେ ବର୍ଷ ବର୍ଷ ଧରି ଏହି ଅଞ୍ଚଳ ଭୌଗୋଳିକ ବାସନ୍ଦ ମଧ୍ୟରେ ରହି ଆସିଛ । ଏହି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.