ବ୍ରାହ୍ମଣୀରେ ବଡଭାଇଙ୍କୁ ଟାଙ୍ଗିଆରେ ହାଣି ଜେଲଗଲା ସାନଭାଇ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରେ ନିଜ ବଡଭାଇଙ୍କୁ ଟାଙ୍ଗିଆରେ ହାଣି ସାନଭାଇ ଜେଲ ହାଜତକୁ ଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି । ବ୍ରାହ୍ମଣୀ ଗ୍ରାମର ନିରଞ୍ଜନ ରଣାଙ୍କ ବଡ଼ପୁଅ ଲକ୍ଷ୍ମଣ ରଣା(୨୫) ଓ ସାନ ପୁଅ ତୁଲାରାମ ରଣା(୨୩)ଙ୍କ ମଧ୍ୟରେ ଗତ ୨୪ ତାରିଖ ଦିନ କୌଣସି ଏକ ଘରୋଇ ମାମଲାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ରାଗିଯାଇ ସାନଭାଇ ତୁଲାରାମ ଏକ ଟାଙ୍ଗିଆରେ ବଡଭାଇ ଲକ୍ଷ୍ମଣଙ୍କୁ ବାମ ହାତ ଓ ଅନ୍ୟାନ୍ୟ ସ୍ଥାନରେ ହାଣି ଦେଇଥିଲା । ଗୁରୁତର ଲକ୍ଷ୍ମଣଙ୍କୁ ପ୍ରଥମେ ମୁରିବାହାଲ ଓ ପରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ସେ ୨୭ତାରିଖରେ ଥାନାରେ ଏତଲା ଦେଇଥିଲେ । ଲକ୍ଷ୍ମଣଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନଂ ୩୩୬/୨୪ ରୁଜ୍ଜୁ କରି ଏସ୍‌ଆଇ ପ୍ରମୋଦ କୁମାର ପଧାନ ମାମଲାର ତଦନ୍ତ କରି ସାନଭାଇ ତୁଲାରାମଙ୍କୁ ଗିରଫ କରିଥିଲେ । ବୁଧବାର ଅଭିଯୁକ୍ତ ସାନଭାଇ ତୁଲାରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.