ଟିଟିଲାଗଡ଼ରେ ଟ୍ରାଫିକ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଟ୍ରାଫିକ ସମସ୍ୟାକୁ ନେଇ ସହରର ବିଭିନ୍ନ ଅନୁଷ୍ଠାନ, ସଂସ୍ଥାମାନଙ୍କ ସଦସ୍ୟମାନଙ୍କୁ ଡକାଇ କିପରି ଏହି ସମସ୍ୟାର ସମାଧାନ କରିହେବ ସେ ଦିଗରେ ଆଲୋଚନା ପାଇଁ ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ସଭାପତିତ୍ୱରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ୍‌ପିଓଡି ଶ୍ରୀମତୀ ଅଙ୍କିତା କୁମ୍ଭାର, ପୌରନିର୍ବାହୀ ଅଧିକାରୀ ବିପିନ ଦୀପ, ବଲାଙ୍ଗିର ଆରଟିଓ ଅଧିକାରୀ ରାଜେଶ କୁମାର ମାରାଣ୍ଡି ଉପସ୍ଥିତ ଥିଲେ ।

ସହରର ମୁଖ୍ୟତଃ ରେଳଷ୍ଟେସନଠାରୁ ଜଲାରାମ ଲଜ, ହଟଲି ଛକ ଠାରୁ ମହାବୀର ପଞ୍ଚାୟତି ଧର୍ମଶାଳା ଯାଏଁ, ହିନ୍ଦୁ ସ୍ଥାନ ସିଡ୍ସ ଠାରୁ ଆନନ୍ଦ ଡ୍ରେସେସ, ଥାନା ଛକଠାରୁ ହିନ୍ଦି ହାଇସ୍କୁଲ ଛକ, ମଦନ ଜାଲ ଛକ ଠାରୁ ସର୍ଗିଗୁଡା ରାମ ମନ୍ଦିର, ରାମ ମନ୍ଦିରଠାରୁ ଓମ ଭ୍ୟାଲି ସ୍କୁଲ ଛକ, ଶାସ୍ତ୍ରୀ ଛକ ଠାରୁ ମାଉସୀ ମନ୍ଦିର ଛକ, ହାଇସ୍କୁଲ ଠାରୁ ହନୁମାନ ମନ୍ଦିର ଯାଏଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଉପସ୍ଥିତ ଲୋକଙ୍କୁ ସେମାନଙ୍କ ମତାମତ ଲୋଡିଥିଲେ । ସହରର ମୁଖ୍ୟ ଛକ ତଥା ଭିଡ ହେଉଥିବା ସ୍ଥାନରେ ପ୍ରଥମେ ପୌର ପରିଷଦ ପକ୍ଷରୁ ପାର୍କିଂ ସ୍ଥଳ ତିଆରି, ବ୍ୟାଙ୍କମାନଙ୍କ ସମ୍ମୁଖରେ ବିନା ପାର୍କିଂ ଥାଇ ଗାଡି ରଖିବା, ଦୋକାନୀମାନଙ୍କ ଦୋକାନଠାରୁ ପାଞ୍ଚ ଛ ଫୁଟ ରାସ୍ତା ଉପରକୁ ଦୋକାନ ବଢେଇବା ପାଇଁ ଏହି ଟ୍ରାଫିକ ସମସ୍ୟାର ଉତ୍ପତ୍ତି, ସେହିପରି ସହରରେ ଗାଡି ପାର୍କିଂ ସ୍ଥଳ ନ ଥିବାରୁ ଲୋକେ ଗାଡି ଦୋକାନ ସାମ୍ନାରେ ରଖି କିଣା କିଣି କରିଥାନ୍ତି, ଟିଟିଲାଗଡ ସହରର କେଉଁ କେଉଁ ସ୍ଥାନରେ ପାର୍କିଂ ସ୍ଥଳ ରହିଛି ତାହା ଆଜି ଯାଏଁ ଜନସାଧାରଣ ଜାଣି ନାହାନ୍ତି, ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଥିଲା । ସମସ୍ତଙ୍କ କଥା ଶୁଣିବା ପରେ ହିନ୍ଦୁସ୍ଥାନ ସିଡସ ଠାରୁ ଆନନ୍ଦ ଡ୍ରେସେସ ଯାଏଁ ୱାନ ୱେ, ସହରର ସମସ୍ତ ଦୋକାନୀ ନିଜେ ଗ୍ରାହକଙ୍କୁ ଦୋକାନ ସାମ୍ନାରେ ରାସ୍ତା ଉପରେ ଗାଡ଼ି ନ ରଖିବା ପାଇଁ କହିବା, ଟ୍ରାକ୍ଟରମାନଙ୍କୁ ସହର ଭିତରକୁ ପ୍ରବେଶ ନ କରାଇ ବାହାର ପଟୁ ଛାଡ଼ିବା, ଅଯଥାରେ ରାସ୍ତା ଉପରେ ଗାଡ଼ି ନ ରଖିବା, ଭିଡ ପରିଲକ୍ଷିତ ହେଉଥିବା ଦୋକାନ ସାମ୍ନାରେ ଖଟି ନ ଜମାଇବା, ତା ସହିତ ଲୋକଙ୍କୁ ସଚେତନ କରିବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ସହର ସାରା ଘୋଷଣା କରିବା ସହ ପୋଲିସ ପେଟ୍ରୋଲିଂ ବୁଲିବା, କିଛି ସ୍ଥାନରେ ଦୋକାନୀ ଗୋଟିଏ ସପ୍ତାହ ରାସ୍ତାର ଡାହାଣ ପଟେ, ଅନ୍ୟ ସାତ ଦିନ ବାମ ପଟେ ବସାଇବାକୁ ମଧ୍ୟ ଯୋଜନା କରିବା ଭଳି ନିଷ୍ପତି ନିଆଯିବା ନେଇ ଉପଜିଲ୍ଲାପାଳ ଦୟାମୟ ପାଢୀ କହିଛନ୍ତି । ମୁଖ୍ୟତଃ ଟିଟିଲାଗଡ ପୌର ପରିଷଦ ପକ୍ଷରୁ କେତୋଟି ପାର୍କିଂ ସ୍ଥଳ ତିଆରି ହୋଇଛି ଓ କେଉଁ କେଉଁ ସ୍ଥାନରେ ରହିଛି ତାହା ଆଗ ଜନ ସାଧାରଣ ଅବଗତ ହେବା ଆବଶ୍ୟକ, ଯଦି ନାହିଁ ତା’ହେଲେ ସହରର ମୁଖ୍ୟ ସ୍ଥାନ ଗୁଡିକରେ ପାର୍କିଂ ସ୍ଥଳ ନିର୍ମାଣ କଲେ ହୁଏ ତ ବହୁତ ମାତ୍ରାରେ ଏହି ଟ୍ରାଫିକ ସମସ୍ୟାରୁ ମୁକ୍ତି ମିଳି ପାରନ୍ତା । ଯେମିତିକି ସରକାରୀ ଡାକ୍ତରଖାନା ସମ୍ମୁଖରେ ତିଆରି ହୋଇଥିବା ପାର୍କିଂ ସ୍ଥଳ ବିଷୟରେ ସମସ୍ତ ଲୋକ ଜାଣିଛନ୍ତି ଏବଂ ଲୋକ ବି ସେଠାରେ ନିର୍ଦ୍ଵନ୍ଦରେ ଗାଡି ରଖନ୍ତି, ଯାହାକି ଏକ ମାତ୍ର ସଫଳ ପାର୍କିଂ ସ୍ଥଳ ଭାବେ ଲୋକେ ଜାଣିଛନ୍ତି । ଏହି ବୈଠକରେ ଓକିଲ ସଙ୍ଘ ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ସମ୍ପାଦକ ମହେଶ ମହାନ୍ତି, ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢୀ, ସମ୍ପାଦକ ମୋହନ ଲାଲ ଜୈନ, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, କିରାନା ସଂଘ ସଭାପତି ପ୍ରଭାକର ସରାଫ, ସହରର ବିଭିନ୍ନ ପେଟ୍ରୋଲ ପମ୍ପ, ଗ୍ୟାସ ଡିପୋର ମାଲିକ, ପୂର୍ବତନ କାଉନସିଲର କେ ତ୍ରିନାଥ ରାଓ, ହିନ୍ଦୁସ୍ଥାନ ସିଡସର ସନ୍ତୋଷ କେଜ୍ରିୱାଲ, ନାଗରିକ ମଞ୍ଚର ଲକ୍ଷ୍ମୀକାନ୍ତ ମହାପାତ୍ର, ଗରିବ ସେନା ସଭାପତି ବିରେନ୍ଦ୍ର ବାଗଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.