ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ଛତାପିପଲରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଭାରତ ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ଓ ଯୋଗାଯୋଗ ବିଭାଗ ଦ୍ୱାରା ପରିଚାଳିତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜସ୍ତରୀୟ କାର୍ଯ୍ୟକ୍ରମ ଯାହା ଭୁବନେଶ୍ୱରର ଡୁନ୍‌ ଇଣ୍ଟରନେସନାଲ ସ୍କୁଲ ଠାରେ ତା.୧୮.୧୧.୨୩ ରୁ ୧୯.୧୧.୨୩ରେ ଅନୁଷ୍ଠିତ ହୋଇଥିଲା, ତାଙ୍କ ଦୀର୍ଘ ଦିନ ଧରି ବିଜ୍ଞାନ ପ୍ରତି ନିଜର ସମର୍ପିତ କାର୍ଯ୍ୟ ପାଇଁ ରାଜ୍ୟ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି । ତେଣୁ ତାଙ୍କୁ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଶ୍ରୀ ନାଏକଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ୧୨ ଜଣ ଛାତ୍ର ଛାତ୍ରୀ ରାଜ୍ୟସ୍ତରୀୟ, ୩ ଜଣ କଲିକତାରେ ଅନୁଷ୍ଠିତ ପୂର୍ବ ଭାରତୀୟ ବିଜ୍ଞାନ ମେଳା ଓ ୨ ଜଣ ଛାତ୍ର ଭୋପାଳ ଓ ଗାନ୍ଧୀନଗରରେ ଅନୁଷ୍ଠିତ ସର୍ବ ଭାରତୀୟ ବିଜ୍ଞାନମେଳାରେ ଯୋଗଦାନ କରିପାରିଛନ୍ତି । କେବଳ ନିଜ ବିଦ୍ୟାଳୟ ନୁହେଁ ତାଙ୍କ ତତ୍ୱାବଧାନରେ ମଲମୁଣ୍ଡା ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବଲାଙ୍ଗିରର ଛାତ୍ର ଛାତ୍ରୀମାନେ ମଧ୍ୟ ସଫଳତା ହାସଲ କରିଛନ୍ତି । ସେ ବର୍ତ୍ତମାନ ପୁଇଁନ୍ତଲା ବ୍ଲକ ବିଜ୍ଞାନ ସଂଯୋଜକ ଭାବେ ଦାୟିତ୍ୱ ତୁଳାଉଛନ୍ତି । ତାଙ୍କ ସଫଳତା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାଜେଶ ମିଶ୍ର, ଜିଲ୍ଲା ସଂଯୋଜକ ଆନନ୍ଦ ବଡପଣ୍ଡା, ପ୍ରଧାନ ଶିକ୍ଷକ ଭାଗିରଥି ବାଗ, ଶିକ୍ଷକ ଗୋବିନ୍ଦ ପଟେଲ, ଗୋବିନ୍ଦ ଥାଟି ଓ ଅନ୍ୟ ଶିକ୍ଷକ, ଅଭିଭାବକ ତଥା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.