ରାଜ୍ୟ ସରକାରଙ୍କ ଶିକ୍ଷା ସମ୍ପର୍କ ଯୋଜନାକୁ ସାମାଜିକ ସଂଗଠନର ସ୍ଵାଗତ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ବିଳମ୍ବରେ ହେଲେ ମଧ୍ୟ ଗାଁ ଅଞ୍ଚଳର ପିଲାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍‌ ଲାଇନ୍‌ ଶିକ୍ଷାର ବିକଳ୍ପ ଭାବେ ‘ଶିକ୍ଷା ସମ୍ପର୍କ’ କାର୍ୟ୍ୟକ୍ରମ ହାତକୁ ନେଇଥିବାରୁ ସାମାଜିକ ସଂଗଠନ ର ସଦସ୍ୟମାନେ ଏହାକୁ ସ୍ଵାଗତ କରିଛନ୍ତି ।
ଗତକାଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ‘ଶିକ୍ଷା ସମ୍ପର୍କ’ ଯୋଜନା ବିଷୟରେ ସୂଚନା ଦେଇ ଗଣମାଧ୍ୟମକୁ କହିଥିଲେ ଯେ ରାଜ୍ୟର ମୋଟ ୬୦ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କେବଳ ୨୨ ଲକ୍ଷ ପିଲା ଅନଲାଇନ ଶିକ୍ଷାର ସୁଯୋଗ ପାଉଛନ୍ତି । ତେଣୁ ଯେଉଁ ପିଲାମାନଙ୍କ ପାଖରେ ଅନଲାଇନ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ସାଧନ ନାହିଁ, ସେମାନେ ଏବେ ଏହି ଯୋଜନାରେ ନିଜ ଘର ପାଖରେ ରହି ଶିକ୍ଷା ପାଇ ପାରିବେ । ମନ୍ତ୍ରୀ ଶ୍ରୀ ଦାଶଙ୍କ ତଥ୍ୟ ଅନୁସାରେ ଲକଡାଉନ ଯୋଗୁଁ ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା ରହିଥିବା ବେଳେ ଶିକ୍ଷକମାନେ ଏଣିକି ଗାଁକୁ ଯାଇ ପିଲାମାନଙ୍କୁ ପାଠ ପଢେଇବେ । ଯୋଜନା ମୁତାବକ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସର୍ବାଧିକ ୧୦ ଜଣ ପିଲା ଏବଂ ନବମ ଏବଂ ଦଶମ ଶ୍ରେଣୀରେ ସର୍ବାଧିକ ୨୫ ଜଣ ପିଲା ଗୋଟିଏ ସ୍ଥାନରେ ଏକାବେଳେ ପାଠ ପଢିପାରିବେ ଏବଂ ଏହି ପ୍ରକ୍ରିୟାରେ କୋଭିଡ-୧୯ ଅନ୍ତର୍ଗତ ଶାରୀରିକ ଦୂରତା, ସାନିଟାଇଜରର ବ୍ୟବହାର ଏବଂ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ ।
ସାମାଜିକ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ସଂଗଠନ ଲୋକ ଉନ୍ନତି ସଂଗନ ବଲାଙ୍ଗିର , ସଇନ୍ତଳା, ଖପ୍ରାଖୋଲ, ଦେଓଗାଁ, ପାଟଣାଗଡ ଓ ଟିଟିଲାଗଡ ପକ୍ଷରୁ ଏଥିପାଇଁ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପକୁ ସ୍ଵାଗତ କରାଯାଇଛି । ଆମର ଯଥୋଚିତ ଦାବୀକୁ ସରକାର ଗ୍ରହଣ କରି “ଶିକ୍ଷା ସମ୍ପର୍କ” ଯୋଜନା ଘୋଷଣା କରିଥିବାରୁ ଆମେ ସ୍ଵାଗତ କରୁଛୁ ବୋଲି ଲୋକ ଉନ୍ନତି ସଂଗଠନ ବଲାଙ୍ଗିରର ଜିଲ୍ଲା ସଭାପତି ଶ୍ରୀମତୀ ଶାନ୍ତି ଭୋଇ, ପ୍ରମୁଖ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ତତ୍ ସହିତ ଯଥାଶୀଘ୍ର ଶିକ୍ଷାରେ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତିକାର ମୂଳକ ଶିକ୍ଷାର ବ୍ୟବସ୍ଥା କରିବା ଏବଂ ଅସଜଡା ବିଦ୍ୟାଳୟ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ମଧ୍ୟ ସଂଗଠନର ପ୍ରତିନିଧି ମାନେ ଦାବୀ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଏହି ସଂଗଠନମାନଙ୍କ ପକ୍ଷରୁ ମିଳିତ ଭାବେ ଗତ ମାସେ ହେଲା ଜାତୀୟ ଅଭିଯାନ “ହମାରି ମାଙ୍ଗ : ଆଚ୍ଛା ସ୍କୁଲ, ସୁଧାରାତ୍ମକ ଶିକ୍ଷା” ମାଧ୍ୟମରେ ଅନଲାଇନର ବିକଳ୍ପ ଶିକ୍ଷା ବ୍ୟବସ୍ଥାକୁ ଆପଣେଇବା, ଶିକ୍ଷାରେ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ପ୍ରତିକାର ମୂଳକ ଶିକ୍ଷାବ୍ୟବସ୍ଥା ଗ୍ରହଣ କରିବା ଏବଂ ଅସଜଡା ବିଦ୍ୟାଳୟ ଭିତ୍ତିଭୂମି କୁ ସଜାଡିବା ପାଇଁ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ , ଶିକ୍ଷା ମନ୍ତ୍ରୀ ଏବଂ ଅନ୍ୟାନ୍ୟ ନୀତି ପ୍ରଣୟନକାରୀ ମାନଙ୍କୁ ଚିଠି ଲେଖି ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀ ଅବଗତ କରାଯାଇଥିଲା । ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ସିନିଅର କୋଡ଼ିନେଟର ସ୍ୱର୍ଣ୍ଣଲତା ନାଏକ ।

Leave A Reply

Your email address will not be published.