ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆବର୍ଗ ଜାତି ସମ୍ପର୍କରେ ଏକ ସାଧାରଣ ସଭାରେ ରାହୁଳ ଗାନ୍ଧୀ ଦେଇଥିବା ବିବୃତ୍ତି ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗଙ୍କ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ, (ପିଆଇବି) : ଏକ ସାଧାରଣ ସଭାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆ ବର୍ଗ ଜାତି ସମ୍ପର୍କରେ ପ୍ରଶ୍ନ କରିବା ସହିତ ପ୍ରକୃତରେ ସେ ଏହି ଅନଗ୍ରସର ବର୍ଗର କି ନୁହଁନ୍ତି, ତାହାର ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଛନ୍ତି । ଏହା ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ “ମୋଧ ଘାଞ୍ଚି” ଜାତି ମଣ୍ଡଳ କମିଶନ ତାଲିକାରେ ୯୧(ଏ) କ୍ରମିକରେ ଉଲ୍ଲେଖ ଅଛି । ଗୁଜରାଟ ସରକାର “ମୋଧ ଘାଞ୍ଚି” ଜାତିକୁ ଅନଗ୍ରସର ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ୧୯୯୪ ଜୁଲାଇ ୨୫ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ । ଜାତୀୟ ଅନଗ୍ରସର ଜାତି ଆୟୋଗ ୧୯୯୭ ନଭେମ୍ବର ୧୫ରେ “ମୋଧ ଘାଞ୍ଚି” ଜାତିକୁ ଗୁଜରାଟ ରାଜ୍ୟ ପାଇଁ କେନ୍ଦ୍ରୀୟ ଅନଗ୍ରସର ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ସୁପାରିସ କରିଥିଲେ । ଏ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ୧୯୯୯ ଅକ୍ଟୋବର ୨୭ରେ ପ୍ରକାଶ ପାଇଥିଲା । ଜାତୀୟ ଅନଗ୍ରସର ବର୍ଗ ଆଇନ ୧୯୯୩ ଅନୁସାରେ କୌଣସି ଜାତି ଓ ସମ୍ପ୍ରଦାୟକୁ ଜାତୀୟ ପଛୁଆ ବର୍ଗଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଜାତୀୟ ଅନଗ୍ରସର ଜାତି ଆୟୋଗ ଯଦି ସୁପାରିସ କରନ୍ତି ତା ହେଲେ ତାହାକୁ ଗ୍ରହଣ କରିବାକୁ କେନ୍ଦ୍ର ସରକାର ସାଧାରଣତଃ ବାଧ୍ୟ ହୋଇଥାନ୍ତି । କେନ୍ଦ୍ରର ଅନ୍ୟାନ୍ୟ ପଛୁଆ ଜାତି (ଓବିସି) ତାଲିକାରେ ଗୁଜରାଟର ୧୦୪ ପ୍ରକାର ଜାତି ଓ ସମ୍ପ୍ରଦାୟ ସ୍ଥାନ ପାଇଛନ୍ତି । ସେଥି ମଧ୍ୟରେ “ମୋଧ ଘାଞ୍ଚି” ଜାତି ତାଲିକାଭୁକ୍ତ ହୋଇଛି । ଏହି ତାଲିକା ପ୍ରସ୍ତୁତି ଓ ବିଜ୍ଞପ୍ତି ପ୍ରକାଶ ପାଇବା ବେଳେ ନରେନ୍ଦ୍ର ମୋଦୀ କୌଣସି ବିଧି ପ୍ରସ୍ତୁତକାରୀ ଅଥବା କାର୍ଯ୍ୟନିର୍ବାହୀ ପଦରେ ନ ଥିଲେ ବୋଲି ଜାତୀୟ ଅନଗ୍ରସର ଜାତି ଆୟୋଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।