centurian jitm

ରାଜ୍ୟ ମହିଳା କମିଶନ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ : ମହିଳାମାନଙ୍କ ଅଧିକାର ଓ ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋଚନା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ମହିଳା କମିଶନ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ସହଯୋଗିତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ମହିଳା କମିଶନ ସଦସ୍ୟା ଜେଲିନା ପ୍ରିୟଦର୍ଶିନୀ, କମିଶନର ଅତିରକ୍ତ ଆରକ୍ଷୀ ଅଧିକ୍ଷକ ବିଜୟା ବାରୱା, କମିଶନ ସଦସ୍ୟା ସ୍ନେହାଂଜଳି ମହାନ୍ତି, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉପସ୍ଥିତ ମହିଳାମାନଙ୍କୁ ସମ୍ବୋଧିତ କରି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ.ବେହେରା ମହିଳାମାନଙ୍କ ଅଧିକାର ଓ ସେ ସଂପର୍କରେ ଥିବା ଆଇନଗତ ବ୍ୟବସ୍ଥା ସଂପର୍କରେ ମହିଳାମାନଙ୍କୁ ସଚେତନ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଏହିପରି କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି ବୋଲି ପ୍ରକାଶ କରିବା ସହ ଆଇନ ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ମହିଳା କମିଶନର ଗଠନ, ଦାୟିତ୍ୱ ଓ ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ସୂଚନା ଦେବା ସହ ଘରୋଇ ହିଂସା, ଯୌତୁକ ନିରୋଧ ଆଇନର ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋଚନା କରିବା ସହ ମହିଳାମାନେ ନିଜେ ନିଜ ଅଧିକାର ଓ ଆଇନ ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ସଭାରେ ସମ୍ବୋଧନ କରି ପୋଲିସ ତରଫରୁ ମହିଳାମାନଙ୍କ ନିମନ୍ତେ ଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ଓ ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ନାରୀ ନିର୍ଯାତନା, ବାଲ୍ୟବିବାହ, କାର୍ଯ୍ୟସ୍ଥଳୀରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା, ପୋଲିସ ତରଫରୁ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରୀ ମହିଳା ମାନଙ୍କ ଅଧିକାର ସଂପର୍କରେ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ସମାନ ପାରିଶ୍ରମିକ ଆଇନ, ଯୌତୁକ ନିରୋଧ ଆଇନ, ଘରୋଇ ହିଂସା ସୁରକ୍ଷା ଆଇନ, କର୍ମକ୍ଷେତ୍ରରେ ମହିଳା ନିର୍ଯାତନା ଆଇନ ଇତ୍ୟାଦି ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ମହିଳା କମିଶନ୍‌ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ବାରୱା ହିନ୍ଦୁ ବିବାହ ଆଇନ, ସାଇବର୍‌ ଅପରାଧ ଓ ପୋଲିସର ଭୂମିକା ସଂପର୍କରେ ଆଲୋଚନା କରିଥିଳେ । ମହିଳା କମିଶନ ସଦସ୍ୟା ଶ୍ରୀମତୀ ମହାନ୍ତି ପିସି ପିଏନ୍‌ଡିଟି ଆକ୍ଟ ଓ କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କମିଶନର ସଦସ୍ୟା ଶ୍ରୀମତୀ ପ୍ରିୟଦର୍ଶିନୀ ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଓ ବେଆଇନ ଚାଲାଣ ନିଷେଧ ଆଇନ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ଏସୋସିଏଟ୍‌ ପ୍ରଫେସର ଡା. ଦେଶବନ୍ଧୁ ବେହେରା, ଡିଏସ୍‌ଡବ୍ଲ୍ୟୁଓ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଭବବତୀ ଗୁରୁ, ସାକ୍ଷୀ ୱାନ ଷ୍ଟପ୍‌ ସେଂଟର୍‌ର କାଉନ୍‌ସିଲର ଲୀନା ବାବୁ, ମହିଳା ଓକିଏ ଏସ୍‌. ଲତାଶ୍ରୀ, ପଲ୍ଲୀ ନିକେତନ ଏନ୍‌ଜିଓର ସଂପାଦକ ଟଙ୍କଧର ମହାକୁର, ଭୁତିଆରବାହାଲ ସରପଞ୍ଚ ପୁଷ୍ପିତା ସାହୁ, ବଲାଙ୍ଗିର ସହର ଠିକାଦାରପଡ଼ା ସ୍ଥିତ ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ, ଟାଉନ ଥାନା ବଲାଙ୍ଗିରର ସବ୍‌ ଇନ୍ସପେକ୍ଟର ପୂର୍ଣିର୍ମା ଓରାମ୍‌, ସାନଗୁର୍ଜିଭଟା ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ସଂଧ୍ୟାରାଣୀ ଗିରି ଓ ସିଏଚ୍‌ସି, ବେଲପଡ଼ାର ଆଶାକର୍ମୀ ଉମା ପ୍ରଧାନଙ୍କୁ ଅତିଥିମାନେ ଉପଢେ଼øକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଏସ୍‌ଡବ୍ଲ୍ୟୁଓ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ଡିଏସ୍‌ଡବ୍ଲ୍ୟୁଓ ନାନ୍‌କୁ ସା’ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ, ୱାନ୍‌ ଷ୍ଟପ୍‌ ସେଂଟର୍‌ର କର୍ମକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ଏସ୍‌ଏଚ୍‌ଜି ସଦସ୍ୟା, ପୋଲିସ କର୍ମଚାରୀଙ୍କ ସମେତ ଏନ୍‌ଜିଓର ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!