centurian jitm

ବଲାଙ୍ଗିର ଜିଲ୍ଲାରେ ରାସ୍ତା ପ୍ରଶସ୍ତିକରଣ ପାଇଁ ୫ ବର୍ଷରେ କାଟି ଦେଲେ ୧୫ ହଜାର ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସମସ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ଥିଲା ଧାଡି ଧାଡି ପୁରାତନ ଗଛ । ଗଛ ଛାଇର ଶୀତଳ ସ୍ପର୍ଶରେ ବାଟୋଇ ଆନନ୍ଦିତ ହେଉଥିଲେ । ଜିଲ୍ଲାର ରାସ୍ତାମାନଙ୍କରେ ଯାତ୍ରା କରିବା ଅନୁଭୂତି ଅତ୍ୟନ୍ତ ମନୋମୁଗ୍ଦକର ଥିଲା । କିନ୍ତୁ ଏହା ବର୍ତ୍ତମାନ ଅତୀତ ହୋଇଯାଇଛି । ରାସ୍ତା ଗୁଡିକର ଉଭୟ ପାଶ୍ୱର୍ରେ ଆଉ ଗଛ ନାହିଁ । ଧୁ ଧୁ ଖରାରେ ଯାତ୍ରା କରିବା ଅସମ୍ଭବ ବ୍ୟାପାର ହୋଇଥିବାରୁ ଗ୍ରୀଷ୍ମ ଋତୂରେ ରାସ୍ତାଗୁଡିକ ଜନଶୂନ୍ୟ ହୋଇଯାଉଛି । ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରୀ ସଂସ୍ଥା ପକ୍ଷରୁ ଗଛ କାଟିବା ଏକ ନିୟମିତ ଏବଂ ଅତି ସହଜ ଘଟଣାରେ ପରିଣତ ହୋଇଛି । କିନ୍ତୁ ଗତ ୫ ବର୍ଷରେ ବଲାଙ୍ଗିର ଜଙ୍ଗଲ ଡିଭିଜନ ଅନ୍ତର୍ଗତ ରାସ୍ତାଗୁଡିକର ପଶସ୍ତିକରଣ ପାଇଁ କଟା ଯାଇଥିବା ଗଛ ସଂଖ୍ୟାକୁ ଦେଖିଲେ ହୋସ ଉଡିଯିବ । ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ବଲାଙ୍ଗିର ଜଙ୍ଗଲ ଡିଭିଜନ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡିଛି ଯେ, ଗତ ୫ ବର୍ଷରେ କେବଳ ରାସ୍ତା ପଶସ୍ତିକରଣ ପାଇଁ ୧୫ ହଜାରରୁ ଅଧିକ ଗଛକୁ କାଟି ଦିଆଯାଇଛି । ତଥ୍ୟରୁ ଜଣାପଡିଛି ଯେ, ୨୦୨୦-୨୧ ମସିହାରେ କଟାଯାଇଥିବା ସମୂଦାୟ ୧୩୦୯ ଗଛ ମଧ୍ୟରୁ ପାଟଣାଗଡ- ଦମକିପାଲି ରାସ୍ତାରେ କେବଳ ୧୧୮୬ ଗଛ, ୨୦୨୧-୨୨ରେ କଟାଯାଇଥିବା ସମୂଦାୟ ୧୫୨୪ ଗଛ ମଧ୍ୟରୁ ବରପାଲି- ବଲାଙ୍ଗିର ରାସ୍ତାରେ କେବଳ ୧୪୦୦ ଗଛ, ୨୦୨୨-୨୩ରେ କଟାଯାଇଥିବା ସମୂଦାୟ ୬୫୪୬ ଗଛ ମଧ୍ୟରୁ ଖପ୍ରାଖୋଲ-ହରିଶଙ୍କର ରାସ୍ତାରେ ୧୫୭୭ ଗଛ, ପାଟଣାଗଡ-ପଦ୍ମପୁର ରାସ୍ତାରେ ୧୦୯୬ ଗଛ ଓ ପାଟଣାଗଡ-ଖପ୍ରାଖୋଲ-ହରିଶଙ୍କର ରାସ୍ତାରେ କେବଳ ୧୬୦୮ଟି ଗଛ, ୨୦୨୩-୨୪ରେ କଟାଯାଇଥିବା ସମୂଦାୟ ୩୭୭୯ ଗଛ ମଧ୍ୟରୁ ବେଲଗାଁ- ରିଗଡୋଲ ରାସ୍ତାରେ ୨୧୫୦ଟି ଗଛ ଓ ଚାରଭଟା-ସତୀଘାଟ ରାସ୍ତାରେ ୧୩୬୪ ଗଛ, ୨୦୨୪-୨୫ରେ କଟାଯାଇଥିବା ସମୂଦାୟ ୧୮୫୮ଟି ଗଛ ମଧ୍ୟରୁ ଦେଓଗାଁ- ଟିକ୍ରାପଡା ରାସ୍ତାରେ ୭୦୩ ଗଛ, ଟିଟିଲାଗଡ- ସିଦ୍ଧକେଲା ରସ୍ତାରେ ୬୬୮ଟି ଗଛ ଓ ସଇନ୍ତଲା-ଟିକ୍ରାପଡା ରାସ୍ତାରେ ୩୭୫ ଗଛ ରହିଛି । ଏହା ବାଦ୍ ବିଭିନ୍ନ ରାସ୍ତାରେ ଶହ ଶହ ସଂଖ୍ୟାରେ ଗଛ କଟାଯାଇଥିବା ତଥ୍ୟରେ ରହିଛି ବୋଲି ସୂଚନା କର୍ମି ପଣ୍ଡା କହିବା ସଙ୍ଗେ ଗତ ୫ ବର୍ଷରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସମୂଦାୟ ୧୫ ହଜାର ଗଛ କଟାଯାଇଥିବା ବଲାଙ୍ଗିର ଜଙ୍ଗଲ ଡିଭିଜନର ତଥ୍ୟରେ ଦର୍ଶାଯାଇଛି । ରାସ୍ତା ପ୍ରଶସ୍ତିକରଣ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥାର ବିଚାର କରାନଯାଇ ପୁରାତନ ଗଛଗୁଡିକୁ ଅନ୍ଧ ଏବଂ ନିର୍ଦ୍ଦୟ ଭାବେ କାଟି ଦିଆଯାଇଥିବା ପଣ୍ଡା କହିଛନ୍ତି । ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ଏତେ ବ୍ୟାପକ ମାତ୍ରାରେ ଗଛ କଟାକୁ ରୋକାଯାଇ ପରିଥାନ୍ତା ବୋଲି ମଧ୍ୟ ପଣ୍ଡା କହିଛନ୍ତି । ଜିଲ୍ଲାରେ ବୃଦ୍ଧି ପାଉଥିବା ଉତ୍ତାପକୁ ହ୍ରାସ କରିବା ପାଇଁ ଚେଷ୍ଟା କରିବା ପରିବର୍ତ୍ତେ ସରକାରୀ ଏଜେନ୍ସି ଦ୍ୱାରା ବ୍ୟାପକ ଗଛକଟା ଯୋଗୁଁ ଜିଲ୍ଲରେ ଉତ୍ତାପ ଦିନକୁ ଦିନ ଆହୁରି ବୃଦ୍ଧି ପାଉଛି ବୋଲି ପଣ୍ଡା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ରାସ୍ତା କଡ ଗଛଗୁଡିକୁ ଅନ୍ଧ ଭାବରେ କଟାଯିବାରେ ରୋକ ଲଗାଇବା ପାଇଁ ପଣ୍ଡା ଉପଯୁକ୍ତ ନ୍ୟାୟିକ ଫୋରମର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

Leave A Reply

Your email address will not be published.