ବଲାଙ୍ଗିର, (କେପିଏନ୍ଏସ୍) : ଆମ ଭାରତୀୟ ପରମ୍ପରାରେ ପୂଜା ପାର୍ବଣର ବହୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଆମ ଧାର୍ମିକ ଓ ସାମାଜିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । କିନ୍ତୁ ଏସବୁ ପାଳନ କଲା ବେଳେ ଯେଉଁ ଭଳି ସଂଜମତା ଓ ସଚେତନତା ଲୋଡା ତାହାର ଅଭାବ ପରିଲକ୍ଷିତ ହେଉଛି । ଫଳରେ ମୁଖ୍ୟତଃ ଜଳ, ବାୟୁ ଓ ଶବ୍ଦ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଏବେ ପ୍ରକୃତି ଓ ପରିବେଶର ସୁରକ୍ଷା ଆମ ମାନବ ସମାଜର ପ୍ରମୁଖ ଦାୟିତ୍ଵ ଓ କର୍ତ୍ତବ୍ୟ । ପ୍ରଦୂଷଣମୁକ୍ତ ପୂଜା ପାର୍ବଣ ପାଳନ କରିବା ଦିଗରେ ନାଗରିକ ସମାଜ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବାକୁ ତତ୍ପର ହେବା ଉଚିତ । ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ତରଫରୁ ଆୟୋଜିତ “ପାର୍ବଣ ଓ ପ୍ରଦୂଷଣ” ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତପ୍ରକାଶ ପାଇଛି । ଏଥିରେ ଅତିଥି ବକ୍ତା ଭାବରେ ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଛାତ୍ର ରଞ୍ଜନ ପଧାନ, ଛାତ୍ରୀ ବି. ପ୍ରିୟଙ୍କା ଜ୍ୟୋତି, ସମାଜସେବୀ ଓ ସଙ୍ଗଠକ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ ଏବଂ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ଼ ଅକ୍ଷୟ କୁମାର ମିଶ୍ର ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ଼ ଅଭିମନ୍ୟୁ ମିଶ୍ର, ଦତ୍ତାନନ୍ଦ ପଣ୍ଡା, କସ୍ତୁରୀ ରଥ ଓ ବିଷ୍ଣୁ ବେଜ୍ ଆଲୋଚନାରେ ଅଂଶଗ୍ରହଣ କରି ନିଜସ୍ୱ ମତପ୍ରକାଶ କରିଥିଲେ । ‘ରଚନା’ର ସଦସ୍ୟ ଅଧ୍ୟାପକ ଜିତେନ୍ଦ୍ରୀୟ ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା ଏବଂ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post