ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତ ଅନ୍ତର୍ଗତ ଅମରାମୁଣ୍ଡା ଠାରେ କୃଷି ଓ କୃଷକ ସଶକ୍ତ କରଣ ଓଡିଶା ସରକାର ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ପକ୍ଷରୁ ସବୁଜ ପନିପରିବାକୁ ନେଇ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ୬ ଗୋଟି ସ୍ୱୟଂ ସହାୟକ ଦଳ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଶ୍ରାବଣୀ ମହାପାତ୍ର ଯୋଗ ଦେଇଥିବା ବେଳେ ଏଫ୍ଇଏସ୍ ତାଲିମଦାତା ମହେନ୍ଦ୍ର ପଧାନ ଓ ବିଭୁତି ପଧାନ ମଞ୍ଚାସୀନ ରହି ଜୈବିକ ପଦ୍ଧତି ମାଧ୍ୟମରେ ପନିପରିବା ଚାଷ କଲେ ଚାଷ ଉନ୍ନତମାନ ହେବା ସଂଗେ ସଂଗେ ଅଧିକ ଉପାର୍ଜନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରେ ସ୍ୱୟଂ ସହାୟକ ଦଳ ତରଫରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ପ୍ରଦର୍ଶନ କରାଯାଇଥିଲା । ଅତିଥି ମାନେ ଉକ୍ତ ଖାଦ୍ୟକୁ ଖାଇ ଖାଦ୍ୟର ମାନ ତଥା ସ୍ୱାଦ, ସ୍ୱଚ୍ଛତା ଓ ପୃଷ୍ଟିକୁ ଅନୁଧ୍ୟାନ କରି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହିସାବରେ ମନୋନୀତ କରିଥିଲେ । ଏଥି ସହିତ ବିଜୟୀ ଦଳକୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଛେଲିଆପାଟ, ଓଁ ଶାନ୍ତି, ମାହେଶ୍ୱରୀ, ମା ଲକ୍ଷ୍ମୀ, ସମଲେଇ ସ୍ୱୟଂ ସହାୟକ ଦଳ ଅଂଶ ଗ୍ରହଣ କରି ବିଭିନ୍ନ ପନିପରିବାରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗୋବିନ୍ଦ ଚନ୍ଦ୍ର ବିଶି ପରିଚାଳନା କରିଥିବା ବେଳେ ପ୍ରହଲ୍ଲାଦ ପଧାନ ଓ ନମିତା ପଧାନ ସହଯୋଗ କରିଥିଲେ ।
Prev Post