ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାସ କଲା ସୁନ୍ଦରଗଡ଼ ପୋଲିସ : ୬ ଜଣ ଦଲାଲ ଗିରଫ, କୋର୍ଟ ଚାଲାଣ

ସୁନ୍ଦରଗଡ଼, (ଦେବେନ୍ଦ୍ର ପୁରୋହିତ) : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଓ ରାଜଗାଙ୍ଗପୁର ଅଂଚଳରୁ ଯୁବତୀ ଚାଲାଣ ରାକେଟ୍‌କୁ ସୁନ୍ଦରଗଡ଼ ପୋଲିସ ଠାବ କରିବାରେ ସକ୍ଷମ ହୋଇଛି । ଏନେଇ ରାଜଗାଙ୍ଗପୁର ଏସ୍‌ଡିପିଓ ଆଶୁତୋଷ ପାଣିଗ୍ରାହୀ କୁତ୍ରା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ କୁତ୍ରା ଅଞ୍ଚଳରୁ ଏକ ନାବାଳିକା ନିରୁଦ୍ଧିଷ୍ଟ ହୋଇଥିବା ଏତଲା ହୋଇଥିଲା । ପୋଲିସ ଉକ୍ତ ଘଟଣାର ତଦନ୍ତ କରି ସୁନ୍ଦରଗଡ଼ ଜିଲ୍ଲାରେ ଯୁବତୀ ଚାଲାଣ ଦଲାଲ ସକ୍ରିୟ ଥିବା ଜାଣିବାକୁ ପାଇଥିଲା । ପରେ ଏକ ୯ ଜଣିଆ ପୋଲିସ ଦଳ ଗଠନ କରି ତଦନ୍ତ ପାଇଁ ରାଜସ୍ଥାନକୁ ଯାଇଥିଲା । ତଦନ୍ତ ସମୟରେ ସୁନ୍ଦରଗଡ଼ ଅଂଚଳରୁ ଅସହାୟ, ଗରିବ ତଥା ଚାକିରୀ ଅନ୍ୱେଷଣରେ ଥିବା ଝିଅ ମାନଙ୍କୁ ଜାଲରେ ଫସାଇ ଦଲାଲମାନେ ରାଜସ୍ଥାନରେ ୨ରୁ ୩ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଜଣାପଡିଥିଲା । ଏଠାକାର ଦଲାଲ ମାନେ ପ୍ରଥମେ ଯୁବତୀ ମାନକୁ କାବୁ କରି ନେବା ପରେ ଅକଥନୀୟ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉ ଥିବା ତଦନ୍ତ କାଳରେ ପୋଲିସ ଜାଣିବାକୁ ପାଇଥିଲା । ଯୁବତୀ ମାନଙ୍କୁ ଜୋର୍ ଜବରଦସ୍ତ ରାଜି କରାଇ ରାଜସ୍ଥାନରେ ବିବାହ କରାଇ ଦିଆଯାଉଥିଲା । ଏହି ଘଟଣାରେ ପୋଲିସ ୬ ଜଣକୁ ଗିରଫ କରିଛି । ଏଥିସହ ୨ ଜଣ ନାବାଳିକାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଉଭୟ ପୀଡିତ ଏବଂ ଅଭିଯୁକ୍ତ ସମସ୍ତେ କୁତ୍ରା ଓ ରାଜଗାଙ୍ଗପୁର ଅଞ୍ଚଳର ବୋଲି ଜଣାଯାଇଛି । ଅଭିଯୁକ୍ତ ଦଲାଲ ମାନଙ୍କ ମଧ୍ୟରେ ସୋନୁ ଶର୍ମା, ପିଙ୍କି ଦେବୀ, ଶେଖ ଅସରଫ ଅଲ୍ଲୀ, ମୋନୁ ଶର୍ମା, ସଚିନ ରାୟ, ଗୌତମ ଓ ରମେଶ ଚାନ୍ଦ କୁଶ୍ୱାହାଙ୍କୁ ପୋଲିସ ଗିରଫ କରି ଭାରତୀୟ ଦଣ୍ଡବିଧି ଅନୁଯାୟୀ ମାମଲା ରୁଜୁ ପୂର୍ବକ ସଚିନ ଓ ରମେଶକୁ ପୂର୍ବରୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.