oom

ବୋମା ପକାଇ ଟଙ୍କା ଲୁଟ ଉଦ୍ୟମ ଘଟଣା : ପାଞ୍ଚ ଗିରଫ ପିସ୍ତଲ ଓ ବାଇକ ଜବତ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ସହରର ଜନଗହଳି ରାସ୍ତାରେ ଦିନ ବେଳେ ଲଙ୍କାଗୁଣ୍ଡ ଓ ବୋମା ପକାଇ ଟଙ୍କା ଲୁଟ ଉଦ୍ୟମ ଘଟଣା କଳାହାଣ୍ଡି ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଛି । ଏହି ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣ ଡକାୟତଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି । ସୂଚନାନୁଯାୟୀ, ଭବାନୀପାଟଣା ସହରର ଜଣେ ବ୍ୟବସାୟୀଙ୍କ ଦୁଇଜଣ କର୍ମଚାରୀ ପ୍ରାୟ ସାତ ଲକ୍ଷ ଟଙ୍କା ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ ଏକ ସ୍କୁଟିରେ ଯାଉଥିଲେ । ସେହି ସମୟରେ ସହରର ମହାବୀର ପଡ଼ାର ଜନଗହଳି ପୂର୍ଣ୍ଣ ରାସ୍ତା ପୁଷ୍ପା ଲଜ୍‌ ନିକଟରେ ପୂର୍ବରୁ ଜଗି ରହିଥିବା ତିନିଜଣ ଡକାୟତ ଏକ ପଲସର ବାଇକରେ ଆସି ଦୋକାନର କର୍ମଚାରୀଙ୍କ ଉପରେ ଲଙ୍କା ଗୁଣ୍ଡ ପକାଇ ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେବାପାଇଁ ଉଦ୍ୟମ କରିଥିଲେ । କର୍ମଚାରୀମାନେ ଜୋରରେ ଚିତ୍କାର କରିବାରୁ ସ୍ଥାନୀୟ ଦୁଇଜଣ ଯୁବକ ଘଟଣା ସ୍ଥଳରେ ପହଞ୍ଚି ଡକାୟତ ମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ସେହି ସମୟରେ ଡକାୟତମାନେ ସେଠାରୁ ଖସି ଯିବାପାଇଁ ଏକ ହାତ ବୋମ ପକାଇଥିଲେ । ଉକ୍ତ ବୋମ ସ୍କୁଟିରେ ପଡିବାରୁ ବିସ୍ଫୋରଣ ହୋଇ ସ୍କୁଟିର ଆଗପଟ ଚୁରମାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଜଣେ ଡକାୟତକୁ କାବୁ କରିଥିବାବେଳେ ଦୁଇଜଣ ଡକାୟତ ଫେରାର ମାରିଥିଲେ । ଏସ୍‌ଡ଼ିପିଓ ଆଜିକ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପାଞ୍ଚଜଣ ଡକାୟତଙ୍କୁ ଧରି ଗିରଫ କରିଥିଲା । ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ନାଗରାଜ ଦେବରକୋଣ୍ଡା ଡକାୟତି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ଗିରଫ ଡକାୟତମାନେ ହେଲେ ଗଞ୍ଜାମ ସୋରଡ଼ାର ଈଶାନ ନାଏକ (୨୦), ବିରଞ୍ଚି ନାଏକ (୨୪), ବ୍ରହ୍ମପୁରର ମନୁ ନାଏକ (୨୧) ଏବଂ ଭବାନୀପାଟଣା ସହରର ଶମ୍ଭୁନଗର ପଡ଼ାର ରିଙ୍କୁ ଓରଫ ତ୍ରିଲୋଚନ ପ୍ରଧାନ ଓ ଗୋଦାମ ପଡ଼ାର ଅବଦୁଲ ସରଫରୋଜ ଖାନ ଓରଫ ବାବୁ ଖାନ । ଡକାୟତ ମାନଙ୍କ ନିକଟରୁ ଏକ ପଲସର ବାଇକ, ଏକ ପିସ୍ତଲ ଏବଂ ପାଞ୍ଚଟି ମୋବାଇଲ ଜବତ କରାଯାଇଛି । ଏ ସମ୍ପର୍କରେ ଟାଉନ ଥାନାରେ ପୃଥକ ଭାବେ ଦୁଇଟି ମାମଲା ରୁଜ୍ଜୁ କରାଯାଇଛି ।

jittmm
Leave A Reply

Your email address will not be published.