
ବରଗଡ଼, (ନିରୋଜ କୁମାର ପାଣୀ) : ସୁପ୍ରସିଦ୍ଧ ବରଗଡ଼ କାଳି ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ଅବସର ପ୍ରାପ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ରାମକୃଷ୍ଣ ଦାଶଙ୍କ ୭୫ ବର୍ଷ ବୟସରେ ଗତ ୨୮ ତାରିଖ ରାତି ୧୧.୧୫ ସମୟରେ ତାଙ୍କ ମହାନ୍ତିପଡ଼ା ଗାନ୍ଧିପାର୍କ ସମ୍ମୁଖ ବାସଭବନରେ ପରଲୋକ ଘଟି ଯାଇଛି । ଅସୁସ୍ଥତା ବଶତଃ ସେ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ । ସେ ଜଣେ ଅତ୍ୟନ୍ତ ମେଳାପି, ଧର୍ମପରାୟଣ ବ୍ୟକ୍ତି ଥିଲେ । ବରଗଡ଼ କାଲି ମନ୍ଦିର ପରିଚାଳନା କମିଟିର ଆଜୀବନ ସଦସ୍ୟ ଥିଲେ । ତାଙ୍କ ଘରୁ ପ୍ରତିବର୍ଷ ବାହାରୁଥିବା ଶ୍ରୀଜଗନ୍ନାଥ ରଥର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ଜୀବନ ବ୍ୟାପି ତୁଲାଇ ଆସୁଥିଲେ । ବ୍ୟାଙ୍କ ଚାକିରୀ ଜୀବନରେ ୧୯୮୧ରେ ସହକାରୀ ଆକାଉଣ୍ଟାଣ୍ଟ ଭାବରେ ଯୋଗଦେଇ ୨୦୦୯ରେ ଅବସର ଗ୍ରହଣ କରିଥିଲେ । ବରଗଡ଼ରେ ସ୍ୱନାମ ଧନ୍ୟ ପଣ୍ଡିତ ଜଗନ୍ନାଥ ଦାଶଙ୍କ ୪ ପୁତ୍ର ମଧ୍ୟରେ ଜ୍ୟେଷ୍ଠ ପୁତ୍ର ଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ରୁକ୍ମିଣୀ, ଦୁଇ ଝିଅ ନୀତା ପ୍ରିୟଦର୍ଶିନୀ ଓ ସ୍ୱେତା ପ୍ରିୟଦର୍ଶିନୀ, ଦୁଇ ଜାମାତା ବିଶ୍ୱେଶ୍ୱର ତ୍ରିପାଠୀ ଓ ଚିନ୍ମୟାନନ୍ଦ ମିଶ୍ର, ଦୁଇ ଭାଇ ବଟକୃଷ୍ଣ ଓ ରାଜକୃଷ୍ଣ (ଟୁଟୁ) ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ । ତାଙ୍କ ଦ୍ୱିତୀୟ ଭାଇ ବିନୟ କୃଷ୍ଣଙ୍କ ପୂର୍ବରୁ ଦେହାନ୍ତ ଘଟିଛି । ୨୯ ତାରିଖ ପୂର୍ବାହ୍ନରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଶୋଭାଯାତ୍ରା ବାହାରି ଥିଲା । କାଳି ମନ୍ଦିରରେ ପରିଚାଳନା କମିଟିର ସଦସ୍ୟ ଗଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଅଶ୍ରୁଳ ବିଦାୟ ଜଣାଇଥିଲେ । ଶବାଧାରାରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସେ ବାଲ୍ୟବନ୍ଧୁ ତଥା ମିତଥିଲେ । ଜୀରାନାଦୀ କୂଳ ସ୍ଵର୍ଗଦ୍ଵାରରେ ପାର୍ଥିବ ଶରୀରର ଅନ୍ତିମ ସତ୍କାର କ୍ରିୟା ପଣ୍ଡିତ ହରେରାମ ପଣ୍ଡା ସମ୍ପାଦନ କରିଥିବା ବେଳେ ଭାତୃଷ୍ପୁତ୍ର ଆୟୁଷ ଦାଶ ମୁଖାଗ୍ନୀ ଦେଇଥିଲେ । କାଳି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବିଜୟ ମିଶ୍ର, ଗୌରାଙ୍ଗ ନାୟକ, ରାଜେଶ ଶତପଥୀ, ଆଦିତ୍ୟ ମିଶ୍ର, ଗଣେଶ ବିଶି; ସମଲେଶ୍ଵରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମୀର ପ୍ରଧାନ, ଜଗଦୀଶ ନାୟକ, ବିଦ୍ୟାଧର କର; ଅଗ୍ରଗାମୀ ଯୁବକ ସଂଘ ପକ୍ଷରୁ ବିଶ୍ୱଜିତ ମିଶ୍ର; ଟାଉନ ବିଜେଡ଼ି ପକ୍ଷରୁ ସଭାପତି କିଶୋର ମିଶ୍ର, ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ପ୍ରସନ୍ନ ମିଶ୍ର, ବିରେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।