ଇସ୍ପାତ ନଗରୀରେ ଛଟ ପର୍ବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଚର୍ତୁଦିବସୀୟ ଆସ୍ଥା ଓ ବିଶ୍ୱାସର ପର୍ବ ଛଟ ବ୍ରତର ଆଜି ଗୁରୁବାର ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ବ୍ରତଧାରୀମାନଙ୍କ ଦ୍ୱାରା ଅର୍ପଣ କରାଯାଇଛି । ରାଉରକେଲା ଇସ୍ପାତ ସହରର ୧୮ଟି ଘାଟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପାଇଁ ବ୍ରତଧାରୀମାନେ ସେମାନଙ୍କ ପରିବାର ସହିତ ପୂଜା କରିବାକୁ ଆସିବା ସମୟରେ ଢୋଲ, ନାଗରା ଆଦି ବାଦ୍ୟଯନ୍ତ୍ର ସହିତ ଘାଟରେ ପହଞ୍ଚିଥିଲେ । ଝୁଡି ଓ କୁଲା ସାହାଯ୍ୟରେ ପୂଜା ସାମଗ୍ରୀ ସହିତ ଘାଟରେ ପହଞ୍ଚିଥିଲେ । ଘାଟଗୁଡିକୁ ସଫା କରିବା ସହ ରଙ୍ଗୀନ ଆଲୋକରେ ଆଲୋକିତ କରାଯାଇଥିଲା । ରାଉରକେଲା ମ୍ୟୁନିସିପାଲଟି କର୍ପୋରେସନ୍, ରାଉରକେଲା ଇସ୍ପାତ କାରଖାନା, ବିହାର ସାଂସ୍କୃତିକ ପରିଷଦ, ଆଦିତ୍ୟ ଘାଟ ପୂଜା କମିଟି, ସ୍ୱର୍ଣ୍ଣକାର ଯୁବ ମଞ୍ଚ, ବିହାରୀ ଯୁବ ସଂଗଠନ ପ୍ରଭୃତି ସେବା ଭିତ୍ତିକ ସଂଗଠନ ଏହି କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ । ପୋଲିସ୍ ଟିମ୍ ସମେତ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଦଳର କର୍ମଚାରୀମାନେ ଘାଟ ନିକଟରେ ନିୟୋଜିତ ଥିଲେ । ମୁଖ୍ୟତଃ ବାଲୁଘାଟ, ରୁପ ଟୋଲା ଘାଟ, ହାର୍ଡପୋକା ଘାଟ, ବେଦବ୍ୟାସ ଘାଟ, ଜାମୁନାନାକୀ ଘାଟ, ସେକ୍ଟର-୧୬, ହମୀରପୁର ଘାଟ, ତୁମକେଲା ଘାଟ, ଗୋପାବନ୍ଧୁପାଲି ପୋଖରୀ, ଝିରପାଣି ଆଦିତ୍ୟ ଘାଟ, ବିଶ୍ରା ତେତେରକେଲା ଘାଟ, ତିଲକାନଗର ବନ୍ଧମୁଣ୍ଡା କାଲିଘାଟ, ହୋଟେଲ ସନ୍ତୋଷ କମ୍ପ୍ଲେକ୍ସ ଘାଟରେ ବ୍ରତଧାରୀମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ଘାଟରେ ଉପବାସ କରୁଥିବା ମହିଳାମାନଙ୍କ ଦ୍ୱାରା ବିଭିନ୍ନ ଭକ୍ତି ଗୀତ ଗାନ କରାଯାଇଥିଲା । ବିଶେଷ କରି ରୁପଟୋଲା ଘାଟ ଓ ସେକ୍ଟର-୧୬ ତୁମକେଲା ଘାଟରେ ପୂଜା ସାମଗ୍ରୀ ସମେତ କଞ୍ଚା ଗାଈଦୁଧ ଅର୍ଘ୍ୟ ଅର୍ପଣ ପାଇଁ ରଖାଯାଇଥିଲା । ଛଟ ପର୍ବରେ ବ୍ରତଧାରୀମାନେ ନିଜ ପରିବାର ଲୋକଙ୍କ ସହିତ ପୂଜା ପାଇଁ ବିଭିନ୍ନ ଘାଟରେ ପହଞ୍ଚିଥିଲେ । ଶୁକ୍ରବାର ପ୍ରଭାତରେ ସୂର୍ଯ୍ୟୋଦୟ ସମୟରେ ବ୍ରତଧାରୀମାନେ ସୂର୍ଯ୍ୟଙ୍କୁ ଦ୍ୱିତୀୟ ଅର୍ଘ୍ୟ ଅର୍ପଣ କରିବା ପରେ ପୂଜା ସମ୍ପନ୍ନ ହେବ ।

Leave A Reply

Your email address will not be published.