ରଜ ଭଳି ନୂଆଁଖାଇ ସମୟରେ ମଧ୍ୟ କରୋନା କଟକଣାକୁ କୋହଳ କରାଯାଉ : ବଲାଙ୍ଗିର ଏକ୍ସନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାରି ମାସରୁ ଉର୍ଧ୍ବ ସମୟ ହେଲା କରୋନା କଟକଣା ଜାରୀ ରହିଛି । ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ଭାଙ୍ଗିପଡିଥିବା ସତ୍ୱେ ଜନସାଧାରଣ ଏହାକୁ ଭରପୁର ସମର୍ଥନ ଓ ସହଯୋଗ କରିଛନ୍ତି । କିନ୍ତୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ସମୟରେ କରୋନା କଟକଣା ଅସହ୍ୟ ହେଉଛି । ତେଣୁ ପୂର୍ବ ଓଡ଼ିଶାରେ ରଜ ପର୍ବ ସମୟରେ ଯେପରି କରୋନା କଟକଣାକୁ କୋହଳ କରାଯାଇଥିଲା ସେହିପରି ନୁଆଁଖାଇ ସମୟରେ ଜିଲ୍ଲାରେ କଟକଣାକୁ କୋହଳ କରାଯିବାକୁ ଦାବି କରିଛି ବଲାଙ୍ଗିର ଏକ୍ସନ କମିଟି ।
ସୂଚନାଯୋଗ୍ୟ ଯେ, ଗତ କାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ବଲାଙ୍ଗୀର ଆକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କମିଟିର ଏକ ଜରୁରି ବୈଠକ କମିଟି ଅଫିସରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଶଲାଞ୍ଚଳର ଗଣପର୍ବ ନୂଆଁଖାଇ ସମୟରେ ଜନସାଧାରଣଙ୍କ ଉପରେ କରୋନାଜନିତ ପ୍ରଭାବ ତଥା ପ୍ରଶାସନର ମନୋଭାବ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ନୂଆଁଖାଇ ସମୟରେ କଟକଣା କୋହଳ କରିବା ସଙ୍ଗେ ସଙ୍ଗେ ଜନସାଧାରଣ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାଉପରେ ବିଶେଷ ଧ୍ୟାନ ଦିଆଯିବା ନେଇ ସହମତି ପ୍ରକାଶ ପାଇଥିଲା । ପୂର୍ବ ଓଡ଼ିଶାର ମହାନ ପର୍ବ ରଜ ସମୟରେ ଯେପରି କଟକ, ଭୁବନେଶ୍ଵର ଇତ୍ୟାଦି ବିଭିନ୍ନ ସହରରେ କରୋନା କଟକଣା କୋହଳ କରା ଯାଇଥିଲା, ଠିକ ସେହିଭଳି ନୂଆଁଖାଇ ସମୟରେ ସମାନ ବ୍ୟବସ୍ଥା ବଲାଙ୍ଗିରରେ ଲାଗୁ କରିବା ଦାବୀ ନେଇ ଜିଲାପାଳଙ୍କୁ କମିଟିର ଏକ ପ୍ରତିନିଧି ମଣ୍ଡଳ ଆସନ୍ତା ୧୨ ତାରିଖରେ ସାକ୍ଷାତ କରି ଏକ ଦାବିପତ୍ର ଦେବା ସ୍ଥିରୀକୃତ ହୋଇଥିବା ସୂଚନା ଦିଆଯାଇଛି ।
ଏହି ବୈଠକରେ ମୁନା ପଟ୍ଟନାୟକ, ଗିରିଶ ସିଂହଦେଓ, ବିନୋଦ କାଲସାଏ, ରିଲୁ ରଥ, ସନ୍ତୋଷ ସାହୁ,ଭବାନୀ ଶତପଥୀ ପ୍ରମୁଖ ନିଜସ୍ବ ମତ ରଖିଥିଲେ।

Leave A Reply

Your email address will not be published.