ଲୋକକଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା!

ବଲାଙ୍ଗିର, (କେପିଏନ୍ଏସ୍) : କରୋନା ସଂକ୍ରମଣ କାଳରେ ସମସ୍ତ ବର୍ଗଙ୍କ ପାଇଁ ରାଜ୍ୟ ସରକାର ସହଯୋଗ ନିମନ୍ତେ ଯୋଜନା ପ୍ରଣୟନ କରିଥିବା ବେଳେ କଳାକାରମାନଙ୍କ ପ୍ରତି ଅଣଦେଖା କରିଥିବା ମନେ ହେଉଛି । ଏପରିକି ୫ ମାସ ପୂର୍ବରୁ କଳାକାରମାନଙ୍କଠାରୁ କାମ ନେଇ ରାଜ୍ୟ ସରକାର ସେମାନଙ୍କୁ ଉଚିତ୍ ପ୍ରାପ୍ୟ ଦେଇ ନଥିବା ଭଳି ଅପ୍ରୀତିକର ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଦାଦନ ସମସ୍ୟାର ନିରାକରଣ ଉଦେଶ୍ୟରେ ଲୋକକଳା ମାଧ୍ୟମରେ ଜନ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନାରେ ନିୟୋଜିତ ହୋଇଥିବା ଅଧିକାଂଶ ଲୋକ-କଳାକାର ସେମାନଙ୍କ ଉଚିତ୍ ପ୍ରାପ୍ୟ ପାଇବାରୁ ବଂଚିତ ହୋଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ, ୪ଟି ଜିଲ୍ଲା ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ଦାଦନ ପ୍ରବଣ ବ୍ଲକ ମାନଙ୍କରେ ଲୋକକଳା ମାଧ୍ୟମରେ ଲୋକ କଳାକାରମାନଙ୍କୁ ନେଇ ଜନ ସଚେତନତା ସୃଷ୍ଟି କରିବା ପାଇଁ ସରକାର ଗତ ୨୦୧୯ରେ ଯୋଜନା ପ୍ରସ୍ତୁତ କରିଥିଲେ । ତେବେ ଏହି ଯୋଜନାକୁ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ “ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ’ ଦ୍ୱାରା ଗତ ବର୍ଷ ନଭେମ୍ବର ୧୫ରୁ ୧୭ ତାରିଖ ତିନି ଦିନ ଧରି ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନରେ ଏକ ଟ୍ରେନିଂ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଥିଲା; ଯେଉଁଥିରେ ସଂପୃକ୍ତ ୪ଟି ଜିଲ୍ଲାର ବଛା ବଛା ଲୋକକଳା ଗୁରୁ ତଥା ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତିମାନଙ୍କୁ ଡକା ଯାଇଥିଲେ । ଏହି କ୍ରମରେ ବଲାଙ୍ଗିର ଜିଲ୍ଲାରୁ ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ନେତୃସ୍ଥାନୀୟ ବିଶିଷ୍ଟ ଲୋକ କଳାକାରମାନେ ମଧ୍ୟ ଯୋଗ ଦେଇଥିଲେ । ସରକାରଙ୍କ ଯୋଜନା ମୁତାବକ ବଲାଙ୍ଗିରରେ ଚଳିତ ବର୍ଷ ଜାନୁଆରୀ ୧୭ ତାରିଖ ଦିନ କୋଶଳ କଳାମଣ୍ଡଳର ପୁରୁଣା ମଂଚରେ ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ଏବଂ ଜାନୁଆରୀ ୧୮ରୁ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦାଦନ ପ୍ରବଣ ଅଂଚଳ ଭାବେ ଚିହ୍ନଟ ଗାଁମାନଙ୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାର ୬ଟି ବ୍ଲକ୍ ଖପ୍ରାଖୋଲ, ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ବେଲପଡ଼ା ଓ ଟିଟିଲାଗଡ଼ର ୭୮୩ଟି ରାଜସ୍ୱ ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ୪୦ଟି ଲୋକ-କଳାକାର ଦଳ ସାମିଲ୍ ହୋଇଥିଲେ । ଯେହେତୁ ସ୍ୱଳ୍ପ ସମୟ ମଧ୍ୟରେ କାର୍ଯ୍ୟକ୍ରମ ସମାପ୍ତ କରିବାର ଥିଲା, ଏଣୁ ସଂପୃକ୍ତ କଳାକାରମାନେ ଆପ୍ରାଣ ଚେଷ୍ଟା କରି ରାଜ୍ୟ ସରକାରଙ୍କ ସଂପୃକ୍ତ ଯୋଜନାକୁ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରଦାନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗକୁ ପ୍ରାରମ୍ଭିକ ସମୟରେ ୧୧ ଲକ୍ଷ ୫୦ ହଜାର ଟଙ୍କା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା ବେଳେ ସେହି ଅର୍ଥରେ ୧୨ଟି ସଂଯୋଜିତ କଳାକାର ଦଳଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ଆହୁରି ୨୮ଟି ଦଳର ପ୍ରାୟ ୩୦୦ ଜଣ ଲୋକ କଳାକାର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପ୍ରାପ୍ୟ ପାଇ ପାରିନାହାନ୍ତି । ତେବେ ଏହି ୨୮ଟି ଦଳର ଲୋକ-କଳାକାରମାନେ କାହିଁକି ସେମାନଙ୍କ ପ୍ରାପ୍ୟରୁ ବଂଚିତ ହୋଇଛନ୍ତି ବୋଲି ପଚରା ଯିବାରୁ ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୨ ଲକ୍ଷ ୩୧ ହଜାର ୨୧୯ ଟଙ୍କା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆ ଯାଇନାହିଁ । ଏହି ଅର୍ଥ ଆସିଲେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବାଗି ୨୮ଟି ଦଳର ଲୋକ କଳାକାରମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ।
ଏହି କାର୍ଯ୍ୟକ୍ରମରେ ନିୟୋଜିତ ହୋଇ ପ୍ରାପ୍ୟ ପାଇ ନଥିବା ଲୋକକଳାକାରମାନେ କୁହନ୍ତି, କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ନିମନ୍ତେ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ (ୟୁନିସେପ)ଙ୍କ ପକ୍ଷରୁ ସେତେବେଳେ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ମଧ୍ୟ ସୃଷ୍ଟି କରାଯାଇଥିଲା । କିନ୍ତୁ ଏବେ ପାଉଣା ପାଇଁ କଳାକାରଙ୍କ ସ୍ୱର ଉତ୍ତୋଳନ ପରେ ସେହି ଗ୍ରୁପକୁ ଜାଣିଶୁଣି ବନ୍ଦ କରି ଦିଆଯାଇଛି । ଲୋକ-କଳାକାରଙ୍କ ପ୍ରତି ଏଭଳି ଅବହେଳା ପ୍ରଦର୍ଶନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କ୍ଷୋଭର ସହ ପ୍ରକାଶ କରନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ସମୟରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଲୋକ କଳାକାରମାନେ । ଯାନି ଯାତ୍ରା, ବିବାହ ମହୋତ୍ସବ, ନାନାଦି ଉତ୍ସବ ସବୁ ସଂପୂର୍ଣ୍ଣ ଠପ୍ ହୋଇ ଯାଇଥିବା ବେଳେ ଲୋକ-କଳାକାରମାନେ କପାଳରେ ହାତ ଦେଇ ବସିଛନ୍ତି । ସେମାନଙ୍କ ଜୀବନ ଜୀବିକା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏତିକି ବେଳେ ରାଜ୍ୟ ସରକାର ସେମାନଙ୍କ ଉଚିତ୍ ପ୍ରାପ୍ୟ ଦେବାକୁ ମଧ୍ୟ ଚିନ୍ତା ନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସରକାର ଯଥୋଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।

Leave A Reply

Your email address will not be published.