jayashree

ଉଚ୍ଚ ସ୍ତରୀୟ କମିଟିର ନୃସିଂହନାଥ ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ, ଜଳ ସମ୍ପଦ ବିଭାଗର ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫ଟି ସଚିବ ଶ୍ରୀ ଭି.କେ. ପାଣ୍ତିଆନ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଆର୍ ଭିନିଲକ୍ରିଷ୍ଣ ଆଜି ଦିନିକିଆ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିଥିଲେ । ପଦ୍ମପୁର ନିକଟସ୍ଥ ସତୀଭଟା ବିମାନ ବନ୍ଦରରେ ପହଞ୍ଚିବା ପରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ପଦ୍ମିନୀ ସାହୁ, ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । ବିମାନ ବନ୍ଦର ନିକଟରେ ପଦ୍ମପୁର ନାଗରିକ କମିଟି ତରଫରୁ ପଦ୍ମପୁର ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ନାଗେନ୍ ଦରହା ଠାରେ ଏକ ବ୍ୟାରେଜ୍ ନିର୍ମାଣ ଏବଂ ଉପଖଣ୍ତ ଚିକିତ୍ସାଳୟରେ ଖାଳି ରହିଥିବା ଡାକ୍ତର ପଦବୀ ପୂରଣ ନିମନ୍ତେ ମୁଖ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହା ପରେ ପରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ କଡା ସୁରକ୍ଷା ମଧ୍ୟରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନରେ ବାହାରିଥିଲେ । ନୃସିଂହନାଥ ମନ୍ଦିର ସିଂହଦ୍ୱାର ନିକଟରେ ମନ୍ଦିର ଟ୍ରଷ୍ଟି ତଥା ପାଇକମାଲ ବିଡିଓ ଶ୍ରୀ ସୁରେନ୍ଦ୍ର ମେହେର, ମନ୍ଦିର ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ, ବରିଷ୍ଠ ସେବାୟତ ସୁବୋଧ ପଣ୍ତାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ମୁଖ୍ୟ ଶାସନ ସଚିବ ତଥା ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହାପରେ ପରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥଙ୍କୁ ଦର୍ଶନ ପୂର୍ବକ ମନ୍ଦିର ବେଡା ପରିଭ୍ରମଣ କରି ସେବାୟତ ମାନଙ୍କ ସହିତ ମନ୍ଦିରର ଭଲମନ୍ଦ ପଚାରି ବୁଝିଥିଲେ । ସ୍ଥାନୀୟ ଅତିଥି ବିହାର ପରିସର ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ସେବାୟତ ମାନେ ଉପସ୍ଥିତ ରହି ନୃସିଂହନାଥ ମନ୍ଦିରର ଉନ୍ନତି କରଣ, ପର୍ଯ୍ୟଟନ ସ୍ଥଳୀର ବିକାଶ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ବିକାଶ ପାଇଁ ଆଲୋଚନା କରିଥିଲେ । ନୃସିଂହନାଥ ମନ୍ଦିର ଟ୍ରଷ୍ଟି ତଥା ପାଇକମାଲ ବିଡିଓ ଶ୍ରୀ ସୁରେନ୍ଦ୍ର ମେହେର ଏବଂ ମନ୍ଦିର ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମନ୍ଦିର ପରିଚାଳନା ସହିତ ମନ୍ଦିରର ସ୍ଥାବର ଅସ୍ଥାବର ସମ୍ପତ୍ତି, ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ପୂଜକ ମାନଙ୍କ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ସୂଚନା ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ଘାଟମାନଙ୍କର ମରାମତି ଏବଂ ପୁନଃରୁଦ୍ଧାର, ସୋଲାର ଲାଇଟ୍ ବ୍ୟବସ୍ଥା ସହିତ ରାସ୍ତାର ପ୍ରଶସ୍ତି କରଣ, ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରୋପ୍‌ୱେର ବ୍ୟବସ୍ଥା, ଯାତ୍ରୀ ନିବାସ ନିର୍ମାଣ, ପାନୀୟ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା ପ୍ରଭୃତି ଉପରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପସ୍ଥିତ ଅଧିକାରୀ, ସେବାୟତ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ବିସ୍ତୃତ ଆଲୋଚନା ଏବଂ ବିଚାର ବିମର୍ଶ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ପ୍ରକୃତିକ ସୌନ୍ଦର୍ଯ୍ୟରେ ଭରପୁରଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ବିକାଶ ସହିତ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ପାଇକମାଲ ନାଗରିକ କମିଟି ତରଫରୁ ମୁଖ୍ୟ ଶାସନ ସଚିବଙ୍କ ସମେତ ଆସିଥିବା ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ପାଇକମାଲ ଅଞ୍ଚଳର ବିଜୁଳି ସମସ୍ୟା, ପାଇକମାଲ ଠାରୁ ନୃସିଂହନାଥ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତି କରଣ, ବରଗଡ଼ ନୁଆଁପଡା ରେଳ ସଂଯୋଗୀକରଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ପରେ ପରେ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ବଲାଙ୍ଗୀର ଜିଲ୍ଲା ହରିଶଙ୍କର ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ଏହି ଗ୍ରସ୍ତ ଅବସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.