
ବଲାଙ୍ଗିର, (କେପିଏନ୍ଏସ୍) : ଆଗାମୀ ୨୪ ଘଂଟା ମଧ୍ୟରେ ବଲାଙ୍ଗିର ଟାଉନ୍ ଥାନା କିମ୍ବା ଲୋଇସିଂହା କୋର୍ଟରେ ହାଜର ନହେଲେ ୱାରେଂଟିଙ୍କ ସ୍ଥାବର, ଅସ୍ଥାବର ତଥା ପୈତୃକ ସଂପତି ବାର୍ଯ୍ୟାପ୍ତ କରାଯିବାକୁ ଆଜି ବଲାଙ୍ଗିର ଟାଉନ୍ ଥାନା ପୋଲିସ ପକ୍ଷରୁ ଘୋଷଣା କରାଯାଇଛି । ମାନ୍ୟବର ଅଦାଲତଙ୍କ ଆଦେଶ ଅନୁସାରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ମାଲଗୋଦାମପଡ଼ାରେ ଆଇଆଇସି ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ବଲାଙ୍ଗିର ଟାଉନ୍ ଥାନା ପୋଲିସ ଦଳ ପହଂଚି ୱାରେଂଟି ବଶିଷ୍ଟ କୁମ୍ଭାରଙ୍କ ଘର ସାମ୍ନାରେ କୋର୍ଟ ନୋଟିସ୍ ଛପା ଯାଇଥିବା ଦେଖିବାକୁ ମିଳିଛି । ଏଥି ସହିତ ବାଜା ବଜାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ସେଠାରେ ଘୋଷଣା ମଧ୍ୟ କରାଯାଇଛି । ଘୋଷଣାରେ କୁହାଯାଇଛି ଯେ, ୱାରେଂଟି ବଶିଷ୍ଟ କୁମ୍ଭାର ପିତା-ସହଦେବ କୁମ୍ଭାର, ମାଲଗୋଦାମପଡ଼ା ମାନ୍ୟବର ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ୱାରେଂଟିର ଖିଲାପ ହେତୁ ଆପଣଙ୍କ ସ୍ଥାବର, ଅସ୍ଥାବର, ପୈତୃକ ସମସ୍ତ ସଂପତିର ଆଂଶିକ ବା ବାର୍ଯ୍ୟାପ୍ତିକରଣ ପ୍ରକ୍ରିୟା ଆରମ୍ଭ କରାଯିବ । ଆସନ୍ତା ୨୪ ଘଂଟା ମଧ୍ୟରେ ବଲାଙ୍ଗିର ଟାଉନ୍ ଥାନା କିମ୍ବା ଲୋଇସିଂହା କୋର୍ଟରେ ହାଜର ନହେଲେ ପୈତୃକ, ସ୍ଥାବର କିମ୍ବା ଅସ୍ଥାବର ସମସ୍ତ ସଂପତିର ବାର୍ଯ୍ୟାପ୍ତିକରଣ ପ୍ରକ୍ରିୟା ଆରମ୍ଭ କରାଯିବ ।