oom

ଗାଁ ଦାଣ୍ଡରେ ମା’କୁ କୋଦାଳରେ ହାଣି ମାରିଲା ପୁଅ

ପୁରୀ : ନିଶାସକ୍ତ ପୁଅର ନୃଶଂସ କାଣ୍ଡ । ଗାଁ ଦାଣ୍ଡରେ ମା’କୁ କୋଦାଳରେ ହାଣି ହତ୍ୟା କଲା ପୁଅ । ଗୁରୁବାର ସକାଳେ ପୁରୀ ପେଣ୍ଠକଟା ମେରାଇନ ଥାନା ଅଧୀନ ସମଙ୍ଗରା ଗ୍ରାମରେ ଘଟିଛି ଏଭଳି ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ପୁଅକୁ ପିଟିପିଟି ଲହୁଲୁହାଣ କଲେ ଗ୍ରାମବାସୀ । ଯୁବକକୁ ଉଦ୍ଧାର କରିବା ବେଳେ ୪ ପୁଲିସ ଆହତ । ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ୭ଟା ବେଳେ ସମଙ୍ଗରା ଗ୍ରାମର କନକ ପ୍ରଧାନ (୫୫ ବର୍ଷ) ଗୋରୁଙ୍କୁ ଖାଇବାକୁ ଦେଉଥିଲେ । ଏହି ସମୟରେ ନିଶା ଖାଇବାକୁ ପୁଅ ବିକ୍ରମ ପ୍ରଧାନ (୩୦ ବର୍ଷ) ମା’କୁ ଟଙ୍କା ମାଗିଥିଲା । ସବୁବେଳେ ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା କାରଣରୁ ପୁଅ ପାଇଁ ଚିନ୍ତିତ ଥିବା କନକ ଟଙ୍କା ଦେବାକୁ ମନା କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲା ବିକ୍ରମ । ପାଖରେ ଥିବା ଏକ କୋଦାଳରେ ମା’ କନକଙ୍କ ମୁଣ୍ଡକୁ ମାରିଥିଲା ଚୋଟ। ଏଥିରେ କନକଙ୍କ ମୁଣ୍ଡ ଦୁଇ ଫଳ ହୋଇଯାଇଥିଲା । ସେ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ । ପ୍ରବଳ ରକ୍ତସ୍ରାବ ହେବା ସହ ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଗାଁ ଲୋକେ ଘେରିଯାଇ ବିକ୍ରମକୁ କାବୁ କରିଥିଲେ । ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ତାକୁ ପିଟିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏସଆଇ ଚିତ୍ତରଞ୍ଜନ ମହାନ୍ତି, ଏଏସଆଇ ପି.ଏଲ୍.ଏନ୍ ଦୋରା, ହାବିଳଦାର ପ୍ରକାଶ କୁମାର ଆଚାର୍ଯ୍ୟ ଓ ଭ୍ୟାନ ଡ୍ରାଇଭର ଅଜିତ କୁମାର ସାହୁ ଗ୍ରାମବାସୀଙ୍କ କବଳରୁ ବିକ୍ରମକୁ ଉଦ୍ଧାର କରିବା ସମୟରେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏହି ଚାରିଜଣ ମଧ୍ୟ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ବିକ୍ରମକୁ ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଆଇଆଇସିଙ୍କ ଚାର୍ଜରେ ଥିବା ଡିଏସପି ବବିତା ଦଳେଇ କହିଛନ୍ତି । ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଶବ ଜବତ କରିଛି ।

Leave A Reply

Your email address will not be published.