କାର୍ଡବିହୀନ ଗରିବଙ୍କ ପାଇଁ ତୁରନ୍ତ ରାସନର ବ୍ୟବସ୍ଥା କରାଯାଉ : ନରସିଂହ

ବିଭିନ୍ନ ପ୍ରକଳ୍ପକୁ ନେଇ ଅଧିକାରୀଙ୍କ ସହ ବିଧାୟକଙ୍କ ଆଲୋଚନା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ତଥା ବିଧାନସଭା ଗୃହ କମିଟି ୬ର ଅଧ୍ୟକ୍ଷ ନରସିଂହ ମିଶ୍ର ବଲାଙ୍ଗିର ଜିଲ୍ଲାପାଳ ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପମାନଙ୍କର ଅଗ୍ରଗତି ଏବଂ ଯୋଗାଣ ବିଭାଗ ସଂକ୍ରାନ୍ତୀୟ ବିଭିନ୍ନ ତଥ୍ୟ ବାବଦରେ ବିଷଦ ଆଲୋଚନା କରିଛନ୍ତି । ଏହି ବୈଠକରେ ସ୍ଥାନୀୟ ଯୋଗାଣ ଅଧିକାରୀଙ୍କଠୁ ଶ୍ରୀ ମିଶ୍ର ବଲାଙ୍ଗିର ଜିଲ୍ଲାରେ କରୋନା ସମୟରେ ଦିଆଯାଇଥିବା ଖାଦ୍ୟ ଶସ୍ୟ ତଥା କେନ୍ଦ୍ର ସରକାର ମାଗଣାରେ ଲୋକଙ୍କୁ ଦେଉଥିବା ଖାଦ୍ୟ ଶସ୍ୟ ଉପରେ ପଚାରି ବୁଝିଥିଲେ । ତାଛଡା ଜିଲ୍ଲାରେ କେତେ ରେସନକାର୍ଡଧାରୀ ଅଛନ୍ତି, କରୋନା ସମୟରେ କେତେ ଗରିବଙ୍କୁ ରେସନ କାର୍ଡ ଯୋଗାଯାଇଛି ତାର ଏକ ସବିଶେଷ ବିବରଣୀ ପ୍ରଦାନ କରିବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଜିଲ୍ଲାରେ ଥିବା ପ୍ରତ୍ୟେକ ରାସନକାର୍ଡ ବିହୀନ ଗରିବ ଯେଉଁମାନେ କରୋନା ମହାମାରୀ ସମୟରେ ରୋଜଗାର ହରାଇ ଭୋକ ଉପାସରେ ରହୁଛନ୍ତି ସେମାନଙ୍କ ପାଇଁ ପ୍ରଶାସନ ରାସନର ତୁରନ୍ତ ବ୍ୟବସ୍ଥା କରୁ ବୋଲି ଗୁରୁତ୍ୱାରୋପ କରିଥିଲେ ।
ସୂଚନାଯୋଗ୍ୟ ଯେ ଆସନ୍ତା ୨୦ ଏବଂ୨୧ ତାରିଖ ଦିନ ବିଧାନସଭାରେ କୋଠରୀ ସଂଖ୍ୟା ୫୯ରୁ ଭିଡିଓ କନ୍‌ଫରେନ୍‌ସ୍‌ ମାଧ୍ୟମରେ ବିଭାଗ ସଂକ୍ରାନ୍ତୀୟ ଗୃହ କମିଟି ଆଲୋଚନା ହେବ । ସମବାୟ, ହସ୍ତତନ୍ତ, ବୟନ ଶିଳ୍ପ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଆଦି ବିଭାଗ ବିଧାନସଭା ଗୃହ କମିଟି ୬ରେ ରହିଛି । ଗତ ବୈଠକରେ କମିଟି ପ୍ରସ୍ତାବ ଦେଇଥିବା ବିଷୟ ଗୁଡିକ ଉପରେ ସରକାର କଣ ପଦକ୍ଷେପ ନେଇଛନ୍ତି, କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସ୍ୱତନ୍ତ୍ର ଅଡିଟ, ଧାନର ଅଭାବି ବିକ୍ରୀ ଏବଂ କୋଭିଡ୍ ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଣ ଠିକ୍ ହିସାବରେ ହୋଇଛି କି ନାହିଁ ସେ ଉପରେ ଆଲୋଚନା ହେବାକୁ ସ୍ଥିର ହୋଇିଛି । ସେହିକ୍ରମରେ ବିଧାୟକ ଶ୍ରୀ ମିଶ୍ର ଜିଲ୍ଲା ସ୍ତରିୟ ଅଧିକାରୀମାନଙ୍କ ଠାରୁ ବିଭିନ୍ନ ଉନ୍ନୟନ ମୁଳକ ପ୍ରକଳ୍ପ ମାନଙ୍କ ର ଲେଖା ଯୋଖା ପଚାରି ବୁଝିଛନ୍ତି । ସେହିପରି, ଭିମ ଡୁଙ୍ଗୁରି ପର୍ୟ୍ୟଟନ ସ୍ଥଳି ନିର୍ମାଣ ହୋଇଥିବା ପାନ୍ଥ ନିବାସ, ପାହାଡର ଚାରିପଟେ ନିର୍ମାଣ ହେବାକୁ ଥିବା ସବୁଜ ବାଡ କାମ କେତେ ଦୂର ଗଲା ଉପସ୍ଥିତ ଥିବା ଟୁରିଷ୍ଟ ଅଫିସର ଏବଂ ଜଙ୍ଗଲ ଅଧିକାରୀଙ୍କୁ ଠାରୁ ପଚାରି ବୁଝିଥିଲେ । ସହର ମଧ୍ୟରେ ଥିବା ଶ୍ମଶାନ ଘାଟମାନଙ୍କରେ ଦରକାର ହେଉଥିବା କାଠର ଅଭାବ ଯୋଗୁଁ ଜଙ୍ଗଲ ନିଗମ ଅଧିକାରୀଙ୍କୁ ପୌର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ତିନୋଟି ଶ୍ମଶାନ ଘାଟରେ କାଠ ଡିପୋ ସ୍ଥାପନ ସହ ଶବଦାହ ପାଇଁ କାଠର ସୁବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସହର ମଧ୍ୟରେ ଚାଲିଥିବା ରାସ୍ତା ତଥା ଡ୍ରେନ କାମ ଯୁଦ୍ଧକାଳିନ ଭିତ୍ତିରେ ସମାପ୍ତ କରିବା ସହ ରାସ୍ତାରେ ଥିବା ନିର୍ମାଣ ଜନିତ ମଇଳା ସଫା କରିବା ପାଇଁ ପୌରଅଧିକାରୀ ତତ୍ପରତାର ସହ ପଦକ୍ଷେପ ନିଅନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ରାଜପଥ ବିଭାଗ ଦ୍ୱାରା ଆରମ୍ଭ ହେବାକୁ ଥିବା ରାଜପଥ ପ୍ରଶସ୍ଥିକରଣ ତଥା ଗାନ୍ଧୀନଗରପଡା ଅଂଚଳରୁ ଉଭୟକଡର ଡ୍ରେନ ଯେତେ ଶୀଘ୍ର ହେବ ଯୁଦ୍ଧକାଳିନ ଭିତ୍ତିରେ କରିବାକୁ ଉପସ୍ଥିତ ଥିବା ଜାତୀୟ ରାଜପଥ ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର କହିଥିଲେ । ଆୟୁର୍ବେଦିକ ମହାବିଦ୍ୟାଳୟ ପାଇଁ ଖେଳ ପଡିଆ ଏବଂ ହଷ୍ଟେଲ ତଥା ରାତ୍ରିକାଳିନ ସୁରକ୍ଷା ପାଇଁ କ୍ୟାମ୍ପସ ଭିତରେ ହାଇମେକ୍ସ ଲାଇଟ ଶିଘ୍ର ସ୍ଥାପନ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ । ବାରମ୍ବାର ତାଗିଦ୍ ସତ୍ତେ୍ୱ ୟୁରିଆ ସାରର କଳାବଜାରୀକୁ ଜିଲ୍ଲା କୃଷି ଅଧିକାରୀ ନିୟନ୍ତ୍ରଣ କରିପାରୁନଥିବାରୁ ଶ୍ରୀ ମିଶ୍ର ଏହା ଉପରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ଏବଂ ଯେତେଶୀଘ୍ର ହେବ ଜିଲ୍ଲାସ୍ତରୀୟ ଖାଉଟି କଲ୍ୟାଣ କମିଟି ଗଠନ କରି ତାର ବୈଠକ ଡାକିବାକୁ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଉପ-ଜିଲ୍ଲାପାଳ ସଂଜୟ ମିଶ୍ର, ପୌର ଅଧିକାରୀ ବିପିନ ଦୀପ, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶ, ଅତିରିକ୍ତ ଯନ୍ତ୍ରୀ ଶ୍ରୀ ମହାନନ୍ଦ, ବନ ଅଧିକାରୀ ବାବାଜି ରାଉଳ ତଥା ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଏବଂ ବଲାଙ୍ଗିର ତହସିଲଦାର, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.