ଦୁଇ ନାବାଳିକାର ବିବାହ ବନ୍ଦ କଲା ଚାଇ‌ଲ୍ଡ ଲାଇନ

ଟିଟିଲାଗଡ଼, ( ଗୌରବ ଦର୍ଜୀ ) : ଟିଟିଲାଗଡ ସହରର ଜଣେ ପିତାମାତା ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅକୁ ବିବାହ କରିବାକୁ ଉଦ୍ୟମ କରୁଥିବା ବେଳେ ଆଧାର ଚାଇଲ୍ଡ ଲାଇନ ପକ୍ଷରୁ ବନ୍ଦ କରାଯାଇଛି । ଟିଟିଲାଗଡ ଚାଇଲ୍ ଲାଇନ ସଦସ୍ୟ ଶିବାନନ୍ଦ ବେହେରାଙ୍କ ସୂଚନା କ୍ରମେ ସହରର ଦୀର୍ଘଦିନ ଧରି ବାସ କରୁଥିବା ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତର ଏକ ପରିବାର ତାଙ୍କ ନାବାଳିକାକୁ ବରଗଡ ଜିଲ୍ଲା ବରପାଲି ଅଞ୍ଚଳରେ ବିବାହ ପାଇଁ ତିଥି ନିର୍ଧାରଣ କରିଥିଲେ । ଏ ସମ୍ପର୍କରେ କୋଲକାତା ଚାଇଲ୍ଡ ଲାଇନକୁ ୧୦୯୮ରେ କେହି ଜଣେ ଅଭିଯୋଗ କଲା ପରେ ସେଠାରୁ ନିର୍ଦ୍ଦେଶ ପାଇ ଟିଟିଲାଗଡ଼ ଚାଇଲ୍ଡ ଲାଇନ ପକ୍ଷରୁ ବିବାହ ବନ୍ଦ ଉଦ୍ୟମ ଆରମ୍ଭ ହୋଇଥିଲା । ତେବେ ଏନେଇ ପରିବାର ଲୋକେ ମୁରିବାହାଲ ଥାନା ଅନ୍ତର୍ଗତ ଏକ ଗ୍ରାମକୁ ଯାଇ ସେଠାରେ ବିବାହ ଆୟୋଜନରେ ଲାଗି ପଡ଼ିଥିବା ବେଳେ ଶୁକ୍ରବାର ଦିନ ଚାଇଲ୍ଡ ଲାଇନ ସଦସ୍ୟ ଶ୍ରୀ ବେହେରା, ମୁରିବାହାଲ ସିଡିପିଓ ସରସୀ ପଣ୍ଡା , ଟିଟିଲାଗଡ ଆଇସିଡ଼ିଏସ ସୁପରଭାଇଜର ମଞ୍ଜୁଲତା ପାଢୀ ପ୍ରମୁଖ ପିତାମାତାଙ୍କୁ ଠାବ କରି ବିବାହ ବନ୍ଦ କରିବା ପାଇଁ କହିବା ସହ ଅନ୍ୟଥା ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ପିତାମାତା ବିବାହ ବନ୍ଦ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଶନିବାର ଦିନ ବରପକ୍ଷରୁ କିଛି ବ୍ୟକ୍ତି ଆସି ଗଣ୍ଡଗୋଳ ଆରମ୍ଭ କରିଥିଲେ । ଏହା ଖବର ପାଇ ଚାଇଲ୍ଡ ଲାଇନ ସଦସ୍ୟ ଶ୍ରୀ ବେହେରା ମୁରିବାହାଲ ପୋଲିସକୁ ଜଣାଇ ଥିଲେ । ମୁରିବହାଲ ପୋଲିସ ସହ ଶ୍ରୀ ବେହେରା ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହା ପରେ ଉଭୟ ପକ୍ଷ ବିବାହ ନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଶନିବାର ଦିନ ମୁରିବାହାଲ୍ ବ୍ଲକ ହଳଦୀ ପଞ୍ଚାୟତର ଅନ୍ୟ ଏକ ପରିବାରର ୧୪ ବର୍ଷୀୟ ନାବାଳିକାକୁ ବିବାହ କରିବା ପାଇଁ ପୂର୍ବ ଦିନ ଅର୍ଥାତ୍ ଶୁକ୍ରବାର ଦିନ ପିନ୍ଧାନୀ କରିଥିବା ଖବର ପାଇ ଟିଟିଲାଗଡ ଚାଇଲ୍ଡ ଲାଇନ ସଦସ୍ୟ ଶ୍ରୀ ଶିବାନନ୍ଦ ବେହେରା, ମୁରିବାହାଲ ଆଇସିଡିଏସ ସୁପରଭାଇଯାର ନିଲାନ୍ଦ୍ରି ଖମାରୀ, ମୁରିବାହାଲ ସିଡିପିଓ ସରସୀ ପଣ୍ଡା ଓ ମୁରିବାହାଳ ପୋଲିସ ଉକ୍ତ ପରିବାର ପାଖକୁ ପହଞ୍ଚି ତାଙ୍କୁ ବୁଝାସୁଝା କରି ନାବାଳିକାକୁ ବିବାହ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ନେଇଥିଲେ ।

Leave A Reply

Your email address will not be published.