ହରିଶଙ୍କର ପାହାଡ଼ ଉପରେ ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ସନ୍ଦେହ ଜନକ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ତଥା ତୀର୍ଥସ୍ଥଳୀ ହରିଶଙ୍କରରେ ଶ୍ରାବଣର ଦ୍ଵିତୀୟ ସୋମବାର ଉପଲକ୍ଷେ ହଜାର ହଜାର ବୋଲ୍‌ବମ୍‌ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସେହିପରି ଛତିଶଗଡ ରାଜ୍ୟରୁ ଅନେକ ବୋଲ୍‌ବମ୍‌ ଭକ୍ତ ହରିଶଙ୍କର ଶିବ ମନ୍ଦିରକୁ ପାଣି ଢାଳିବାକୁ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଶ୍ରଦ୍ଧାଳୁର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ନହରପଡା ପଣ୍ଡରି ରାୟପୁର ଛତିଶଗଡ ରାଜ୍ୟର ଲକି ଭୁୱାଲ(୩୦) ନାମକ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗମାନଙ୍କ ସହିତ ସୋମବାର ସକାଳ ୬ଟାରୁ ନୃସିଂହନାଥ ପାହାଡ଼ ଦେଇ ହରିଶଙ୍କର ମନ୍ଦିରରେ ପାଣି ଢାଳିବାକୁ ଆସୁଥିଲେ । ମୃତ ବ୍ୟକ୍ତିର ସାଙ୍ଗମାନଙ୍କ କହିବା ଅନୁଯାୟୀ ପାହାଡ଼ ଉପରେ ଭୀମମଡୋଠାରେ ମୁଣ୍ଡ ବୁଲାଇ ଲକି ପଡିଯାଇଥିଲେ । ଏହା ଦେଖି ସେମାନେ ହରିଶଙ୍କର ଫାଣ୍ଡିକୁ ଫୋନ କରି ଏ ବିଷୟରେ ଜଣାଇ ଥିଲେ । ହରିଶଙ୍କର ପୁଲିସ ଖପ୍ରାଖୋଲ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗରୁ ଓଆଇସି ଚୂଡ଼ାମଣି ପିଙ୍ଗ ତାଙ୍କ ଟିମ୍‌ ସହ ପାହାଡ଼ ଉପରକୁ ଯାଇ ଲକିକୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ । ସେଇଠି ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏଏସଆଇ ସେୱାନ କେରକେଟା ଖପ୍ରାଖୋଲ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୭/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.