ମରଣଯନ୍ତା ପାଲଟିଛି ଲାଚୁଟ ଓ ବନାରସ ପ୍ରଧାନମନ୍ତ୍ରୀ ସଡ଼କ : ଜିଲ୍ଲା ପରିଷଦ ସଭ୍ୟଙ୍କ ଅଭିଯୋଗ ପରେ ବି ପ୍ରଶାସନ ଚୁପ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାରଙ୍କ ଦ୍ୱାରା ଗ୍ରାମାଂଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କେରମେଲି ପଂଚାୟତ ଲାଚୁଟ ଓ ବନାରସ ଗ୍ରାମର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମିତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଜାତୀୟ ରାଜପଥ ୨୬କୁ ସଂଯୋଗ କରୁଥିବା ବେଳେ ଶୋଚନୀୟ ଅବସ୍ଥାରେ ପଡ଼ିଛି । ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଥର ଏହି ରାସ୍ତାରେ ଲୋକେ ଦୁର୍ଘଟଣାଗ୍ରସ୍ତ ହେଉଥିଲେ ମଧ୍ୟ ରାସ୍ତା ମରାମତି ହୋଇ ପାରିନାହିଁ । ଗତ ୨୦୧୩ ମସିହାରେ ଏହି ରାସ୍ତାରେ ପିଚୁ ପଡ଼ିଥିବା ବେଳେ ୭ ବର୍ଷ ବିତିଯାଇଥିଲେ ସୁଦ୍ଧା ପୁନଃ ରାସ୍ତା ନିର୍ମାଣ କିମ୍ବା ମରାମତି କାର୍ଯ୍ୟ ହୋଇ ନଥିବା କୁହାଯାଇଛି । ଏ ସଂପର୍କରେ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ସାହୁ ଅନେକ ଥର ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି କାମ ହେଉନାହିଁ । ତେବେ ଆଗାମୀ ଦିନରେ ରାସ୍ତା ମରାମତି ନ ହେଲେ ଜନ ଆନେ୍ଦାଳନ ହେବ ବୋଲି ଜିଲ୍ଲା ପରିଷଦ ସଭ୍ୟା ମତ ପ୍ରକାଶ କରନ୍ତି । ତୁରନ୍ତ ରାସ୍ତା ମରାମତି ପାଇଁ ସାଧାରଣରେ ପ୍ରବଳ ଦାବୀ ହେଉଛି ।

Leave A Reply

Your email address will not be published.