ହଜି ଯାଇଛି କି ମାନବିକତା : ଜାତୀୟ ରାସ୍ତା କଡରେ ଜୀବନ ବିତାଉଛି ଜଣେ ମାନସିକ ଅସୁ‌ସ୍ଥ ମହିଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଅସହାୟ ମାନସିକ ଅସୁସ୍ଥ ମଣିଷଙ୍କ ସଂଖ୍ୟା ଶତାଧିକ । ସରକାରଙ୍କ ଦ୍ଵାରା ଅନେକ ଯୋଜନା କାର୍ୟ୍ୟକାରୀ ହେଉଥିବା ବେଳେ ଏବେ ମଧ୍ୟ ଏମାନଙ୍କ ସମସ୍ୟା ଓ ସ୍ଥିତି ସୁଧୁରି ନାହିଁ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା ପଞ୍ଚାୟତ ଜାତୀୟ ରାଜପଥ-୨୬ ଲୁହୁରାପାଲି ଗ୍ରାମର ରାସ୍ତାକଡରେ ଦୀର୍ଘ ଦିନ ହେଲାଣି ଶୀତ କାକରରେ ମାନସିକ ଭାରସାମ୍ୟ ହରାଇ ଥିବା ଜଣେ ମହିଳା । ତେବେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଠାରୁ ଆରମ୍ଭ କରି ନେତା ଠାରୁ ମନ୍ତ୍ରୀ ପର୍ୟ୍ୟନ୍ତ ଯିବା ଆସିବା କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, କାହାର ନଜର ପଡ଼ୁ ନାହିଁ ସେହି ନିରୀହ ପାଗଳି ମହିଳା ଉପରେ । ସତେ କଣ ହଜି ଗଲାଣି ମାନବିକତା ସମାଜରୁ ! ମହିଳାମାନେ ଆମ ରାଜ୍ୟରେ ସୁରକ୍ଷିତ ମଣୁ ନଥିବା ବେଳେ ଏହି ମାନସିକ ଭାରସାମ୍ୟ ହରାଇ ଥିବା ମାନସିକ ଅସୁସ୍‌ସ୍ଥ ମହିଳା ଜଣକ ସୁରକ୍ଷିତ ତ ? ସେହି ମହିଳା ଜଣକ ତାର ନାଁ କହି ପାରୁ ନ ଥିବା ବେଳେ ସେ ତୁମ ଘର କେଉଁଠି ବୋଲି ପଚାରିଲେ ନୂଆପଡ଼ା ଜିଲ୍ଲାର ବୋଲି କହୁଛି । ତେବେ ଏହି ମହିଳାକୁ କିଏ କଣ ଦୁଇ ମୋଠା ଖାଇବାକୁ ଦେଲେ ସେ ଖାଉଛି, ନ ହେଲେ ଭୋକ ଉପବାସରେ ଦିନ ବିତାଉଛି । ତେବେ ସରକାର ମାନସିକ ଭାରସାମ୍ୟ ହରାଇ ଥିବା ଲୋକମାନଙ୍କ ପାଇଁ ଚିକିତ୍ସା କରିବାର ବ୍ୟବସ୍ଥା କରିଥିବା ଡିମ୍‌ଡିମ ପିଟୁଛନ୍ତି । କିନ୍ତୁ ଏହି ଏହି ମହିଳା ପାଇଁ କାହିଁକି ଚିକିତ୍ସା କରାଯାଉନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଏମାନଙ୍କ ପାଇଁ ଭଗବାନ ହିଁ ସାହା ଭରସା । ତେବେ ଏହି ମହିଳାଙ୍କ ପାଇଁ ଚିକିତ୍ସା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.