
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ଗ୍ରାମସ୍ଥିତ ମଧୁସୂଦନ ହୃଷିକେଶ ମେହେର ଉଚ୍ଚ ବିଦ୍ୟାଳୟର ବରିଷ୍ଠ କ୍ରୀଡା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଛି । ସେ ଦୀର୍ଘ ୨୦ବର୍ଷ ଧରି ଭାରତ ସ୍କାଉଟ ଓ ଗାଇଡ୍ ବଲାଙ୍ଗିରରେ ସ୍କାଉଟ ମାଷ୍ଟର ଭାବରେ କାମ କରି ଆସୁଛନ୍ତି । ସେ ଅନେକ ସାମାଜିକ କାମରେ ଲିପ୍ତ ରହି ବିଦ୍ୟାଲୟର ପିଲାମାନଙ୍କୁ ପ୍ରତିବର୍ଷ ରାଜ୍ୟ ପୁରସ୍କାର ପରୀକ୍ଷା କରାଉଥିଲେ ଏବଂ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଯାଇ ସ୍କାଉଟିଙ୍ଗ କାର୍ଯ୍ୟକରି ଚାଲିଥିଲେ । ତାଙ୍କ ଏହି ନିସ୍ଵାର୍ଥପର ସେବା ମନୋଭାବକୁ ଦେଖି ଓଡିଶା ରାଜ୍ୟ ଭାରତ ସ୍କାଉଟର ମୁଖ୍ୟ କମିଶନର ଡ କାଳିପ୍ରସାଦ ମିଶ୍ର ସାର୍ଭିସ ଷ୍ଟାର ରାଜ୍ୟପାଳ ପୁରସ୍କାର ଦେବା ପାଇଁ ତାଙ୍କୁ ମନୋନୀତ କରିଥିଲେ । ରାଜଭବନର ଅଭିଷେକ ହଲଠାରେ ତାଙ୍କୁ ମହାମହିମ ରାଜ୍ୟପାଳ ତଥା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡର ଚିଫ ପେଟ୍ରନ୍ ଡ. ହରିବାବୁ କମ୍ଭମପତିଙ୍କ ହାତରୁ ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ମୁଖ୍ୟ କମିଶନର ଡ଼କ୍ଟର କାଳିପ୍ରସାଦ ମିଶ୍ର ପ୍ରମୁଖଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ମହାପାତ୍ର ଏବେ ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡର ଡିଓସି ରୂପେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଏହି ପୁରସ୍କାର ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
