
ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ସହରରେ ଥିବା ମହାନଦୀର ଦ୍ଵିତୀୟ ସେତୁ ଘଟଣା, ଦୁର୍ଘଟଣା, ରୋମାଞ୍ଚର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ଘଟଣା କ୍ରମରେ ଗତ ରବିବାର ସୌରଭ ଧର (୨୯) ନାମକ ଜଣେ ଯୁବକ ନଦୀ ସ୍ରୋତରେ ପଡି ଦେଢ଼ ଘଣ୍ଟା ପରେ ଶଙ୍କର ମଠ ଘାଟରେ ମତ୍ସ୍ୟଜୀବୀଙ୍କ ଦ୍ଵାରା ଉଦ୍ଧାର ପାଇ ସୁସ୍ଥ ଥିବା ପରିବାର ସୂତ୍ରରୁ ଜଣାପଡିଛି । ବ୍ରିଜ ଉପରୁ ତାଙ୍କ ଚପଲ, ରୁମାଲ୍ ମିଳିଥିବା ବେଳେ ତାଙ୍କ ମୋବାଇଲରୁ କେହିଜଣେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ, ତେବେ ସୌରଭ ନିଜେ ଖସି ପଡ଼ିଲି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମାସେ ପୂର୍ବ ଜଣେ ବିବାହିତା ମହିଳା ଓ ତାଙ୍କ କନ୍ୟାଶିଶୁ ଏହି ବ୍ରିଜରୁ ନିଖୋଜ ହୋଇଥିଲେ, ଏଯାଏଁ ତାଙ୍କ ଶବ ମିଳି ନ ଥିବା ବେଳେ କୌଣସି ଖୋଜ ଖବର ପୋଲିସ ପାଇ ପାରିନାହିଁ, ଯଦିଓ ତାଙ୍କ ସ୍କୁଟି, ଚପଲ ଓ ମୋବାଇଲ ସେଠାରୁ ମିଳିଥିଲା ।
ପ୍ରାୟ ବର୍ଷକ ପୁର୍ବରୁ ବରଗଡର ଜଣେ ଆଇନଜୀବୀଙ୍କ ସ୍କୁଟର, ଚପଲ ମିଳିଥିଲା, ତାଙ୍କର ମଧ୍ୟ ସନ୍ଧାନ ଏଯାଏଁ ରହସ୍ୟମୟ ହେଇ ରହିଛି ।
ଏହି ବ୍ରିଜ ଆରମ୍ଭରୁ ପ୍ରାତଃଭ୍ରମଣ ପାଇଁ ଲୋକଙ୍କ ଆକର୍ଷଣ ରହିଛି । ଏପରିକି ପ୍ରେମୀ ଯୁଗଳ ଏହାକୁ ଲଭର୍ସ ପଏଣ୍ଟ ଭାବେ ନାମିତ କରିଥିବାର ଜଣାଯାଏ । ସଞ୍ଜବେଳେ ସାମାନ୍ୟ ଅନ୍ଧାର ହେଲେ ଏହି ବ୍ରିଜ ଖୋଲା ବାର୍ ପ।ଲଟିଯାଏ ।
ସ୍ୱାଧୀନତାର ୭୦ ବର୍ଷ ପରେ ନଦୀ ଆରପଟେ ଥିବା ଗ୍ରାମବାସୀ ଗମନାଗମନ ସୁଯୋଗ ପାଇ ପାରିଛନ୍ତି, ଏହା ପୂର୍ବରୁ ବର୍ଷା ଦିନେ ବିଚ୍ଛିନ୍ନ ରହୁଥିବା ବେଳେ ଅନ୍ୟ ସମୟରେ ଡଙ୍ଗା ହି ଏକମାତ୍ର ମାଧ୍ୟମ ଥିଲା।
ପ୍ରଶାସନ କୋୖଣସି ଦୁର୍ଘଟଣା ଘଟିଲେ ସିସିଟିଭି କ୍ୟାମେରା ଲଗାଯିବାର ଘୋଷଣା ହୁଏ, ମାତ୍ର ଏବେ ବି ତାହା ହେଇ ପାରିନାହିଁ ।
ମୋଟାମୋଟି କହିବାକୁ ଗଲେ, ସହରର ପ୍ରମୁଖ ଆକର୍ଷଣ ମହାନଦୀର ଦ୍ଵିତୀୟ ସେତୁ ପ୍ରଗତି, ରୋମାଞ୍ଚ, ଘଟଣା ଦୁର୍ଘଟଣାର ମୁକ ସାକ୍ଷୀ ।