ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୨ଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନି ଦିବସରେ ମୁଖ୍ୟ ଅତିଥିଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟର ଗାରିମା ଓ ଗୌରବ ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ସାମଲଙ୍କ ପୌରହିତ୍ୟ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର ନାଥ ବେହେରା ଏବଂ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ଆରଏସପିର ପ୍ରାକ୍ତନ ଭାରପ୍ରାପ୍ତ ମହାନିର୍ଦ୍ଦେଶକ ଅତନୁ ଭୌମିକ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ପ୍ରଫେସର ସମର ମୁଦାଲି ପ୍ରମୁଖ ଯୋଗଦେଇଥିଲେ । ଶ୍ରୀ ଭୌମିକ ତାଙ୍କ ବକ୍ତବ୍ୟରେ ନିଜ ମହାବିଦ୍ୟାଳୟ ପାଠପଢ଼ା ସମୟର ଅନୁଭୂତି ସହିତ ସାମ୍ପ୍ରତିକ ସମୟରେ ହେଉଥିବା ବୈଷୟିକ ପ୍ରଗତିକୁ ଛାତ୍ରଛାତ୍ରୀ ମାନେ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ରାଜନୀ କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଡ୍ରାମାଟିକ ସୋସାଇଟିର ଉପାଧ୍ୟାକ୍ଷା ରାମେଶ୍ୱରୀ ଭୋଇ ଏବଂ ମମତା ବାକ୍ସଲା ଅତିଥି ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ଛାତ୍ର ସଂସଦର ଉପଦେଷ୍ଟା ଆଲୋକ କୁମାର ପଟେଲ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଶନିରାମ କେରକେଟା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ଛାତ୍ର ସଂସଦ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବର୍ଗ ପ୍ରତିଯୋଗିତାର ୧୯୭ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉଦ୍‌ଯାପନି ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋଟ ୪୦ଟି ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.