କୃଷି ଓ କୃଷକର ସମସ୍ୟା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କିଷାନ କଂଗ୍ରେସ

  • କୃଷିଋଣଛାଡ, କୃଷିବୀମା ଓ ଏକରପିଛା ୨୫ ହଜାର ସହାୟତା ପ୍ରଦାନ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର କୃଷି ଓ କୃଷକଙ୍କ ସମସ୍ୟାକୁ ନେଇ ଆଜି ୯ଦଫା ଦାବୀ ନେଇ ଜିଲ୍ଲା କିଷାନ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ହଜାର ସଂଖ୍ୟାରେ ଚାଷୀଙ୍କୁ ନେଇ କଂଗ୍ରେସଦଳ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି । ଏହି ଘେରାଉରେ ରାଜ୍ୟ କିଷାନ ସେଲର ସଭାପତି ଅମୀୟ ପଟ୍ଟନାୟକ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର, ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦିଲିପ ବେହେରା, ଉପସଭାପତି ମନୀଷ ମିଶ୍ର, ଛାତ୍ର କଂଗ୍ରେସର ସଭାପତି ଅଙ୍କିତ ସାହୁ, ଏସ୍‌ସି ସେଲର ଓମପ୍ରକାଶ କୁମ୍ଭାର,ଏସ୍‌ଟି ସେଲର ମୟ ପଧାନୀ, ଜିଲ୍ଲା ପ୍ରବକ୍ତା ଅଜୟ ବାଲି ପ୍ରମୁଖ ଯୋଗଦେଇଥିଲେ । ସକାଳ ୧୧.୩୦ରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ହଜାର ସଂଖ୍ୟାରେ କଂଗ୍ରେସକର୍ମୀ ଓ ଚାଷୀଙ୍କ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ଘେରାଉ କରିଥିଲେ । ଏଠାରେ ଜିଲ୍ଲା କିଷାନ ସେଲର ସଭାପତି ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ରାଜ୍ୟରେ ଗତ ୨୪ବର୍ଷ ଧରି ଚାଲିଥିବା ବିଜେଡି ସରକାର କୃଷି ଓ କୃଷକଙ୍କ ବିରୋଧି ବୋଲି ଅଭିଯୋଗ ଉଠାଇଥିଲେ । କେନ୍ଦ୍ରରେ ଥିବା ଭାଜପା ସରକାର ଓ ରାଜ୍ୟରେ ଶାସନରେ ଥିବା ବିଜେଡି ଦଳ ମଧ୍ୟରେ ଏକ ଅଲିଖିତ ବୁଝାମଣା ହୋଇଛି । ଏମାନେ ସଂପୂର୍ଣ୍ଣ କୃଷକ ବିରୋଧି ବୋଲି ଯୁବନେତା ସମରେନ୍ଦ୍ର ମିଶ୍ର କହିଥିଲେ । ଚାଷ ସମୟରେ ଚାଷୀଙ୍କୁ ଉଚିତ ସମୟରେ ସାର ବିହନ ମିଳୁନଥିବା ତଥା ଚାଷ ପାଇଁ ଆବଶ୍ୟକ ଜଳସେଚନ ବ୍ୟବସ୍ଥା କରାଇ ପାରିନଥିବାରୁ ନବୀନ ସରକାରକୁ ତୀବ୍ର ସମାଲୋଚନା କରାଯାଇଥିଲା । ସେପଟେ ଏବର୍ଷ ବଲାଙ୍ଗିର ଜିଲ୍ଲାରେ ଧାନ ଫସଲ ଭଲ ହୋଇଥିବା ବେଳେ ଅମଳ ସମୟରେ ଅଦିନିଆଁ ବର୍ଷା ଦାଉ ସାଜିଛି । ଜିଲ୍ଲାର ଚାଷୀମାନଙ୍କର ବିଲରେ ଥିବା ଧାନ ଭିଜିଯାଇ ଗଜା ହୋଇଯାଉଛି । ତେଣୁ ଚାଷୀଙ୍କ ବର୍ଷକର ପରିଶ୍ରମ ବେକାର ଯାଇଛି । ସେହି ଦୃଷ୍ଟିରୁ ଚାଷୀଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବା ଓ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କୃଷିବୀମା ପ୍ରଦାନ କରିବାକୁ ନରସିଂହ ମିଶ୍ର ଦାବୀ କରିଥିଲେ । ଏହି ଅବସରରେ କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୯ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀଗୁଡିକ ମଧ୍ୟରେ ଲଘୁଚାପଜନିତ ବର୍ଷାରେ କ୍ଷୟକ୍ଷତିର ଆକଳନ କରାଯାଇ ଏକର ପିଛା ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବା, କ୍ଷତିଗ୍ରସ୍ତ ଚାଷର ଫସଲ ବାବଦକୁ କୃଷିବୀମା ପ୍ରଦାନ କରିବା ଓ କୃଷିଋଣ ଛାଡ କରିବା, ସ୍ୱାମୀନାଥନ କମିଶନଙ୍କ ରିପୋର୍ଟ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୩୫୧୬ ଟଙ୍କା ଓ କପାର କ୍ୱିଣ୍ଟାଲପ୍ରତି ଦର ୧୦ହଜାର ଟଙ୍କା କରାଯିବା, ତୁରନ୍ତ ସିସିଟିଭି ଲଗାଇ ଧାନମଣ୍ଡି ଖୋଲାଯାଇ କଟନୀଛଟନୀ ବନ୍ଦ କରିବା, ବଲାଙ୍ଗିର ଜିଲ୍ଲାର ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ କରାଯିବା ସହିତ ନୂଆ ସୁତାକଳ ସ୍ଥାପନ କରିବା, ପ୍ରତ୍ୟେକ ପଞ୍ଚାୟତରେ ଶୀତଳଭଣ୍ଡାର ସ୍ଥାପନ, ଚାଷକାମ ପାଇଁ ବ୍ୟବହୃତ ବିତ୍ୟୁତ୍‌ବିଲ ସଂପୂର୍ଣ୍ଣ ଛାଡ କରାଯିବା ଓ ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଦାବୀ କରାଯାଇଛି । ଆଜିର ଏହି ରାଲିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସନ୍ତକ ବହିଦାର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, କିଷାନ ସେଲର ଗଗନ ନାଥ, ଆଗଲପୁର ବ୍ଲକର ଚିନ୍ତାମଣୀ ଭୋଇ, ମନମୋହନ ପଟେଲ, ଲୋଇସିଂହା ବ୍ଲକ ସଭାପତି ଅରବିନ୍ଦ ସାହୁ, ନାସିର ଖାନ, ସଦର ବ୍ଲକ ସଭାପତି ରାମପ୍ରସାଦ ମିଶ୍ର, ପୁଇଁତଲା ବ୍ଲକର ଓମ ପ୍ରକାଶ ସାହୁ, ଦେଓଗାଁ ବ୍ଲକର ରାମଜୀ ଚୌଧୁରୀ, ସେବାଦଳର ଅସୀତ ମିଶ୍ର ପ୍ରମୁଖଙ୍କ ସହିତ ଶତାଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.