ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜନ ଶୁଣାଣି ପରେ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

  • ପୁରୀ ଜିଲ୍ଲାରେ ହେବ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ
  • ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ନିର୍ମାଣ ହେବ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ
  • ଖର୍ଚ୍ଚ ହେବ ୧୪ କୋଟି ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲାର ୪ଟି ବ୍ଲକର ୭ଟି ଗ୍ରାମପଞ୍ଚାୟତରେ ୭ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା । ଜନ ଶୁଣାଣି ପ୍ରସ୍ତାବକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରୀ ବ୍ଲକର ଚାପମାଣିକ, ରେବଣା-ନୂଆଗାଁ, ବଡ ଦିଆଣ୍ଡି ଗ୍ରାମପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକର ନୂଆପଡା ଓ ବଡନଳା ଗ୍ରାମପଞ୍ଚାୟତ, କଣାସ ବ୍ଲକର ବିଜିପୁର ଗ୍ରାମପଞ୍ଚାୟତ ଓ ପୁରୀ ସଦର ବ୍ଲକର ରାଇଗୋରଡା ଆଦି ଗ୍ରାମପଞ୍ଚାୟତମାନଙ୍କରେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ହିସାବରେ ସମୁଦାୟ ୧୪ କୋଟି ଟଙ୍କା ବ୍ୟୟ କରାଯିବ । ପ୍ରସ୍ତାବିତ ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ନିର୍ମାଣ ଦାୟିତ୍ୱ ଗ୍ରାମ ଉନ୍ନୟନ ବିଭାଗକୁ ନ୍ୟସ୍ତ କରାଯାଇଛି । ପ୍ରକାଶଯୋଗ୍ୟ ଯେ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଦ୍ୱାରା ବ୍ରହ୍ମଗିରୀ ବ୍ଲକର ବୁଦ୍ଧିସାହି, ରେବଣା-ନୂଆଗାଁ ଓ ବଡ ଦିଆଣ୍ଡି, କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା, ଖୋଲାମୁହାଣ ଓ ବାଲିନାସୀ, କଣାସ ବ୍ଲକର ନନ୍ଦିଗୋଡା ଓ ପୁରୀ ସଦର ବ୍ଲକର ରାଇଗୋରଡା ଓ ନୂଆପଡା ଗ୍ରାମବାସୀ ଉପକୃତ ହେବେ । ସୂଚନାଯୋଗ୍ୟ ଯେ ସମୁଦ୍ର ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଏକ ବାତ୍ୟାପ୍ରବଣ ଜିଲ୍ଲା । ଉପରୋକ୍ତ ୭ଟି ଗ୍ରାମପଞ୍ଚାୟତ ସମେତ ପ୍ରସ୍ତାବ ଆସିଥିବା ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.