କର୍ଡି ଓ ହେଣ୍ଡୁଆ ଦେଇଛି ଦାଦନ ଶ୍ରମିକଙ୍କୁ ରୋଜଗାର

ଦେଓଗାଁ, (ମନିଷ କୁମାର ସାହୁ) : ଜୀବିକା ହରାଇ ଜୀବନ ବଞ୍ଚାଇବା ପାଇଁ ଘରକୁ ଫେରି ଆସିଥିବା ପ୍ରବାସୀ ଦାଦନ ଶ୍ରମିକଙ୍କୁ କରଡ଼ି ଦେଇଛି ବଞ୍ଚିବାର ରାହା । କରୋନ ସଂକ୍ରମଣ ସମୟରେ ଘରକୁ ଫେରିଥିବା ପ୍ରବାସୀ ଏବେ ନରେଗା କାମ ନ କରି କରଡ଼ି ବିକ୍ରି କରୁଛନ୍ତି ପାରିବାର ପୋଷଣ ପାଇଁ । ହେଲେ ଏମାନଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ, ଯାହା ଫଳରେ ଅଧିକ ପରିଶ୍ରମ କରି କମ ରୋଜଗାର ପାଉଛି ଦାଦନ ଶ୍ରମିକ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକର ଜଙ୍ଗଲ ଘେରା ଗାଁଗୁଡ଼ିକରେ । ଲକଡାଉନ ସମୟରେ ବେରୋଜଗାର ହେଉଛନ୍ତି ଦାଦନ ଶ୍ରମିକ । କାମ ଅଭାବରୁ ହାତ ବାନ୍ଧି ବସିଛନ୍ତି ଘରେ। କିନ୍ତୁ ହାର ନମାନି ଜଙ୍ଗଲ ଉପରେ ନିର୍ଭର କରି ରୋଜଗାରର ପନ୍ଥା ବାହାର କରିଛି ପ୍ରବାସୀ ଶ୍ରମିକ । ସେଥିପାଇଁ ଜଙ୍ଗଲରୁ ସଂଗ୍ରହ କରୁଛି ବାଉଁଶ ଗଜା । ସୁଆଦିଆ ଖାଦ୍ୟ ଭାବେ ହେଣ୍ଡୁଆ ଓ କରଡ଼ି ତିଆରି କରି ମଣିଷ ଖାଉଛି ବାଉଁଶ ଓ ରୋଜଗାର କରୁଛି ଟଙ୍କା । ଦେଓଗାଁ ବ୍ଲକର ଦାଦନ ପ୍ରବଣ ପଞ୍ଚାୟତ ଭାବେ ପରିଚିତ ଥିବା ଲଣ୍ଡାପଥାର, ଧଣ୍ଡାମାଲ, ଦେଶଣ୍ଢ, ରାମଚନ୍ଦ୍ରପୁର, ଡୁମେରପିଟା, ମୁକୁନ୍ଦପୁର, ସାରସମାଲ, ଉଡ଼ାର ପଞ୍ଚାୟତର ବିଭିନ୍ନ ଗାଁରୁ ଲୋକମାନେ ରାଜ୍ୟ ଓ ରାଜ୍ୟ ବାହାରକୁ ଇଟା ଗଢି ଯାଇଥାନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଘର ଲେଉଟାଣି କରିଛନ୍ତି ଏହି ଦାଦନ ଶ୍ରମିକମାନେ । କାମ ଅଭାବରୁ ଏଣେ ତେଣେ ବୁଲିବା ପରେ ଜଙ୍ଗଲରୁ ବାଉଁଶ ଗଜା ଆଣି କରଡ଼ି ଓ ହେଣ୍ଡୁଆ ପସ୍ତୁତି କରୁଛନ୍ତି । ଯାହାର ବଜାର ମୁଲ୍ୟ କରଡ଼ି କେଜି ୬୦ ଟଙ୍କା ଥିବା ବେଳେ ହେଣ୍ଡୁଆ ଅଡ଼ା ପ୍ରତି ୧୮୦ ଟଙ୍କା ରହିଛି । ବିଶେଷ କରି ଲଣ୍ଡାପଥର, କୁରୁଆଁଝର, ଡୁମେରଜୋର, ଝିକେରମାଲ, ଚୋରମରା, ଗମ୍ଭାରୀମାଲ ଗାଁରେ ତିଆରି ହୋଇଥିବା କରଡ଼ି, ହେଣ୍ଡୁଆର ଚାହିଦା ଜିଲ୍ଲା ବାହାର ବଜାରରେ ଅଧିକ ଥାଏ । ଯାହା ଫଳରେ ଏହି ହେଣ୍ଡୁଆ କରଡ଼ିକୁ ବିକ୍ରୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି । ଚଳିତ ବର୍ଷର କରୋନା କଟକଣା ପାଇଁ ଏହାକୁ ବିକ୍ରି କରିବାର ବଜାର ବ୍ୟବସ୍ଥା ନାହିଁ କି ଘରକୁ ବ୍ୟବସାୟୀମାନେ ଆସୁ ନାହାନ୍ତି । ଦିନକୁ ୯ ଶହରୁ ୧୩ ଶହ ଟଙ୍କା ରୋଜଗାର କରୁଥିବା ଲୋକ ଏବେ ମାତ୍ର ୩ରୁ ୪ ଶହ ଟଙ୍କା ପାଉଛି ।
ସୂଚନାଯୋଗ୍ୟ ଯେ ଦେଓଗାଁ, ସଇନ୍ତଲା ,ବଲାଙ୍ଗୀର ,ପାଟଣାଗଡ଼ ରେଞ୍ଜ ଅଧୀନରେ ଅଛି ଦେଓଗାଁ ବ୍ଲକର ଜଙ୍ଗଲ । ପ୍ରତି ଦିନ ଲୋକମାନେ ଜଙ୍ଗଲରେ ପଇଁତରା ମାରୁଛନ୍ତି ବାଉଁଶ ଗଜା ପାଇଁ । ସରକାର ଲକ୍ଷ ଲକ୍ଷ ଟଙ୍କାରେ ବାଉଁଶ ଜଙ୍ଗଲ ସୃଷ୍ଟି କରି ଯତ୍ନ ନେଉଛନ୍ତି । ତଥାପି ଲୋପ ହେଇଯାଉଛି ବାଉଁଶ ବନ। କରଡ଼ି ଓ ହେଣ୍ଡୁଆ ପାଇଁ ଜଙ୍ଗଲ ନିକଟସ୍ଥ ଗାଁଗୁଡିକରେ ସ୍ୱତନ୍ତ୍ର ବାଉଁଶ ବନ ସୃଷ୍ଟି କରି ଲୋକଙ୍କୁ ରୋଜଗାର ଦେବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.