
ଜମନକିରା : ଜମିବାଡ଼ି ବିବାଦକୁ ନେଇ ଛୁରାମାଡ଼ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ କତରକେଲା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପଡ଼ୋଶୀ ଜମି ମାଲିକଙ୍କ ଛୁରାମାଡ଼ରେ ଗୁରୁତର ଭାବେ ଆହତ ହୋଇଛନ୍ତି କତାରକେଲା ଗାଁର ନାରାୟଣ ପ୍ରସାଦ ପଟେଲ । ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ କୁବେର ଭୋଇ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ନିଜ ଜମିରେ ନାରାୟଣ ଟ୍ରାକ୍ଟର ଯୋଗେ ହଳ କରୁଥିଲେ । ଏହି ସମୟରେ ପଡୋଶୀ ଜମି ମାଲିକ କୁବେର ମଧ୍ୟ ତାଙ୍କ ଜମି ହଳ କରିବାକୁ ନାରାୟଣଙ୍କୁ ଅନୁରୋଧ କରିଥିଲା । ପରବର୍ତ୍ତୀ ସମୟରେ ଜମିରେ ହଳ କରିବା କଥାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କୁବେର ଏକ ଧରୁଆ ଛୁରିରେ ନାରାୟଣଙ୍କୁ ଆକ୍ରମଣ କରିଥିଲେ । ପରିବାର ଲୋକେ ନାରାୟଣଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ନାରାୟଣଙ୍କ ପୁଅ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛି ।